Latest Odisha News

BREAKING NEWS

ଉତ୍କଳ ଗୌରବ ମଧୁସୂଦନ ଦାସ

“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢ଼ିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡ଼ାରେ ଚଢ଼ିବି
ମଧୁବାବୁ ସଙ୍ଗେ ଲଢ଼ିବି ।”

ପ୍ରିୟ କୁନି ପିଲାମାନେ

ତୁମେମାନେ ଏ ପଦଟି ଶୁଣିଥିବ । ଉତ୍କଳ ଗୌରବ ମଧୁସୁଦାନ ଦାସଙ୍କ ବିଷୟରେ ନିଶ୍ଚୟ କିଛି ଜାଣିଥିବ ।

୧୮୪୮ ମସିହା ଅପ୍ରେଲ ୨୮ରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ଦାସ ଓ ମା’ଙ୍କ ନାମ ପାର୍ବତୀ ଦେବୀ ଥିଲା । ପିଲା ବେଳେ ମଧୁସୂଦନଙ୍କ ପ୍ରଥମ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାମକୁ ବଦଳାଇ ମଧୁସୂଦନ ରଖିଥିଲେ ।

ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା ସତ୍ୟଭାମାପୁରର ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ । ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଗଲେ ଓ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ୱିତୀୟ ଶ୍ରେଣୀରେ ପ୍ରବେଶିକା ପାସ କରିଥିଲେ (ଆଜି ଏହାକୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା କୁହାଯାଉଛି) । ଏହାପରେ ସେ ବାଲେଶ୍ୱରରେ କିରାଣି ଚାକିରିଟିଏ କଲେ । କିଛି ପଇସା ସଞ୍ଚୟ କରି  ଉଚ୍ଚଶିକ୍ଷା ପାଇଁ ସେ କଲିକତା ଯାତ୍ରା କଲେ। କଲିକତାରେ ରହିବା ସମୟରେ ଜଣେ ପାଦ୍ରୀଙ୍କ ସଂସ୍ପର୍ଶରେ ଆସି ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ ।

ସେହି ସମୟରେ ଅନେକ ଓଡ଼ିଆ ଲୋକ କଲିକତାରେ ଚାକିରି କରୁଥିଲେ । କିନ୍ତୁ ସେମାନେ ଶିକ୍ଷିତ ନଥିଲେ। ସେମାନଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମଧୁବାବୁ କଲିକତାରେ ନୈଶ ବିଦ୍ୟାଳୟ ସ୍ଥାପନା କରାଇଥିଲେ । ସେତେବେଳକୁ ମଧୁସୂଦନ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏଲ୍. ପାସ କରି ସାରିଥିଲେ ।

ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ପଡ଼ିଥିଲା । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ । ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ’ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ । ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ଜେଜେମା ସୂର୍ଯ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ ।

୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଓଡ଼ିଶାରେ ଶିଳ୍ପର ବିକାଶ କ୍ଷେତ୍ରରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ । କଟକର ସୁନାରୂପାର ତାରକସି କାମ ପାଇଁ ନିଜ ବାସଘରେ ଏକ କର୍ମଶାଳାର ଆୟୋଜନ କରି କାରିଗରମାନଙ୍କୁ ତାଲିମ ପ୍ରଦାନ କରିବା ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ । ବିକ୍ରି ହେଉ କି ନ ହେଉ ସେମାନଙ୍କ କାମ ନିମନ୍ତେ ସେ ଦୈନିକ ବେତନ ଦେଉଥିଲେ । ଲଣ୍ଡନ ଯାଇଥିବା ବେଳେ ସେ ସେଠାରେ ଏହିସବୁ କାମର ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ । କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା କରିଥିଲେ । ଖରାପ ହୋଇଯାଉଥିବା ଜୋତାଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ଉତ୍କଳ ଟ୍ୟାନେରୀ ବହୁ କ୍ଷତି ସହିଥିଲା ।

ଜଣେ ଲେଖକ ଓ କବି ଭାବରେ ମଧ୍ୟ ସେ ଅନେକ ଦେଶାତ୍ମବୋଧକ ଲେଖା ଲେଖିଛନ୍ତି । ତାଙ୍କର କେତୋଟି ଜଣାଶୁଣା ଲେଖା ହେଉଛି ‘ଉତ୍କଳ ସନ୍ତାନ’, ‘ଜାତି ଇତିହାସ’, ‘ଜ୍ଞାନୀର ଉକ୍ତି’, ‘ଜାତୀୟ ଗୀତିକା’ । ସେ ମଧ୍ୟ ଓଡ଼ିଆ, ଇଂରାଜୀ ଓ ବଙ୍ଗଳାରେ ଜଣେ ସୁବକ୍ତା ଥିଲେ ।

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା ।

ଓଡ଼ିଶାର ସ୍ୱାଭିମାନର ପ୍ରତୀକ ମଧୁସୂଦନ ଦାସଙ୍କୁ ଲକ୍ଷ୍ୟ କରି ବ୍ୟାସକବି ଫକୀର ମୋହନ ସେନାପତି ଲେଖିଥିଲେ –

“ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳଙ୍କୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ!”

୧୯୩୪ ମସିହା 6ଫବୃୟାରୀ ମାସ ୪ ତାରିଖରେ ସେ ଇହଧ୍ୟାମ ତ୍ୟାଗ କରିଥିଲେ । ନିଜର ଜୀବନ କାଳ ଭିତରେ ନିଜ ରାଜ୍ୟର , ଜାତିର ଏବଂ ସର୍ବୋପରି ସମାଜ ପାଇଁ ଯାହା କରିଯାଇଥିଲେ ତାହା ପ୍ରକୃତ ପକ୍ଷେ ତାଙ୍କୁ କୁଳବୃଦ୍ଧ ଉତ୍କଳ ଗୌରବ ଭାବରେ ପରିଚିତ କରାଇଲା । ତାଙ୍କ ଜୀବନୀ କାଳ କାଳ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ।

ଆଜି ପାଇଁ ଏତିକି। ଆରଥରକୁ ପୁଣି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ।

Leave A Reply

Your email address will not be published.