ଅନୁବାଦ ଗଳ୍ପ : ହଳେ ଛିଣ୍ଡା ଜୋତାର କାହାଣୀ

ଜ୍ଞାନୀ ଗୁରମୁଖ ସିଂହ ମୁସାଫିର (୧୮୯୯- ୧୯୭୫) ଗୁରମୁଖୀ ସିଂହ ମୁସାଫିର: ପଞ୍ଜାବୀ ଭାଷାର ଜଣେ ଜଣାଶୁଣା କବି ତଥା ଔପନ୍ୟାସିକ ଭାବେ ଗୁରମୁଖ ସିଂହ ମୁସାଫିରଙ୍କର ବେଶ୍‍ ପ୍ରଶସ୍ତି ରହିଛି । ୧୮୯୯ ମସିହାରେ ଅବିଭକ୍ତ ପଞ୍ଜାବର ଓଧାୱାଲ ଜିଲ୍ଲାରେ ତାଙ୍କର ଜନ୍ମ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱାଧୀନତା ପରେ ପଞ୍ଜାବ ରାଜନୀତିରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ରାଜନୀତି ସହିତ ସାହିତ୍ୟ ରଚନା ପ୍ରତି ତାଙ୍କର ଅସମ୍ଭବ ଶ୍ରଦ୍ଧା ଓ ନିଷ୍ଠା ଥିଲା । ତାଙ୍କର କବିତା, ଗଳ୍ପ ଓ ଉପନ୍ୟାସ ଆଜି ସୁଦ୍ଧା ପାଠକମାନଙ୍କର ଅତି ପ୍ରିୟ ହୋଇ ରହିଛି । ଦେଶ ବିଭାଜନ ବେଳେ ସେ ହରାଇଥିବା ବନ୍ଧୁ ଓ ପରିଜନ ତଥା ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ତାଙ୍କୁ ଅତି ମାତ୍ରାରେ ପ୍ରଭାବିତ କରିଥିଲା । ସେ ନିଜର କବିତା ଓ ଗଳ୍ପ ମାଧ୍ୟମରେ ଏହି ଅଙ୍ଗେ ନିଭା ଘଟଣାକୁ ବ୍ୟକ୍ତ କରିଥିଲେ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୪ 

ମୂଳ ପଞ୍ଜାବୀ : ଜ୍ଞାନୀ ଗୁରମୁଖ ସିଂହ ମୁସାଫିର 

ସେତେବେଳକୁ ଜୋତା ହଳକ ଛିଣ୍ଡି ନ ଥାଏ । ବୈରାଗ ତାକୁ ପିନ୍ଧି ଯେଉଁଆଡ଼େ ଯାଏ, ତା’ ଜୋତା ହଳକୁ ଲୋକେ କଣେଇ କଣେଇ ଚାହାନ୍ତି । ଯେଉଁମାନେ ତାକୁ ଚିହ୍ନିଛନ୍ତି, ସେମାନେ ସେ ଜୋତାହଳକ ବିଷୟରେ ଅନେକ ପ୍ରଶ୍ନ ପଚାରନ୍ତି । ଏପରିକି ଚିହ୍ନା ଲୋକମାନେ ବି ବେଳେବେଳେ ଏପରି ସୁନ୍ଦର ଜୋତା ହଳକ ସେ କେଉଁଠୁ ପାଇଲା ବୋଲି ପଚାରିବାର ଲୋଭ ସମ୍ବରଣ କରି ପାରନ୍ତିନି । ବୈରାଗର ଏମିତି କେହି ଜଣେ ସାଙ୍ଗ ନାହାନ୍ତି, ଯିଏ ତାଙ୍କ ଲାଗି ସେମିତିଆ ଜୋତାହଳେ ଆଣିବା ଲାଗି ତାକୁ ଅନୁରୋଧ କରି ନାହାନ୍ତି । କିଏ କହେ, ‘ଆରେ ବୈରାଗ, ତୁ କେଉଁଠୁ ଏତେ ସୁନ୍ଦରିଆ ଜୋତା ହଳକ କିଣିଛୁ କହିଲୁ ? କେବେ କିଣିଲୁ ?  କେତେ ଦାମ୍ ପଡ଼ିଲା? ତୋ ଲାଗି ଏ ଜୋତା କିଏ କିଣି ଆଣିଛନ୍ତି ନା କ’ଣ?

