Latest Odisha News

BREAKING NEWS

ବ୍ୟଙ୍ଗ : ଟାଇମ ପାସ୍

 ଓଁ ଅଭିଜ୍ଞାନ ସାହୁ

କଥା କ’ଣ କି ଏଇ ଗତବର୍ଷ ଲକ ଡାଉନର ଦୁଇ ଦିନ ପୂର୍ବରୁ ଆମ ଶ୍ରୀମତୀଙ୍କ ମୋବାଇଲ ଖରାପ ହୋଇଯାଇଥିଲା । ତାଙ୍କ ଦୁର୍ଯୋଗକୁ ଫୋନ ସଜଡ଼ା ହେବା ପୂର୍ବରୁ ଲକଡାଉନ ଘୋଷଣା ହୋଇଗଲା । ମୋବାଇଲ ପ୍ରିୟ ଘରଣୀ ଏବେ ଦିନ ଯାକ ଖାଲି ରାମ୍ପି ବିଦାରି ହୋଇ କରୋନାର ଚଉଦ ପୁରୁଷ ଉଝାଳୁଛନ୍ତି । ବହୁତ ଆଶା କରିଥିଲେ ଅଳ୍ପଦିନ ପରେ ବଜାର ସବୁ ଖୋଲିଯିବ । କିନ୍ତୁ ହାୟ ଲାକଡାଉନଟା ଦିନକୁ ଦିନ ବଢି ଚାଲିଲା । ତାଙ୍କର ମୋବାଇଲ ଖରାପ ଯୋଗୁଁ ଯଦି ସବୁଠୁ କିଏ ବେଶି ଚିନ୍ତିତ ଥାଏ, ସେ ହେଲା ମୁଁ । କାରଣ ତାଙ୍କ ଫ୍ରି ସମୟତକ ସେ ତାଙ୍କ ପ୍ରିୟ ମୋବାଇଲ ସହ ବିତଉଥିବା ବେଳେ ମୁଁ କିଛି ପଢିବା ପାଇଁ ନିରୋଳା ସମୟ ପାଏ । ଏବେ ତାଙ୍କ ପ୍ରିୟ ଟାଇମ ପାସ ଜିନିଷଟି ପାଖରେ ନଥିବା ହେତୁ ଯେତେବେଳେ ସେ ମୋ ପାଖରେ ‘ଟାଇମ ପାସ’ କରିବାକୁ ଆସୁଛନ୍ତି ସେତେବେଳ ମୋ ଚିନ୍ତା ବଢିଯାଉଛି । କାରଣଟି ତାଙ୍କ ଗପୁଡ଼ି ଗୁଣ । କଥା କେଉଁଠୁ ବି ଆରମ୍ଭ ହୋଇପାରେ । କଥା ତାଙ୍କ ଗାଁ ବାଟ ଦେଇ ଦେଶ ବିଦେଶ ବୁଲି ବୁଲି ଶେଷରେ ମୋ ପାଖକୁ ଆସେ । ଯାହା ବିଷୟରେ ହେଉ, ଯେଉଁ ପ୍ରସଙ୍ଗରେ ହେଉ କିନ୍ତୁ କଥା ମୋ’ଠି ସରେ । ଏ ଜବର୍ଦସ୍ତିଆ ଟାଇମ ପାସ୍ର ମୂଳ କାରଣ ଯେ ମୋବାଇଲ ସେଇଟା ମୋତେ ଅଛପା ନଥିଲା । ଅଗତ୍ୟା ଏ ଚାପଗ୍ରସ୍ତ ପରିସ୍ଥିତିରୁ ମୁକୁଳିବା ପାଇଁ ଚାରିଦିନ ତଳେ ତାଙ୍କୁ ମୋ ନିଜ ମୋବାଇଲଟି ଦେଇଛି । ଏମିତିରେ ମୋର ମୋବାଇଲ ସହ ନିବିଡ଼ତା କେବଳ ବ୍ୟବସାୟ ପର୍ଯ୍ୟନ୍ତ ସୀମିତ । ସହଜେ ତ ଏବେ ବ୍ୟବସାୟ ନାହିଁ । ଲଫା ଘର ବନ୍ଦ, ଯାହା ଗଫା ଘର ଖୋଲା ଅଛି । ଦିନକୁ ଦୁଇଥର ଚାର୍ଜରେ ବସୁଥିବା ମୋ ମୋବାଇଲ ଏବେ ଦୁଇଦିନରେ ଥରେ ଚାର୍ଜ ହେଉଛି ।

