ଝାରସୁଗୁଡ଼ା: ପାରମ୍ପରିକ ସଉରା କଳାକୁ ଆଧୁନିକ ବଜାର ସହ ଯୋଡ଼ିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ାର ମହିଳା କାରିଗରମାନଙ୍କ ପାଇଁ ଏକ ତିନିଦିନିଆ ହସ୍ତଶିଳ୍ପ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି। ବେଦାନ୍ତ ଆଲୁମିନିୟମର ‘ବେଦକଳା’ ପ୍ରକଳ୍ପ ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିବା ବେଳେ ୬୦ରୁ ଅଧିକ ମହିଳା କାରିଗର ଏଥିରେ ପ୍ରଶିକ୍ଷଣ ନେଇଛନ୍ତି।
ବେଦକଳା ଏକ୍ସପିରିଏନ୍ସ ସେଣ୍ଟରରେ ଫର୍ଷ୍ଟ ସୂତ୍ର ଫାଉଣ୍ଡେସନ୍, ଓଡ଼ିଶା ଜୀବିକା ମିଶନ୍ (ଓଏଲଏମ୍) ଏବଂ ରାଜ୍ୟ ହସ୍ତଶିଳ୍ପ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ମିଡିୟମ୍-ଡେନ୍ସିଟି ଫାଇବରବୋର୍ଡ (ଏମ୍ଡିଏଫ୍) ଉପରେ ସଉରା କଳାର ବିଭିନ୍ନ ଡିଜାଇନ୍ ବ୍ୟବହାର କରି ବଜାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି ନେଇ କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
କର୍ମଶାଳାରେ କାନଫୁଲ, ପେଣ୍ଡେଣ୍ଟ, ବ୍ରେସଲେଟ୍, ଫ୍ରିଜ୍ ମ୍ୟାଗ୍ନେଟ୍, କି-ରିଙ୍ଗ୍ ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ତିଆରି ଉପରେ ବ୍ୟବହାରିକ ତାଲିମ ଦିଆଯାଇଥିଲା। ଡିଜାଇନ୍, ଉତ୍ପାଦ ବିକାଶ ଏବଂ ବଜାର ଚାହିଦା ଅନୁଯାୟୀ ହସ୍ତଶିଳ୍ପ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯାଇଥିଲା। ପ୍ରଶିକ୍ଷଣ ଶେଷରେ ଅଂଶଗ୍ରହଣକାରୀ କାରିଗରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।
ରାଜ୍ୟ ପୁରସ୍କାରପ୍ରାପ୍ତ ଆଦିବାସୀ କଳାକାର ଗୁରାଖ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସଉରା କଳାର ଆଧୁନିକ ପ୍ରୟୋଗ ସମ୍ପର୍କରେ ତାଲିମ ଦିଆଯାଇଥିଲା। ପାରମ୍ପରିକ କଳାକୁ କେବଳ ଚିତ୍ରକଳାରେ ସୀମିତ ନରଖି ଦୈନନ୍ଦିନ ବ୍ୟବହାରର ସାମଗ୍ରୀରେ ରୂପାନ୍ତର କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପ୍ରକଳ୍ପ ଅଧୀନରେ ଝାରସୁଗୁଡ଼ାର ୧୦୦ରୁ ଅଧିକ କାରିଗରଙ୍କୁ ବାଉଁଶ, ସଉରା ଓ ସବାଇ ଘାସ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଉଛି। କାରିଗରମାନଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବା ଏବଂ ଜୀବିକାର ସୁଯୋଗ ବଢ଼ାଇବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି।
ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଛନ୍ତି ଯେ, ସ୍ଥାନୀୟ କଳାକୁ ଆଧୁନିକ ଡିଜାଇନ୍ ସହ ଯୋଡ଼ିବା ଦ୍ୱାରା ମହିଳା କାରିଗରମାନଙ୍କ ପାଇଁ ନୂଆ ଜୀବିକା ସୁଯୋଗ ସୃଷ୍ଟି ହୋଇପାରିବ। ସେହିପରି କର୍ମଶାଳାରେ ଯୋଗଦେଇଥିବା ପଟ୍ରାପାଲିର କାରିଗର ଝରଣା ଭୂଷଣ କହିଛନ୍ତି ଯେ, ପାରମ୍ପରିକ କଳାକୁ ଦୈନନ୍ଦିନ ବ୍ୟବହାରର ସାମଗ୍ରୀରେ ପରିଣତ କରିବାର ନୂଆ କୌଶଳ ଏହି ପ୍ରଶିକ୍ଷଣରୁ ମିଳିଛି।
କମ୍ପାନୀର ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫-୨୬ରେ ଏହାର ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକା ବିକାଶ କ୍ଷେତ୍ରରେ ୮ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ‘ବେଦକଳା’ ଅଧୀନରେ ହସ୍ତଶିଳ୍ପ ସହ ମହିଳା ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ଉପରେ ମଧ୍ୟ କାର୍ଯ୍ୟକ୍ରମ ଚାଲିଛି।