ଫି’ଥର ସାଙ୍ଗମାନେ ଏପରି ପ୍ରଶ୍ନ ପଚାରିବାବେଳେ, ବୈରାଗ ମନ ଖୁସିରେ କୁଣ୍ଢେ ମୋଟ ହୋଇଯାଏ । ଯିଏ ଯେତେ ପ୍ରଶ୍ନ ପଚାରିଲେ ବି ସିଏ ଆଦୌ ବିରକ୍ତ ହୁଏନି । ବରଂ, ଏପରି ପ୍ରଶ୍ନର ଉତ୍ତର ଦେବାକୁ ସେ ଉପଭୋଗ କରେ । ବରଂ, ଯଦି କେହି ତା’ଜୋତା ସମ୍ପର୍କରେ ତାକୁ ନ ପଚାରେ, ବୈରାଗର ମନ ଦୁଃଖରେ ଭରିଯାଏ ।

ଏଇ ଜୋତାଲାଗି ବୈରାଗ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସେଥିରୁ ଦୁଇଟା ଦୁର୍ଘଟଣା ତ ବେଶ୍ ଗୁରୁତର ଧରଣର । ରାସ୍ତାରେ ଚାଲିଲାବେଳେ ସିଏ ସାମ୍ନାକୁ ଚାହିଁବା ବଦଳରେ ନିଜ ପାଦର ଜୋତାକୁ ଚାହିଁ ଚାହିଁ ଚାଲେ । ପୁଣି ପାଦର ଜୋତାକୁ ଚାହିଁଲାବେଳେ ତା’ର ସ୍ମୃତି ତାକୁ କେଉଁ ଅଜଣା ରାଇଜକୁ ନେଇଯାଏ । ତା’ର ଭାବାନ୍ତର ଘଟେ ।

ସ୍ମୃତି କୌଣସି ଦେଶର ସୀମାରେଖା କି ପ୍ରତିବନ୍ଧକ ମାନେନା । ସ୍ମୃତି ତା’ର ଯାତ୍ରା ଲାଗି କୌଣସି ଭିସା କି ପାସପୋର୍ଟ ଲୋଡେନାହିଁ ।

ବୈରାଗର ମନେ ପଡ଼ିଗଲା ସେଇ ଝୁପୁଡ଼ି ଘରର ଗୋଟିଏ କୋଣ, ଯେଉଁଠି ତା’ର ଏଇ ଜୋତାହଳକ ତିଆରି ହୋଇଥିଲା । ଯେଉଁ ସାଧାରଣ ଉପକରଣ ସହାୟତାରେ ସେସବୁ ପ୍ରସ୍ତୁତ କରାଯାଇଥିଲା ଓ ଯେଉଁ ହାତ ସେ ଜୋତା ହଳକୁ ସିଲେଇ କରିଥିଲା, ସେ ଚମଡ଼ାକୁ ଧୋଇ ଶୁଖେଇଥିଲା, ଯେଉଁ ଜଙ୍ଘ ଉପରେ ସେ ଚମଡ଼ା ଖଣ୍ଡିକ ଥୋଇ ସିଲେଇ କରିଥିଲା । ଚଳଚ୍ଚିତ୍ରର ଚଳମାନ ଦୃଶ୍ୟ ପରି ସେସବୁ ଦୃଶ୍ୟ ବୈରାଗର ସ୍ମୃତିରେ ଗୋଟିକ ପରେ ଗୋଟିଏ ଦୌଡ଼ିବାରେ ଲାଗିଥିଲା ।

ଜୀବନସାରା ସେଇ ହାତ ତିଆରି ଜୋତା ପିନ୍ଧିବାରେ ସେ ଅପୂର୍ବ ଆନନ୍ଦ ଅନୁଭବ କରିଛି । ପିନ୍ଧାଜୋତାରେ ଟିକିଏ ଖୁଞ୍ଚା ଲାଗିଲେ କି ସେ ଜୋତାହଳକ ପାଦକୁ ସୂତାଏ ଛୋଟ ହେଲେ, ବୈରାଗ ତାକୁ ଚାକର ପିଲାଙ୍କୁ ଦେଇଦିଏ ଓ ନିଜ ଲାଗି ନୂଆ ହଳେ ଜୋତା ତିଆରି କରାଇ ଆଣେ । ବାରମ୍ବାର ଜୋତା ଅର୍ଡ଼ର ଦେବାଲାଗି ତାକୁ ମୋଚିପଡ଼ାକୁ ଯିବାର ଆଉ ଏକ ସୁଯୋଗ ମିଳେ । ନିଜ ସାଙ୍ଗ ସାଥୀମାନଙ୍କ ଲାଗି କି ଚିହ୍ନା ପରିଚୟ ଲୋକଙ୍କ ପାଇଁ ନୂଆ ଜୋତା ଅର୍ଡ଼ର ଦେବାକୁ ସିଏ ସେମାନଙ୍କ ସାଥିରେ ଯାଏ । ସେଥିରେ ବି ମଝିରେ ମଝିରେ ସେଇ ପଡ଼ାଆଡ଼େ ଯିବାକୁ ତାକୁ ଆଉ ଗୋଟିଏ ବାହାନା ମିଳିଯାଏ । ଅନେକ ସାଙ୍ଗ ବୈରାଗକୁ କହନ୍ତି , ‘ମୋ ପାଦ ମାପ ତୋ ପାଦ ମାପ ସଙ୍ଗେ ସମାନ । ତୁମ ମୋଚିଠାରୁ ମୋ ଲାଗି ଏମିତିକିଆ ହଳେ ସୁନ୍ଦରିଆ ଜୋତା ବନେଇ ଆଣନ୍ତୁନି?’ ବୈରାଗ ଯାଇ ମୋଚିଘର ପାଖରେ ପହଞ୍ଚୁ ପହଞ୍ଚୁ ଡାକଛାଡ଼େ, ‘ସଲାମ ସିରାଜ କାକା!’ ସିରାଜ ବି ଘର ଭିତରୁ କୁହାଟ ଛାଡ଼େ, ‘ଆସ ଶାହା, ଆସ ।’ ଏତିକି କହି ସେ ପୁଣି ତା’ କାମରେ ଲାଗିଯାଏ ।