ଯାହାହେଉ ମୋବାଇଲଟି ପାଇଲା ପରେ ପତ୍ନୀଙ୍କ ଚିଡ଼ଚିଡା ସ୍ୱଭାବରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରୁଛି । ଏହା ଭିତରେ ମୋ ଫୋନରେ ସେ ତିନି ଚାରିଟା ଫୋଟ ବିଉଟିଫାଏ ଆପ ଡାଉନଲୋଡ ସହ ବେଶ କିଛି ସମଧର୍ମୀ ଗପୁଡି ଟାଇମ ପାସ ସାଙ୍ଗଙ୍କ ଫୋନ ନମ୍ବର ସେଭ କରିସାରିଲେଣି । ହଉ,ଭଲ ହେଲା । ଘରଣୀ ଖୁସିହେଲେ ଘରଟା କାଳେ ସ୍ୱର୍ଗ ପାଲଟି ଯାଏ । ଏଇଟା କେହି ଦାର୍ଶନିକ କହିନାହାନ୍ତି । ବାହାଘର ଦିନ ଝିଅ ବିଦାବେଳେ ଖୋଦ ମୋ ଶାଶୁ ମୋତେ ଏ ଗୁରୁବାଣୀ ଦେଇଥିଲେ । କିନ୍ତୁ ସେ ତାଙ୍କ ସାଙ୍ଗମାନଙ୍କ ସହ ହ୍ଵାଟ୍ସଆପରେ ବ୍ୟସ୍ତ ରହିଲେ ପଢା ପଢି ପାଇଁ ମୁଁ ମୋ ହଜିଲା ନିରୋଳା ସମୟ ତକ ଫେରିପାଇବି ବୋଲି ଯେଉଁ ଧାରଣା ଥିଲା ତାହା ଯେ ଏକ ବିରାଟ ଭ୍ରମ ଏହା ଦିନକ ପରେ ସ୍ପଷ୍ଟ ହୋଇଗଲା । ସେ ତାଙ୍କ ହ୍ଵାଟ୍ସଆପ ମେସେଜ ସବୁ ପଢୁ ପଢୁ ଏବେ ମୋ ହ୍ଵାଟ୍ସଆପ ମେସେଜ ଉପରେ ବି ଆଖି ବୁଲେଇଲେଣି ।
— ” ଏ ଝିଅ ଟା କିଏ । ତୁମକୁ କାହିଁକି ରୋଜ ଗୁଡ଼ ମର୍ଣିଂ ମେସେଜ ଦେଉଛି ?”
— “ତୁମ ଲେଖା ଉପରେ କାହିଁକି ଅଧିକା ଝିଅମାନେ କମେଣ୍ଟ କରୁଛନ୍ତି ?”
— “ଏ ଲୋକ କିଏ ? ଏତେ ସୁନ୍ଦର ସୁନ୍ଦର ଗପ ଲେଖୁଛନ୍ତି ଆଉ ତୁମେ କାହିଁକି ଏମିତି ମାଡୁଆ ଗପ ସବୁ ଲେଖୁଛ ?”
— “ତୁମ ସାଙ୍ଗମାନେ ତାଙ୍କ ପ୍ରୋଫାଇଲରେ ନିଜ ସ୍ତ୍ରୀଙ୍କ ସହ ଯୁଗଳ ଫୋଟ ରଖିଛନ୍ତି, ତୁମେ କାହିଁକି ତୁମର ଗୋଟିକିଆ ଫୋଟ ରଖିଛ ?” ଇତ୍ୟାଦି ଇତ୍ୟାଦି।

