ଯାଜ୍ଞସେନୀ ହୋତା
ନା ଟା ତା’ର ବାପୁନୁ । ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ , ସମସ୍ତଙ୍କୁ ଖୁବ୍ ଭଲପାଏ ସେ । ସବୁଦିନ ସ୍କୁଲ୍ ରୁ ଫେରି ,ବାଡିରେ ବୁଲି ବୁଲି ଗଛଲତାଙ୍କୁ ଲକ୍ଷ୍ୟ କରେ। ପକ୍ଷୀଙ୍କର କିଚିରି ମିଚିରି ସ୍ୱର ଶୁଣି ଖୁସିରେ କୁରୁଳି ଉଠେ। କୁଆ କୁକୁରଙ୍କୁ ଘରୁ ନେଇ ବିସ୍କୁଟ୍ , ରୁଟି ଖାଇବାକୁ ଦିଏ। ପକ୍ଷୀମାନଙ୍କ ପାଇଁ ରୋଷେଇଘରୁ ଚାଉଳ ନେଇ ଛାତ ଉପରେ ବିଞ୍ଛିଦିଏ। ସେମାନଙ୍କ ଖୁସି ଦେଖିଲେ ତାକୁ ଭାରି ଆନନ୍ଦ ମିଳେ।
ସେଦିନ ହଠାତ୍ ବାପୁନୁ ର ଆଖି ଗୋଟେ ଜାଗାରେ ଅଟକି ଗଲା। ବାପା ଏବେ ଏବେ ଲଗେଇଥିବା ଛୋଟ ବଉଳ ଗଛଟିରେ ଟିକି ଟିକି ଶାଖା ପ୍ରଶାଖା ହେଇକି ଭାରି ସୁନ୍ଦର ଛନଛନିଆ ହେଇଛି। ତାରି ଏକ ଶାଖାରେ କୁନି ବସାଟିଏ। ଖୁସିରେ ନାଚି ଉଠିଲା ବାପୁନୁ। କେତେ ସୁନ୍ଦର ଏ ବସା ସତେ । ପକ୍ଷୀଟିର ଏତେ ବୁଦ୍ଧି? ଅନେକ ବେଳ ଚାହିଁ ରହିଲା । ପକ୍ଷୀଟେ ଉଡି ଆସି ଆହୁରି ଆହୁରି କୁଟା କାଠି ଆଣି ସଜାଡୁଛି ବସାକୁ। ସେଇ ଭିତରେ ବସୁଛି କିଛିକ୍ଷଣ, ଆଉ ଉଡିଯାଉଛି। ଘୁରି ଆସିକି ପୁଣି ବସୁଛି।
ପ୍ରତିଦିନ ବାପୁନୁ ସକାଳେ ସନ୍ଧ୍ୟାରେ ଆସି ଦେଖୁଥାଏ। ବାପୁନୁ ଆସ୍ଥା ପବ୍ଲିକ୍ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର।ଏବେ ତ କରୋନା ପାଇଁ ସ୍କଲ୍ ବନ୍ଦ। କୁଆଡେ ଯିବାର ନାହିଁ। ଘରେ ଯାହା ଅନ୍ ଲାଇନ୍ ପାଠପଢା। କିନ୍ତୁ ସେ ମନଦେଇ ପାଠ ପଢେ ।