ତା’ପରେ ବୈରାଗ ଲାଗି ପିଢ଼ାଟିଏ ଆଣିବା ଲାଗି ତା’ ଝିଅ ନୂରକୁ ଡାକପକାଏ । ବୈରାଗ ଲାଗି ପିଢ଼ାଟି ପକାଇଦେଇ, ସେ ତା’ର ପାଦର ମାପ ନିଏ । ଏକଥା ଦେଖି ସିରାଜ ହସିହସି କହେ,‘ଆରେ, ତାଙ୍କ ପାଦ କ’ଣ ଫି’ମାସରେ ବଢ଼ି ଯାଉଛି? ତାଙ୍କ୍ ପାଦ ମାପ ପରା ମୋ ମନ ଭିତରେ । ମୁଁ ଯଦି ମୋ ଆଖି ବୁଜି ତାଙ୍କ ଲାଗି ଜୋତା ହଳେ ବନେଇଦେବି, ତା’ହେଲେ ବି ସେ ଜୋତା ତାଙ୍କ ଗୋଡ଼ଠୁ ସୂତାଏ କମି ବେଶୀ ହେବନି । ସେଇ ଝାଟିମାଟି ଝୁପୁଡ଼ି ଭିତରେ ବସି ଏମିତି ଗପସପ ଦୀର୍ଘ ସମୟ ଧରି ଚାଲିବ ।

ତା’ର ଏଇ ବର୍ତ୍ତମାନର ଜୋତା ହଳକ ବୈରାଗ ମନ ଭିତରେ ସେଇ ସୁନ୍ଦର ସ୍ମୃତିକୁ ପୁଣି ଥରେ ଉଜ୍ଜୀବିତ କରେ । ବୈରାଗ ସେଇ କଥା ଚିନ୍ତା କଲା ମାତ୍ରେ ଘଣ୍ଟା ଘଣ୍ଟା ଧରି ଭାବ ସମୁଦ୍ରରେ ଡ଼ୁବିଯାଏ ! ବୈରାଗ ତା’ର ସେ ପୁରୁଣା ଜୋତାହଳକୁ ଏବେ ଅନେକ ଦିନ ଧରି ସ୍ଲିପର ଭଳି ବ୍ୟବହାର କରି ଆସୁଥିଲା । ଜୋତାହଳକ ଫାଟି ଆଁ ମେଲା କରି ସାରିଥାଏ । ତେଣୁ ସେଥିରେ ବେଶ୍ ଧୂଳିମଳି ପଶିଯାଏ । ଏପରିକି, ତାକୁ ପିନ୍ଧିଲେ ବୈରାଗର ପାଦ କାଟେ । ପ୍ରତିଥର ସେ ଜୋତା ପିନ୍ଧି ବୈରାଗ ବାହାରିଲା ପୂର୍ବରୁ ତା’ର ଭାଉଜ ତା’ପାଦରେ ହୋଇଥିବା ଫୋଟକା ଉପରେ ପଟି ବାନ୍ଧିଦିଅନ୍ତି । ପଟି ବାନ୍ଧୁ ବାନ୍ଧୁ ବୈରାଗକୁ ଆକଟ କଲାପରି କହନ୍ତି,‘ଏ ପୁରୁଣା ଛିଣ୍ଡା ଜୋତାହଳକୁ ତୁମେ ଫିଙ୍ଗି ଦେଉନ କାଇଁକି? ସବୁଦିନ ସେ ଜୋତା ପିନ୍ଧି ତୁମ ପାଦ ଖଣ୍ଡିଆ ହେଉଛି ।’ ଏକଥା ଶୁଣି ବୈରାଗ ଉର୍ଦ୍ଦୁ ସାୟର ହାଲି ସା’ବଙ୍କ ସାୟରୀରୁ ପଦେ ଆବୃତ୍ତି କରି ଭାଉଜଙ୍କୁ ଶୁଣାଇଦିଏ ।