ଆଚ୍ଛା ଭଲା ଲୋକ ଆକାଶରୁ ଖସି ଖଜୁରୀ ଗଛରେ ଲାଖିଲା । ଗୋଟିଏ ଟାଇମ ପାସ ଚାପରୁ ମୁକୁଳିବା ପାଇଁ ହୁଇସିଲ ମାରି ଆଉ ଗୋଟେ ଚାପକୁ ନିମନ୍ତ୍ରଣ ଦେଲି । ଏବେ ପରିସ୍ଥିତି ଏମିତି ଯେ ପତ୍ନୀଙ୍କ ଆଗରେ ନିଜକୁ ଶ୍ରେଷ୍ଠ, ନିରୀହ, ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ତାଙ୍କୁ ପୂର୍ବାପର ଘଟଣା ସହ ବୁଝଉ ବୁଝଉ ମୋତେ ଦିନ ଅଣ୍ଟୁନି । ଗତକାଲି ସକାଳେ ସେ ମୋର ଗୋଟେ ସାଙ୍ଗ ମାନଙ୍କ ହ୍ଵାଟ୍ସଆପ ଗ୍ରୁପକୁ ଖୋଲି ପଢୁ ପଢୁ ଗୋଟିଏ ଜାଗାରେ ଅଟକି ଗଲେ । ଥରେ ଦୁଇ ଥର ପଢିଲା ପରେ ପଚାରିଲେ,” ଏ ସୌଭାଗ୍ୟ ବାବୁ କିଏ ? ସେ କଣ ତୁମ ସାଙ୍ଗରେ ପଢୁ ଥିଲେ? କେତେ ଭଲ ଭଲ ପୋଷ୍ଟ ସବୁ ପଠଉଛନ୍ତି ।” ମୁଁ କହିଲି , “ଯଦିଓ ସେ ଆମ ସାଙ୍ଗ କିନ୍ତୁ ତାଙ୍କ ଆଚରଣ ଆମ ସମସ୍ତଙ୍କ ବଡ଼ ଭାଇ ପରି । ବଡ ଭାଇଙ୍କ ପରି ସବୁ ବେଳେ ଭଲ ଉପଦେଶ ଦିଅନ୍ତି। ପ୍ରତିଦିନ ସ୍ୱାମୀ ବିବେକାନନ୍ଦ, ଡ଼ଃ ଅବଦୁଲ କାଲାମ ଓ ଚାଣକ୍ୟଙ୍କ ପରି ଅନେକ ମହାପୁରୁଷଙ୍କ ନୀତିବାଣୀ ଗ୍ରୁପରେ ପୋଷ୍ଟ କରନ୍ତି । ଅସଂଖ୍ୟ ପ୍ରବଚନ ଭିଡ଼ିଓର ଗନ୍ତାଘର ସିଏ । ସେଥିରୁ ବି ପ୍ରତିଦିନ ଦୁଇଟି ଗ୍ରୁପରେ ଦିଅନ୍ତି । ଭଲ ମଣିଷ ହେବା ପାଇଁ ଗୀତାବାଣୀରୁ ଗୋଟେ ଶ୍ଳୋକ ବି ପଠାନ୍ତି । ଏ ସବୁ ବାଦେ ସବୁଦିନ ସକାଳୁ ଜଗନ୍ନାଥଙ୍କ ଗୁଡମର୍ଣିଂ ଭଜନ ପୋଷ୍ଟ କରିବାକୁ କେବେ ଭୁଲନ୍ତି ନାହିଁ । ତାଙ୍କ ପୋଷ୍ଟ ସବୁ ଦେଖିଲେ ଲାଗେ ଯେମିତି ପାପୀମାନଙ୍କୁ କୋଟି ଜନ୍ମ ପାପରୁ ମୁକ୍ତି ଦେବା ପାଇଁ ହ୍ଵାଟ୍ସଆପ କମ୍ପାନୀ ତାଙ୍କୁ ଏ ଗୁରୁଦାୟିତ୍ୱ ଦେଇଛି । କିନ୍ତୁ ଦୁର୍ଭାଗ୍ୟ ଯେ କେହି ଜଣେବି ତାଙ୍କ କଥାକୁ ମାନି ଚଳୁ ନାହାନ୍ତି । ମାନୁ ଥିଲେ ଆଜି ଆମ ଗ୍ରୁପରେ କେତେ ମୁନି ଋଷି ବହାରିସାରନ୍ତେଣି ।” ମୋ କଥା ନ ସରୁଣୁ ପତ୍ନୀ କହିଲେ ,”ଦୁର୍ଭାଗ୍ୟ ତାଙ୍କର ନୁହେଁ, ତୁମର । ତୁମର ଏତେ ସବୁ ଜ୍ଞାନୀ ଗୁଣି ଆଉ ଭଲ ସାଙ୍ଗ ମାନେ ଥାଉ ଥାଉ ତୁମେ ଏତେ ଖରାପ ହେଲ କେମିତି ?”
ତାଙ୍କ କଥା ଶୁଣି ମୁଁ ଚଢା ଗଳାରେ କହିଲି, “ସବୁ ଭଲ ପରିବା ଭିତରେ ବି ଗୋଟେ ସଢା ପରିବା ଥାଏ । ଦୋକାନୀ ସେ ସଢାଟା ତୁମକୁ ଦେଇ ଠକି ଦେଇଛି । ଏବେ କୁହ ତୁମର ଏତେ ବୁଦ୍ଧି ଥାଉ ଥାଉ ଦୋକାନୀ କେମିତି ତୁମକୁ ଠକିଦେଲା ? ଦିନ ଯାକ ସେ ତରଙ୍ଗ ଚାନେଲ, ଫେସ୍ ବୁକ ଆଉ ଏ ହ୍ଵାଟ୍ସଆପ ଛାଡି ଭାଇଙ୍କ ଲେଖା ପଢ଼ କିଛି ନ ହେଲେ ତୁମ ପ୍ରଭାବରେ ଛୁଆ ମନେ ମଣିଷ ହୋଇଯିବେ ।

