Latest Odisha News

BREAKING NEWS

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟାଯାଇଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପାଠ୍ୟପୁସ୍ତକରେ କେତେକ ପ୍ରିଣ୍ଟିଂ ଭୁଲ୍ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡକାଇଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପିଲାଙ୍କ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ତ୍ରୁଟି ସଂଶୋଧନ ନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେକ ବହିରେ ମୁଦ୍ରଣ ଜନିତ ତ୍ରୁଟି ରହିଯାଇଛି। ଏହି ଭୁଲ୍ ସୂଚନା ଯୋଗୁଁ ଛାତ୍ରଛାତ୍ରୀମାନେ ଯେପରି ବିଭ୍ରାନ୍ତ ନହୁଅନ୍ତି, ସେଥିପାଇଁ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବହିର କେଉଁ ସ୍ଥାନରେ କଣ ଭୁଲ୍ ଅଛି ଏବଂ ତାର ପ୍ରକୃତ ସଂଶୋଧିତ ରୂପ କଣ ହେବ, ସେନେଇ SCERT ଏକ ନିର୍ଦ୍ଦିଷ୍ଟ ଶୁଦ୍ଧିପତ୍ର ବା ସୂଚୀପତ୍ର ଜାରି କରିଛି।

 

ଏହି ପାଠ୍ୟପୁସ୍ତକ ତ୍ରୁଟିର ସଂଶୋଧନ ଲାଗି SCERT ନିର୍ଦ୍ଦେଶକ ଓସେପା କର୍ତ୍ତୃପକ୍ଷଙ୍କୁ ଏକ ସ୍ୱତନ୍ତ୍ର ଚିଠି ଲେଖି ଗାଇଡଲାଇନ ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ସ୍କୁଲରେ ବିଷୟ ଅନୁଯାୟୀ ପାଠ ପଢ଼ାଇବା ସମୟରେ ଶ୍ରେଣୀ ଶିକ୍ଷକମାନେ ଭୁଲକୁ ସଂଶୋଧନକୁ ଆଧାର କରିବେ। ବହିରେ ଥିବା ତ୍ରୁଟିକୁ ସାରମାନେ କ୍ଲାସରୁମ୍‌ରେ ନିଜେ ସୁଧାରିବେ ଏବଂ ପିଲାମାନଙ୍କୁ ସଠିକ୍ ପାଠ୍ୟ ବିଷୟବସ୍ତୁ ସମ୍ପର୍କରେ ବୁଝାଇବେ।

 

ଜାରି ହୋଇଥିବା ଚିଠି ଓ ସଂଶୋଧନ ସୂଚୀପତ୍ର ମିଳିବା ପରେ ଓସେପା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ତୁରନ୍ତ ଚିଠି ଲେଖାଯାଇ ଆଲର୍ଟ କରାଯାଇଛି।

 

ପାଠ୍ୟପୁସ୍ତକରେ ଥିବା ଭୁଲ୍ ଏବଂ ତା’ର ସଂଶୋଧନ ସୂଚୀ ସମ୍ପର୍କରେ ନିଜ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସ୍କୁଲର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନଙ୍କୁ ଅବଗତ କରାଇବା ପାଇଁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଠପଢ଼ା ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ପ୍ରତିଟି ଶ୍ରେଣୀଗୃହରେ ଏହି ନିୟମ ଯେପରି କଡ଼ାକଡ଼ି ପାଳନ ହେବ, ତାହା ଉପରେ ଶିକ୍ଷା ବିଭାଗ ନଜର ରଖିବ।

Leave A Reply

Your email address will not be published.