ଯାହାର ଅର୍ଥ ହେଲା- ‘ମୋ ବନ୍ଧୁଙ୍କ ସ୍ମୃତିର ଏଇ ଶେଷ ସନ୍ତକ ମୋ ପାଖରେ ଅଛି । ହେ ଆଲ୍ଲା! ମୋ କ୍ଷତ କେବେ ଭଲ ନ ହେଉ!’ ବୈରାଗକୁ ତା’ର ବାହାଘର ବିଷୟରେ ମନେ ପକେଇ ଦେବାଲାଗି ତା’ର ଭାଉଜ ଏଇ ଗୋଟିଏ ଅବସର ପାଆନ୍ତି । ତାଙ୍କର ଯେତେ ଝିଅଙ୍କ କଥା ମନେଅଛି, ସେସବୁ ଝିଅଙ୍କ ରୂପ ଗୁଣ ସେ ବଖାଣି ଚାଲନ୍ତି । ବୈରାଗ ବିରକ୍ତି ପ୍ରକାଶ କଲାପରି କହେ, ‘ଭାଉଜ, ତୁମେ ଏତେ ପଢ଼ାପଢ଼ି କରିନ । ତଥାପି ତୁମେ ଜଣେ ଭଲ ଚିତ୍ରକର ହୋଇପାରିବ । ଏପରିକି ତୁମ ହାତରେ ତୁଳିଟିଏ ଧରେଇଦେଲେ ତୁମେ ଅମୃତା ସେରଗିଲଙ୍କୁ ବି ପଛରେ ପକେଇଦେବ ।’ ଏପରି କହି ପ୍ରସଙ୍ଗଟିକୁ ବଦଳାଇ ଦେବା ଲାଗି ବୈରାଗ ଚେଷ୍ଟାକରେ ।

ଭାଉଜ କିନ୍ତୁ ନଛୋଡ଼ବନ୍ଧା । ସିଏ ତାକୁ ପରିହାସ କରିବା ଛଳରେ କହନ୍ତି, ‘ବୁଝିଲ, ଆଉ ଅଳ୍ପଦିନ ଯଦି ତୁମେ ବାହା ନ ହୋଇ ରହ, ତା’ହେଲେ କୌଣସି ବାପ ଆଉ ତୁମକୁ ତାଙ୍କ ଝିଅ ସାଙ୍ଗରେ ବାହା ଦେବେନି । ସାରା ଜୀବନ ତୁମେ ଏମିତି ବାଡ଼ୁଅ ,ଠେଙ୍ଗୁଆ ହୋଇ ରହିଯିବ । ଜାଣିଛ , ଲୋକେ ଆଜିକାଲି କୌଣସି ବାଡ଼ୁଅଙ୍କୁ ଘର ସୁଦ୍ଧା ଭଡ଼ାରେ ଘର ଦେଉ ନାହାନ୍ତି ।’

ବୈରାଗ ବିଗିଡ଼ି ଉଠି କହେ, ‘ଜୀବନରେ କେବଳ ବାହାହେବା ଏକମାତ୍ର କାମ ନୁହେଁ । ମା’ ଓ ଭାଉଜମାନେ ଏମିତି ଅଯଥାରେ ନିଜ ପୁଅ ଓ ଦିଅରଙ୍କ ଉପରେ ବିଗିଡ଼ନ୍ତି ।’ ତା’ପରେ ସେ ଦେଶର ବଛାବଛା କେତେଜଣ ଅବିବାହିତ ବିଶିଷ୍ଟ ଲୋକଙ୍କ ନାଁ ଗାଇଯାଏ । ବଙ୍ଗଳାର ମୁଖମନ୍ତ୍ରୀ ଡକ୍ଟର ବିଧାନଚନ୍ଦ୍ର ରାୟ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ସି ବି ଗୁପ୍ତା, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କାମରାଜ ନାଦର, ଭାରତର ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣମେନନ୍‌, ଇତ୍ୟାଦି, ଇତ୍ୟାଦି । ଏମାନେ କ’ଣ ସମସ୍ତେ ଅପଦାର୍ଥ ? ସେମାନେ ଚାହିଁଥିଲେ କ’ଣ ବାହା ହେବାଲାଗି ଝିଅଟିଏ ଲେଖାଏଁ ଯୋଗାଡ଼ କରିପାରି ନ ଥାଆନ୍ତେ?’ ବୈରାଗ ଏଭଳି ପ୍ରଶ୍ନ ନିଜ ଭାଉଜକୁ ପଚାରିବସେ । ତା’ଛଡ଼ା ପଞ୍ଜାବରେ ଏମିତି ଅନେକ ଅବିବାହିତ ଲୋକ ଅଛନ୍ତି, ଯେଉଁମାନେ ବେଶ୍ ଭଲ ସମାଜସେବା କରୁଛନ୍ତି । ଦେଶସେବାକୁ ସେମାନେ ନିଜ ଜୀବନର ଏକମାତ୍ର ବ୍ରତ ବୋଲି ଗ୍ରହଣ କରିଛନ୍ତି । ଏସବୁ କଥା ସେ ଭାଉଜଙ୍କୁ ଚେତେଇଦିଏ । ‘ତୁମର ସିଏ ବାଜେ କଥା ଶୁଣିବାକୁ ମୋ ପାଖରେ ବେଳ ନାହିଁ । ମୁଁ କିନ୍ତୁ କାଲି ସେ ଛିଣ୍ଡାଜୋତା ହଳକୁ ନେଇ ଅଳିଆ ଗଦାରେ ପିଙ୍ଗିଦେଇ ଆସିବି । ତୁମେ ଯେତେବେଳେ ସେ ଜୋତା ହଳକ ପିନ୍ଧି ବାହାରକୁ ଯାଉଛ , ଘରଦ୍ୱାର ସବୁ ମଇଳା ହେଉଛି । ମୁଁ ଏତେ ସଫା କରି ପାରିବିନି ।’ ଭାଉଜ ପ୍ରତିବାଦ କଲାଭଳି ସ୍ୱରରେ କହନ୍ତି ।