ରାତିରେ ଶୋଇବା ପୂର୍ବରୁ ଶ୍ରୀମତୀ କହିଲେ “ମୁଁ ଆଜି ଦିନଯାକ ସୌଭାଗ୍ୟ ବାବୁଙ୍କ ଲେଖା ସବୁ ପଢ଼ୁଥିଲି । ଚାରି ପାଞ୍ଚଟା କଥା ବୁଝିପାରୁନି । ଟିକେ ବୁଝେଇ ଦେଲ ।” ମୁଁ କହିଲି- “ଥାଉ ଆଜି ରଖିଦିଅ । କାଲି ସକାଳେ ଆଉ ଗୋଟେ ନୂଆ ଆସିବ । ସାଙ୍ଗ ହୋଇ ପଢିବା ଆଉ ବୁଝା ବୁଝି ହେବା । ଅବିକା ଶୋଇ ପଡ ।” ଶ୍ରୀମତୀ କହିଲେ “ହୁଁ ଫୁଲୁଛ । ତୁମ ସାଙ୍ଗ ଏତେ ସୁନ୍ଦର କଥା ସବୁ ପଠେଇଛନ୍ତି, ମୁଁ ଟିକେ ବୁଝିପାରୁନି ବୋଲି ପଚାରୁଛି । କଣ ନା ଶୋଇପଡ କାଲିକି ଦେଖିବା । ହଉ ନ କହିଲେ ନାହିଁ । ଏ ଜନ୍ମରେ ତୁମେ ଆଉ ସୁଧୁରିବ, ସେ ଆଶା ମୋତେ ଦେଖା ଯାଉନି ।” ମୁଁ କହିଲି “ଥାଉ ଆଉ ବୋର୍ କରନି । ସେ ପ୍ରବଚନ, ନୀତିବାଣୀ କିଛି ବୁଝି ପାରୁନି ବୋଲିତ ମୁଁ ଏଇଠି ତୁମ ପାଖରେ ଅଛି । ଯଦି ସେ ସବୁ ବୁଝି ଆତ୍ମସ୍ଥ କରିଥାନ୍ତି ତେବେ କେବେଠୁ କୌପୀନ ପିନ୍ଧି ହିମାଳୟ ଯାଇସାରନ୍ତିଣି ।

ବନମାଳି ଭବନ , ଖାନ ନଗର
କଟକ

Comments are closed.