କ୍ଲାସ୍ ସରୁ ସରୁ ଧାଇଁଯାଏ ବାଡିପଟକୁ। ଗଳ୍ପ
ପକ୍ଷୀଟା ଏବେ ଦିନରାତି ବସାରେ ବସିଛି। ବାପୁନୁ ଦେଖିଲା, ଦିନେ ଛୋଟ ଛୋଟ ତିନୋଟି ଅଣ୍ଡା ବସାଭିତରେ। ସେ ଲକ୍ଷ୍ୟ କରୁଥାଏ, ମାଆ ପକ୍ଷୀଟି ଆଉ ବେଶୀ ସମୟ ବାହାରକୁ ଯାଏନା। ସବୁବେଳେ ଅଣ୍ଡାକୁ ଜଗିଥାଏ । ପୁଣି ସେ ଦେଖିଲା ,ସେଇ ଅଣ୍ଡାରୁ ତିନୋଟି କୁନୀ କୁନୀ ଛୁଆ ବାହାରିଛନ୍ତି। ସେମାନଙ୍କର ଟିକିଟିକି ପାଦ ଟିକି ଥଣ୍ଟ ଦେଖି ତାକୁ ବହୁତ୍ ମଜା ଲାଗୁଥାଏ। ତାକୁ ଇଚ୍ଛା ହେଉଥାଏ ଟିକେ ଆଉଁଷି ଦେବାକୁ । ହାତ ବଢାଏ। ମାଆ ପକ୍ଷଟା ରାବି ଉଠେ । ତା ଭାଷା ରେ ସତେ ଯେମିତି ଗାଳିଦିଏ ବାପୁନୁକୁ। ସେ ତା ଛୁଆଙ୍କୁ କେତେ ଭଲ ପାଉଥିବ ନା। ତାକୁ ରାଗିବନି ? ତା ମାଆ ଯେମିତି ତାକୁ ଭଲପାଏ । ମନେମନେ ଭାବେ ବାପୁନୁ।
କିଛି ଦିନ ପରେ ଆଖି ଖୋଲିଲେ ପକ୍ଷୀ ଛୁଆମାନେ। ମାଆ ପକ୍ଷୀଟା ବୁଲି ବାଲି କ’ଣ ସବୁ ଖାଇବା ନେଇ ଆସୁଥାଏ ସେମାନଙ୍କ ପାଇଁ। ମାଆ ଆସିଗଲେ ପାଟି ମେଲା କରି ଆଁ କରି ଉପରକୁ ଚାହିଁ ରହନ୍ତି ଛୁଆମାନେ। ବାବାରେ ନାଲିନାଲି କେତେ ବଡବଡ ପାଟି? ମାଆ ଟି ସେ ଭିତରେ କ’ଣ ସବୁ ଖୁଆଇଦିଏ। ଟକ୍ କିନା ଗିଳିଦିଅନ୍ତି ଛୁଆମାନେ।
ଏ ଭିତରେ ସେମାନେ ଟିକେ ବଡ ହେଇଗଲେଣି। ତାଙ୍କ ଦେହରେ ଧଳାକଳା ପର ଉଠିଲାଣି। କେତେ ସୁନ୍ଦର ଚିଁଚା କିଟି ମିଟି କଲେଣି। ତା’ ମାଆ ନଥିଲା ବେଳେ ବାପୁନୁ ସେମାନଙ୍କ କଅଁଳ ଦେହକୁ ଟିକେ ଆଉଁଷି ଆଣେ। କେତେ ନରମ ଏମାନଙ୍କର ଦେହ !