‘ତା’ହେଲେ ସେ ଛିଣ୍ଡାଜୋତା ହଳକ ସାଙ୍ଗରେ ବାହାଘରର କି ସମ୍ପର୍କ ଅଛି?’ ବୈରାଗ ନିଜର ଯୁକ୍ତିକୁ ଆହୁରି ଦୃଢ଼ କରିବା ଭଳି ପଚାରେ । ବୈରାଗ କେତେବେଳେ ସୁଦ୍ଧା ନିଜ ଭାଉଜଙ୍କ କଥା ପ୍ରତି ବିଶେଷ ଧ୍ୟାନ ଦିଏନି । ଭାଉଜ ବି କେତେ ଏମିତି ରାଗକରି ବୈରାଗ ସହ କଥାବାର୍ତ୍ତ ହୁଅନ୍ତିନି । ଦିଅର-ଭାଉଜଙ୍କ ଭିତରେ ସଦାବେଳେ ଏମିତି ହସ ପରିହାସ ଚାଲେ ।

ବୈରାଗ କିନ୍ତୁ ତା’ ଭାଉଜଙ୍କ ଆଖିର ଭାଷା ଓ ଓଠର ହସର ମହତ୍ତ୍ୱକୁ ଠିକ୍ ବୁଝିପାରେ । ଭାଉଜ ବି ବୈରାଗ ମନର ଭାବ ଓ ଆବେଗକୁ ଠିକ୍ ଠଉରାଇ ପାରନ୍ତି । ସତକୁ ସତ, ତା’ପରଦିନ ସନ୍ଧ୍ୟାବେଳେ ଭାଉଜ ରାସ୍ତାକଡ଼ ମଇଳା ଗଦାରେ ସେ ଛିଣ୍ଡାଜୋତା ହଳକୁ ଫିଙ୍ଗିଦେଇ ଆସିଲେ । ସେ ଭାବିଥିଲେ ଜରିଗୋଟାଳି କେହି ସେ ଜୋତାକୁ ସେଠାରୁ ନେଇଯିବେ । କିନ୍ତୁ ତା’ପର ଦିନ ସକାଳୁ ସେ ଡ୍ରଇଂରୁମ୍‌ ବାହାରେ ଜୋତା ହଳକ ଥୁଆ ହୋଇଥିବାର ଆବିଷ୍କାର କଲେ । ଏକଥା ଦେଖି ତାଙ୍କୁ ହସ ମାଡ଼ିଲା । ସେ ଭାବିଲେ ପୁଣି ଥରେ ନେଇ ସେ ଜୋତାକୁ ବାହାରେ ଫିଙ୍ଗିଦେବେ । କିନ୍ତୁ କାର୍ଯ୍ୟବ୍ୟସ୍ତତା ଭିତରେ ସେକଥା ସିଏ ପୂରାପୂରି ଭୁଲିଗଲେ ।

‘ଭାଉଜ, ତୁମେ କ’ଣ ଭାବୁଛ, ଯାହାକିଛି ପୁରୁଣା ହୋଇଯିବ, ଅଦରକାରୀ ହୋଇଯିବ, ଆମେ ତାକୁ ଫିଙ୍ଗିଦେବା? ତା’ ଜାଗାରେ ନୂଆ ଜିନିଷଟିଏ ନେଇ ଆସିବା?’ ସେଦିନ ବୈରାଗ ବେଶ୍ ଗମ୍ଭୀର ସ୍ୱରରେ ଭାଉଜଙ୍କୁ ପଚାରିଥିଲା ।

‘ମୁଁ ବୁଝିପାରୁଛି , ତୁମେ କ’ଣ କହିବାକୁ ଚାହୁଁଛ । କିନ୍ତୁ ନୂଆ ସାଙ୍ଗରେ ପୁରୁଣା ଚିଜକୁ ବ୍ୟବହାର କରୁଥିବା ଲୋକଙ୍କ କଥା ତୁମେ କାଇଁକି ଭୁଲିଯାଉଛ?’ ବୈରାଗ ବୁଝିପାରୁ ନ ଥିଲା, ଭାଉଜଙ୍କ ସାଙ୍ଗରେ ଏ ବିଷୟରେ ଆଉ କ’ଣ ଯୁକ୍ତି କରିବ । ଶେଷରେ ସେ ମନରେ କ୍ଷୋଭ ଓ ବିରକ୍ତି ପ୍ରକାଶ କରିବା ଭଳି କହିଲା, ‘ମୁଁ ଭାବୁଛି, ଗଲାଥର ପାକିସ୍ତାନ ବୁଲିଗଲାବେଳେ ଏ ଜୋତା ହଳକୁ ଆଣିନଥିଲେ ଭଲ ହୋଇଥାନ୍ତା ।’

