Latest Odisha News

ଶିଶୁ କବିତା : ସଫେଇ ବାଲା

ତରୁଣ କୁମାର ମିଶ୍ର 

ସିପୁନ୍ ଆମ ଛୋଟ ପିଲାଟି
ବାଲ୍ କୋନିରେ ବସି ,
ଜେଜେଙ୍କ ସାଥେ ଗପୁଥିଲା ସେ
ହୋଇକି ଭାରି ଖୁସି ।

ଏହି ସମୟେ ସଫେଇ ଗାଡ଼ି
ଆସିଲା ଗୀତ ଗାଇ ,
ଓଦା ଶୁଖିଲା ଅଳିଆ ଯେତେ
ଦିଅ ମୁଁ ନେବି ବୋହି ।

ରଖିଛି ମୁହିଁ ଦୁଇଟି ଡବା
ସବୁଜ ହଳଦିଆ ,
ସବୁଜଟିରେ ଢାଳିବ ଆଣି
ଯେତେ ଓଦା ଅଳିଆ ।

ହଳଦୀ ରଙ୍ଗ ଡବାରେ ମୋର
ଶୁଖା ଅଳିଆ ଆଣି ,
ପକାଇ ଦେବ ଯତନେ ତାକୁ
ବୋହି ନେବିରେ ଜାଣି ।

କାଗଜ କାଚ ପଲିଥିନ୍ କୁ
ପେଟି ପ୍ଲାଷ୍ଟିକ୍ ଯେତେ ,
ଅଳନ୍ଧୁ ଜୋତା କପଡା ଆଦି
କହିବି ମୁହିଁ କେତେ ।

ଏଗୁଡ଼ା ସବୁ ଶୁଖା ଅଳିଆ
ଅଲଗା ମୋତେ ଦେବ ,
ପରିବା ଚୋପା ଅଇଁଠା କଣ୍ଟା
ଆଦି ଓଦାରେ ଯିବ ।

ରାସ୍ତା ଘାଟ ଓ ଘରର ପାଖ
ସଫା ସୁତରା ରଖ ,
ପରିବେଶକୁ ସଫା ରଖିଲେ
ହୋଇବ ରୋଗ ନାଶ ।

ପଲିଥିନର ବ୍ଯବହାରକୁ
କମାଇ ଦିଅ ଜାଣି ,
ପଶୁ ବଞ୍ଚିବେ ମାଟି ବି ସଫା
ରହିବ ତାହା ପାଇଁ ।

ଏ ଗୀତ ଶୁଣି ସିପୁନ କହେ
ଜେଜେ ବଜାର ଯାଇ ,
ଦୁଇଟି ଡଷ୍ଟବିନ ଆଣିବ
ତୁମେ ଯେ ଆମ ପାଇଁ ।

ଓଦା ଶୁଖିଲା ଅଳିଆ ଯେତେ
ଅଲଗା ତାକୁ କରି ,
ରଖିଣ ଥିବା ଗାଡି ଆସିଲେ
ନେବ ସେ ତାହା ଧରି ।

ଜେଜେ କହିଲେ ସିପୁନ୍ ଆମ
କହିଲା ଭଲ କଥା ,
ସଫେଇ ଗାଡି ଗୀତକୁ ଶୁଣି
ପାଇଲା ଭଲ ଶିକ୍ଷା ।

ସମସ୍ତେ ଯଦି ତାଆରି ପରି
ହେବେ ସଫା ସୁତର ,
ପରିବେଶ ତ ରହିବ ଭଲ
ରୋଗ ହୋଇବ ଦୂର ।

ଖଣ୍ଡଗିରି ,ଭୁବନେଶ୍ବର

Comments are closed.