ଫକ୍ ଫକ୍ ଡେଇଁବା ଶିଖିଲେ ପକ୍ଷୀ ଛୁଆମାନେ ଏ ଡାଳରୁ ସେ ଡାଳକୁ। ଆଉ କିଛିରେ ମନ ଲାଗୁନଥାଏ ବାପୁନୁର। ନା ପାଠପଡା ନା ହୋମୱର୍କରେ। ମାଆ ଯେତେ ଗାଳିଦେଲେ ବି ସେଇଠି ହାଜର୍। ସବୁଦିନ ପରି ବାପୁନୁ ସକାଳୁ ଉଠୁ ଉଠୁ ଧାଇଁଲା ବାଡିପଟେ। ସେ ଟିକେ ଡରିଗଲା। ତା ଛାତି ଧକ୍ ଧକ୍ କଲା । ଗଛ ଡାଳରେ ଗୋଟେ ଛୁଆ ଏକାଏକା ବସିଛି। ମାଆ ନଥିଲା କି ଆଉ ଦିଟା ଛୁଆ ନଥିଲେ। କୁଆଡେ ଗଲେ ସେମାନେ ? ବାପୁନୁ ଚିନ୍ତାରେ ପଡିଗଲା। ଛୁଆ ଟା ଚିଁ ଚାଁ କରୁଥାଏ। ବାପାଙ୍କୁ ଡାକି ସବୁକଥା କହିଲା କାନ୍ଦ କାନ୍ଦ ହେଇ।
ବାପା ବୁଝେଇଲେ ତାକୁ। ତା ମାଆ ତାକୁ ଉଡିବା ଶିଖେଇବାକୁ ନେଇଛି । ଆସି ଯିବେଯେ। ବାପୁନୁ କିନ୍ତୁ ଜମା ବୁଝୁନଥାଏ। ଆହାଃ ଛୋଟ ଛୁଆଟା ଖାଇବା ଶିଖିନି। କ’ଣ ଖାଇବ ? ତା ମାଆକୁ ଖୋଜୁଥିବ।
ଆଉ ତା ମାଆ.. ଗଲା କୁଆଡେ ଛୋଟ ଛୁଆକୁ ଛାଡିଦେଇ? ସେ ହେଲେ କ’ଣ ଖୋଜୁନଥିବ ତାକୁ। ସେ କ’ଣ ତା ମାଆକୁ ଛାଡି ରହିପାରେ ?
ରାତି ସାରା ଶୋଇ ପାରିଲାନି ବାପୁନୁ। ବାରମ୍ବାର ଶୋଇବାକୁ ଚେଷ୍ଟାକଲା ନିଦ ହେଲାନି ତାକୁ। ବାପାଙ୍କ ଡରରେ ଆଖି ବୁଜି ପଡି ରହିଲା ଯାହା।
ସକାଳୁ ପୁଣି ଧାଇଁଲା ତା ପାଖକୁ। ପକ୍ଷୀ ଛୁଆଟି ଆହୁରି ରାବୁଥିଲା। ଫକ୍ ଫକ୍ ଡେଉଁଥିଲା। ହେଲେ ଦୂର୍ବଳ ଦିଶୁଥିଲା। ବାପୁନୁର ବାପା ଏ ସବୁ ଦେଖି କିଛି ବଗିଚାରେ ବୁଲି ବୁଲି କିଛି ଝିଣ୍ଟିକା ଆଉ ଛୋଟଛୋଟ ପୋକ ଆଣି ତା ଥଣ୍ଟ ପାଖରେ ଦେଉଦେଉ ଝିଙ୍କି ଖାଇ ପକଉଥିଲା କୁନୀ ପକ୍ଷୀଟି।
ଘରେ ତ ତଳେ ରଖିହବନି। ବିରାଡିଟିଏ ବୁଲୁଛି। କେତେବେଳେ ଝାମ୍ପିନବ। ଖଛ ଉପରେ କେତେବେଳ ରହିପାରେ ଛୁଆଟି। ଗୋଟେ ପଞୁରୀ ଆଣି ଯତ୍ନରେ ତାକୁ ଗଛ ଉପରେ ଟାଙ୍ଗିଦେଲେ ତା ବାପା। କାଳେ ତା ମାଆ ଆସିବ। ଖୋଜିବ ତା ଛୁଆକୁ। ମାଆ ଆସିଲେ ପଞୁରିର କାଢିଦେବେ ତାକୁ। ଘରର ଚାକର ବଗିଚାରୁ ପୋକଯୋକ ଆଣି ଖାଇବାକୁ ଦେଉଥାଏ ତାକୁ। ପକ୍ଷୀ ଟା ସିନା ଖାଉଥାଏ, ବାପୁନୁକୁ ଖାଇବାକୁ ଇଚ୍ଛା ହେଉନଥାଏ ।