ବଡ଼ ବିଚିତ୍ର ସଂଯୋଗ ଥିଲା । ସେଥର ବୈରାଗର ଭାଉଜ ଜୋର୍‌ ମେଳା ଦେଖିବାକୁ ଲାହୋର ଯାଇଥିଲେ । ଜୋରମେଳା ସବୁ ପଞ୍ଜାବୀଙ୍କ ଲାଗି ଏକ ତୀର୍ଥସ୍ଥାନ । ସେଇ ମେଳାରେ ହଠାତ୍ ସିରାଜ ସହ ତାଙ୍କର ଭେଟ ହୋଇଥିଲା । କୌଣସି ଜଣେ ତୀର୍ଥଯାତ୍ରୀଙ୍କ ହାତରେ ବୈରାଗ ଲାଗି ଜୋତାହଳେ ପଠାଇବେ ବୋଲି ସିିରାଜ ରାଓଲପିଣ୍ଡିରୁ ଲାହୋର ଆସିଥିଲା । ସୌଭାଗ୍ୟକୁ ତା’ର ବୈରାଗର ଭାଉଜ ସାଙ୍ଗରେ ଭେଟ ହୋଇଯାଇଥିଲା ।

ଭାଉଜ ବୈରାଗକୁ ପଚାରିଥିଲେ, ‘ଜୋତାହଳକ ଆଣିଲେ କ୍ଷତି କ’ଣ ହେଲା ?’

‘କ୍ଷତି କିଛି ନାହିଁ । ମୁଁ କିନ୍ତୁ କେବଳ ତୁମକୁ କହିଥିଲି ଯେ ନୂର ଏବେ ନୂରୁ ହୋଇସାରିଲାଣି ବୋଲି ସିରାଜ ମୋତେ କହୁଥିଲା । ତା’ ନିଜ ହାତରେ ନୂରୁ ଏ ଜୋତା ହଳକ ବନେଇଥିଲା । ତା’ପରେ ଲାହୋରର ଜୋରମେଳାକୁ ସେ ଜୋତା ହଳକୁ ନେଇଯିବା ପାଇଁ ସେଇ ନିଜେ ଜିଦ୍‌ ଧରିଥିଲା । ସେଠାରେ ଭାରତରୁ ଆସିଥିବା ଅନେକ ତୀର୍ଥଯାତ୍ରୀ ଦେଖାହେବେ । ସେମାନଙ୍କ ହାତରେ ଜୋତା ହଳକୁ ସହଜରେ ଭାରତ ପଠେଇ ହେବ । ତୁମେ ସେ ଜୋତା ହଳକ ପାଇ କେଡ଼େ ଖୁସି ହୋଇଥିଲ! ତୁମ ମୁହଁରେ ସେଦିନ କି ଆତ୍ମତୃପ୍ତିର ହସ ଉକୁଟି ଉଠିଥିଲା!’ ‘ଭାଉଜ, ତୁମେ ଅଯଥାରେ କଥାଟାକୁ ଲମ୍ବାଉଛ ।’ ତା’ ମନକୁ ବାଧିବା ଭଳି, ବୈରାଗ ନିଜର ବିରୋଧାଭାଷ ପ୍ରକଟ କରିଥିଲା ।

‘ତୁମେ ଭାବିଛ, ଏ କଥା ଆଉ କାହାକୁ ଅଛପା ନାହିଁ । ତୁମ ଭାଇ ବି ସବୁକଥା ଜାଣିଛନ୍ତି । କ’ଣ ଭୁଲିଗଲଣି କି, ଥରେ ତୁମେ ଯାଇ ପରା ସିରାଜ ଘରେ ଖାଇପିଇ ଆସିଥିଲ? ଗାଆଁଲାକେ କଥାଟାକୁ ଧରି ବସିଥିଲେ । ଧରିବା ସ୍ୱାଭାବିକ ଯେତେହେଲେ, ହିନ୍ଦୁଲୋକ । ମୁସଲମାନ ଘରେ ଖାଇଲେ ଅନ୍ୟମାନେ ଖୁଣିବେ । ଏକଥା କେହି କେବେ କରନ୍ତିନି ।

ସେଥିଲାଗି ଗାଆଁଲାକେ ତୁମ ଭାଇଙ୍କୁ କେତେ ହଇରାଣ କରି ନାହାନ୍ତି! ତୁମ ଭାଇ ଶେଷରେ ସିରାଜକୁ ଏକଥା ପଚାରିଥିଲେ । ପ୍ରଥମେ ତ ସିରାଜ ବି ମାନୁ ନ ଥିଲା । ପରେ ସେ ସବୁ ମାନିଥିଲା ଓ କହିଥିଲା, ‘ହଁ । ହେଲେ ନୂରୁ ସିଏ ରୁଟିକୁ କ୍ଷୀରରେ ସେକିଥିଲା । ପାଣିରେ ନୁହେଁ । ମୁସଲମାନମାନେ ସିନା କେବଳ ପାଣିକୁ ଛୁଇଁଲେ, ସିଏ ମାରା ହୋଇଯାଏ । କ୍ଷୀର ତ ମାରା ହେବନି । ଆଉ ମୋର ଯାହା ମନେପଡ଼ୁଛି, ତୁମେ ବି ମୁସଲମାନ ଘରେ ଖାଇପିଇ ଆସିଥିଲ ବୋଲି ନିଜେ ମାନିଥିଲ ।’

ବୈରାଗ କିଛି ନ କହି ନୀରବ ରହିଲା । ସେଇ ପୁରୁଣା ଦିନର ସ୍ମୃତିରେ ସେ ପୂରାପୂରିି ଡ଼ୁବିଗଲା । ତାକୁ ଆହୁରି ଚିଡ଼ାଇବା ଲାଗି ଭାଉଜ ପୁଣ କହିିି ଚାଲିଲେ, ‘ହଁ, ସିରାଜ ଏଥର ଜୋତା ହଳକ ଦେଲାବେଳେ ବି କହିଥିଲଯେ ତାଙ୍କର ଏ ଜୋତାହଳକ ଶେଷ ଉପହାର । କାରଣ, ସିଏ ନିଜେ ବୁଢ଼ା ହୋଇଗଲାଣି ଓ ‘ନୂରୁ’ ଏବେ ‘ନୂର ଭାବୀ’ ହୋଇ ସାରିଲାଣି । ମୁଁ ସାଙ୍ଗରେ ନେଇଥିବା ନୂଆ ସିଲକ୍ ସୁଟ୍‍ଟା ତାକୁ ଦେଇ କହିଥିଲି ନୂରକୁ ତା’ ବାହାଘର ବେଳେ ଦେଇଦେବା ଲାଗି ।’

ବୈରାଗ କହିଲା, ‘ସମୟ ବଦଳି ଗଲାଣି । ଏବେ ହିନ୍ଦୁ – ମୁସଲମାନ ଏକାଠି ବସି ଖାଇଲେ କେହି କିଛି ଚିନ୍ତା କରିବାର ନାହିଁ । ମୁଁ ଭାବୁଛି , ଆମେ ସେପରି ସଂକୀର୍ଣ୍ଣ ଚିନ୍ତାଧାରାକୁ ଢେର୍ ପଛରେ ଛାଡ଼ି ଆସିଛେ ।’ କିନ୍ତୁ ଏଥିଲାଗି ଆମକୁ କ’ଣ ତ୍ୟାଗ କରିବାକୁ ପଡ଼ିଛି , ସେକଥା ଜାଣିଛ ନା ନାହିଁ? ଆମେ ସିନା ଏକାଠି ବସି ଖାଉଛେ , ପିଉଛେ । ହେଲେ ଆମ ଭିତରେ ବି ବିଭାଜନ ଘଟିଛି । ସୀମାରେ ଢେର୍ କାଇଦା କଟକଣା । ନିଜ ଲୋକଙ୍କୁ ସୁଦ୍ଧା ଭେଟିବା ଉପରେ ପାଞ୍ଚ ଆଇନ୍ ଜାରି । ସେଇଥିଲାଗି ପାସପୋର୍ଟ, ଭିସା, ଆହୁରି କେତେ କ’ଣ ଦରକାର । ଜଣେ ନିଜ ଜନ୍ମସ୍ଥାନ, ଭିଟାମାଟିକୁ ଦେଖିବାକୁ ସୁଦ୍ଧା ଯାଇ ପାରିବନି!’ ଭାଉଜ ଏକ ଦୀର୍ଘ ଭାଷଣ ଦେବା ପରି କହିଲେ । ଶେଷରେ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ, ‘ଏବର୍ଷ ହେଲେ ଆମେ ପୁଞ୍ଜ୍ ସାହିବ ଦର୍ଶନରେ ପୁଣିଥରେ ଯାଇପାରନ୍ତେ!’

ବୈରାଗ ଏକଥା ମନେରଖିଲା ଓ ନିଜ ଭାଉଜଙ୍କ ଇଚ୍ଛାକୁ ପୂରଣ କରିବା ଲାଗି ପୁଞ୍ଜ ସାହିବ ଦର୍ଶନ ନିମନ୍ତେ ସବୁପ୍ରକାର ବନ୍ଦୋବସ୍ତ କରିବାକୁ ଲାଗିଲା । ପବିତ୍ର ବୈଶାଖୀ ଦିନ ସେମାନେ ପୁଞ୍ଜ ସାହିବ ବୁଲି ଦେଖିବେ ।