ସେ ଖାଲି ଭାବିହେଉଥାଏ। ଅନେକ ଦିନ ହେଲାପରେ ବି ତା ମାଆ ଆସିଲାନି। ଏ ଭିତରେ ତା ପର ବି ହେଇଗଲାଣି।
ଜଙ୍ଗଲି ପକ୍ଷୀ…ସେ କଣ ବିସ୍କୁଟ୍ , ରୁଟି ଖାଇ ପାରିବ ? କେତେ ଦିନ ରଖିହେବ ତାକୁ। ଟିକେ ଉଡି ଶିଖୁ ତାକୁ ଉଡ଼େଇ ଦେବା । ତା ବାପା କୁହନ୍ତି।
ବିଚରା ଛୁଆଟା। ତା ଭାଇମାନେ ଆଉ ତା ମାଆ କଥା କେଉଁଠି ଥିବେ କେଜାଣି ?ତା ମାଆ ତାକୁ ଛାଡି ରହିପାରୁଥିବ ତ? ତାକୁ ଉଡେଇଦେଲେ ସେ କ’ଣ ଭେଟିବ ସେମାନଙ୍କୁ? ସେ ଚିନ୍ତାରେ ଥାଏ ବାପୁନୁ।
ଦିନେ ବାପୁନୁ ଘର ଅଗଣା ରେ ବସି ଥାଏ ନୀରବ ରେ। ତାଙ୍କ ଗଳିଦେଇ ପ୍ରାଇମେରି ଓଡ଼ିଆ ସ୍କୁଲ୍କୁ ରାସ୍ତା। ସ୍କୁଲ୍ ବନ୍ଦ ଥିବାରୁ ସ୍କୁଲ୍ ହତାରେ ଡେରା ବାନ୍ଧିଛନ୍ତି ଯାଯାବର ଦଳ। ସେମାନଙ୍କ ଛୁଆସବୁ ମାଗି ଯାଚି ଖାଇ ବୁଲନ୍ତି। ବାପୁନୁ ସେମାନଙ୍କୁ ବି ରୁଟି ,ଚୂଡା, ବିସ୍କୁଟ୍ ଖାଇବାକୁ ଦିଏ ଡାକିଡାକି। ବେଳେ ବେଳେ ତା ପୁରୁଣା ପେଣ୍ଟ୍ ସାର୍ଟ ଚପଲ ଆଉ ଗାମୁଛା ବି ଦିଏ।
ତାରି ବୟସର ଦିଟା ଛୁଆ ମାଡି ଆସୁଥାନ୍ତି ତା ଆଡକୁ। ବୋଧେ କିଛି ମାଗିବାକୁ। ଆରେ କଣ ଦେଖିଲା ସେ। ଆଖିକି ବିଶ୍ୱାସ ହେଲାନି ତାର। ପିଲାଟି କାନ୍ଧରେ ଧରିଛି ବାଡିଟିଏ। ବାଡିରେ ଓହଳିଛି ଦିଟା ଛୋଟଛୋଟ ହାତବୁଣା ପଞୁରୀ । ଗୋଟିକରେ ମାଆ ପକ୍ଷୀ ଆଉ ଆରଟିରେ ରେ ତ ସେଇ କଳାଧଳା ପକ୍ଷୀ ଛୁଆ। ବାପୁନୁର ଖୁସି କହିଲେ ନସରେ। କୋଟି ନିଧି ପାଇଲା ପରି ନାଚି ଉଠିଲା ସେ। ପିଲାମାନଙ୍କୁ ସେ ପକ୍ଷୀ ତାକୁ ଦେଇଦେବାକୁ କହିଲା। ସେ ଦୁଷ୍ଟ ପିଲା କିନ୍ତୁ ମୋଟେ ରାଜି ହେଲାନି ଦେବାକୁ।ସେ କହିଲା ,ଆମେ ଏମାନଙ୍କୁ ବହୁତ୍ କଷ୍ଟରେ ଜାଲ ପକେଇ ଧରିଛୁ। ଖାଇବାକୁ ଦେଉଛୁ। ତମକୁ କାଇଁ ଦବୁ ଯେ ?
ବାପୁନୁ ତାକୁ ବୁଝେଇଲା। ଭାଇମାନେ ଦେଖ ଆମେ କେତେ ସୁନ୍ଦର ନିଜନିଜ ମାଆ ବାପାଙ୍କ ପାଖରେ ଥାଇ ଖେଳି ବୁଲି ସ୍ୱାଧିନରେ ଅଛୁ।ଆମକୁ ଯଦି କେହି ରାଜମହଲରେ ଭର୍ତ୍ତି କରି ସୁନା ଗିନାରେ ଖାଇବାକୁ ଦେବ, ଆମକୁ କଣ ଭଲ ଲାଗିବ। ଆମେ ଆମ ମାଆକୁ ଛାଡି ରହିପାରିବା? ବନ୍ଦିଘରେ କେହି କ’ଣ ସୁଖ ପାଏ ? ଦୁଷ୍ଟ ଛୁଆମାନେ ମାନିଲେନି।
ବାପୁନୁ ଶେଷରେ ଗୋଟେ କୌଶଳ କଲା। ତା ସଞ୍ଚି ଥିବା ବାକ୍ସରୁ ଜେରା କିଛି ପଇସା ଆଣି, କିଛି ଖାଇବା ଜିନିଷ ଆଉ ପେଣ୍ଟ୍ ସାର୍ଟ ଦେଇ ମଙ୍ଗେଇଲା। କଳେ ବଳେ ପକ୍ଷୀ ମାନଙ୍କୁ ସେମାନଙ୍କଠୁ ହସ୍ତଗତ କଲା।
ଜୀବନର ଚରମ ସଫଳତା ଲାଭ କଲାପରି ଆନନ୍ଦରେ କେବଳ ନାଚୁଥିଲା ବାପୁନୁ। ଗଛରୁ ଟିକି ପକ୍ଷୀକୁ ଓଲେହିଲା । ଚାରୋଟି ଯାକ ପକ୍ଷୀଙ୍କୁ ଏକାଠି ରଖିଦେଲା, ଗୋଟେ ପଞୁରୀରେ। କିଚିରି ମିଚିରି ଶବ୍ଦରେ ଅଗଣା ତାଙ୍କର ଫାଟି ଉଠିଲା।
ତା’ ବାପା ମାଆ ଆନନ୍ଦରେ ଏ ଦୃଶ୍ୟ ଦେଖୁଥିଲେ। ସମସ୍ତଙ୍କୁ ଟିକେ ଆଉଁଷି ଆଣିଲା ବାପୁନୁ ଆଉ ଏକା ଥରକେ ପଞୁରୀର ଦ୍ୱାର ଖୋଲିଦେଲା। ଫଡ୍ ଫଡ୍ ହେଇ ଉଡିଗଲେ ମାଆ ପକ୍ଷୀ ଆଉ ତିନୋଟି ପକ୍ଷୀ ଶାବକ। ବାପୁନୁ ଚାହୁଁଥିଲା ଏକ ଲୟରେ ସେଇ ନୀଳ ଆକାଶକୁ ଡେଣାଝାଡି ଝାଡି ଉଡିଯିବାର ଲୋଭନୀୟ ଦୃଶ୍ୟ। ତା ବାପା ତା ପିଠିଥାପୁଡେଇ କହିଲେ ସାବାସ ରେ ପୁଅ। ତୋ ପରି ଉଦାର ହୃଦୟର ପୁଅଟେ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ତୋ ଇଚ୍ଛା , ଉଦ୍ୟମ ଯୋଗୁ ଗୋଟେ ମହତ୍ କାମ କରିପାରିଛୁ। ଯଶସ୍ୱୀ ହୁଅ ବାପା, ଦୀର୍ଘଜୀବି ହୁଅ। ବାପାଙ୍କ ଆଖିରେ ଲୁହ ଦେଖି ଭାବ ବିହ୍ୱଳ ହେଇପଡୁଥିଲା ବାପୁନୁ।
ଆସ୍ଥା ପବ୍ଲିକ୍ ସ୍କୁଲ୍
ବେଲପଡା
Comments are closed.