ବୈଶାଖୀ ପର୍ବର ଠିକ୍ ଗୋଟିଏ ଦିନ ଆଗରୁ ସେମାନେ ଯାଇ ରାଓଲପିଣ୍ଡି ରେଳଷ୍ଟେସନରେ ପହଞ୍ଚିଥିଲେ । ସେମାନଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେବାକୁ ସେଠାକୁ ସିରାଜ ଓ ନୂର ଭାରି ଆସିଥିଲା । ଏକଥା ଦେଖି ସମସ୍ତେ ଖୁସି ହୋଇଯାଇଥିଲେ । ନୂର ଭାରି କୋଳରେ ଛୋଟ ଛୁଆଟିଏ କାଖେଇଥିଲା । ଭାଉଜ ନୂର ଭାରି କୋଳରୁ ଶିଶୁଟିକୁ ନେଇଯାଇ ଗେଲ କରିଚାଲିଲେ । କିଛି ସମୟ ପରେ ତା’ ମୁହଁକୁ ଚାହିଁ ହଠାତ୍ କହିଉଠିଲେ, ‘ଆରେ, ଇଏ ତ ଗୋଟାପଣେ ଆମ ବୈରାଗ ପରି ଦିଶୁଚି । ନୂର ଭାରି ଏକଥାକୁ ଶୁଣି ପାରିଲା । ସତେ ଯେପରି ତା’ଦେହରୁ ଗୋଟିଏ ଝାଳ ବୋହିଗଲା । ଠିକ୍ ଏଇ କଥା ତ ତାଙ୍କ ପଡ଼ିଶାଘରର ଜଣେ ସ୍ତ୍ରୀଲୋକ କିଛିଦିନ ତଳେ କହୁଥିଲା !

ସିରାଜ ନିଜ ବ୍ୟାଗରୁ ହଳେ ଜୋତା ବାହାରକରି ବୈରାଗ ଆଡ଼େ ବଢ଼େଇ କହିଲା, ‘ନୂର ତା’ ବାହାଘର ଆଗରୁ ଏ ଜୋତା
ହଳକ ତୁମ ଲାଗି ନିଜ ହାତରେ ବନେଇଥିଲା । ନିଅ ।’

ନୂରୁ ଭାରି ପିଲାଟିଏ ହୋଇଥିଲା, ଯେତେବେଳେ ତା’ମା’ ମରିଯାଇଥିଲା । ତେଣୁ ବାପାଠାରୁ ହିଁ ସେ ସବୁ ସ୍ନେହ ପାଇଥିଲା । କିନ୍ତୁ କାହିଁକି କେଜାଣି, ବୈରାଗକୁ ଦେଖିଲେ ତା’ମନ ଖୁସିରେ ଭରିଉଠେ । ସେଇଥିଲାଗି ତ ଥରେ ସିଏ ବୈରାଗକୁ ନିଜ ଘରେ ରୁଟି ଖୁଆଇ ଦେଇଥିଲା । ଆଉ ସେ ରୁଟିକୁ ସେ ନିଜ ହାତରେ କ୍ଷୀରରେ ତିଆରି କରିଥିଲା । ହେଲେ ସେଇ ଗୋଟିଏ ଥର । ଆଉ ଥରେ ଖୁଆଇବା ଲାଗି ତା’ର ସାହସ କୁଳେଇ ନଥିଲା । ଗାଆଁଲୋକେ ସେଇ କଥାକୁ ନେଇ ତ ମହାଭାରତ ସୃଷ୍ଟି କରି ଦେଇଥିଲେ । ନୂରୁ ସେତେବେଳକୁ ବେଶ୍ ବଡ଼ ହୋଇ ସାରିଥିଲା । ଦିନେ ବୈରାଗ ଆସି ତାଙ୍କ ଘରେ ପହଞ୍ଚିଲା ବେଳକୁ ଘରେ ନୂରୁ ଛଡ଼ା ଆଉ କେହି ନ ଥାନ୍ତି । ନୂରୁ କବାଟ କିଳି ଭିତରେ ରହିଲା । ବୈରାଗକୁ ଭିତରକୁ ଆସିବାକୁ ଦେଲାନି । ଭିତରୁ ବଡ଼ପାଟିରେ କହିଥିଲା, ‘ଆବ୍‌ବା ଘରେ ଥିଲାବେଳେ ଆସିବ ଏବେ ତୁମେ ଯାଅ । ଘରେ କେହି ନ ଥିଲେ ମୁଁ ଜମ୍ମା ଦୁଆର ଖୋଲିବିନି ।’

ସେମାନେ ସମସ୍ତେ ଏକାଠି ମିଶି ପୁଞ୍ଜ୍ ସାହିବ୍ ଅଭିମୁଖେ ଯାତ୍ରା କଲେ । ବୈରାଗ ଓ ନୂରୁ, ସିରାଜ ଓ ଭାଉଜ । ପୁଞ୍ଜ ସାହିବ୍‌ଠାରେ ବାହେଗୁରୁଙ୍କ ପାପୁଲି ଚିହ୍ନ ଅଛି । ଈଶ୍ୱରଙ୍କୁ ଜଣା ଭାଉଜ ତାଙ୍କ ଦିଅରଙ୍କୁ ବାହା କରାଇବା ଉଦ୍ୟମରେ ସଫଳ ହୋଇଥିଲେ କି ନାହିଁ । କିନ୍ତୁ ସେମାନେ ଆଉ ହଳେ ନୂଆ ଜୋତା କିଣିଥିଲେ ଓ ଦୁହିଁଙ୍କ ଭିତରେ ସେ ଛିଣ୍ଡା ଜୋତାହଳକ ଲାଗି ଆଉ କେବେ ଝଗଡ଼ା ଲାଗିନଥିଲା ।

 

ଅନୁସୃଜନ: ସୁଭାଷ ଶତପଥୀ  
ମୋ: ୯୭୭୬୪୯୭୭୩୩