Latest Odisha News

ମନ୍ଦିର ଭାସ୍କର୍ଯ୍ୟରେ ମିଶ୍ରରୂପ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ମନ୍ଦିର ଭାସ୍କର୍ଯ୍ୟ କ୍ଷେତ୍ରରେ ଦୈତରୂପର ଅବତାରଣା ପ୍ରାଚୀନ କାଳରେ ଶିଳ୍ପୀମାନସ ପ୍ରସୂତ ଉଦ୍ଭଟ ପରିକଳ୍ପନାରୁ ସୃଷ୍ଟି ହୋଇଥିଲା । କେବଳ ଆମ ଦେଶରେ କାହିଁକି, ପାରସ୍ୟ, ମିଶର ଓ ଗ୍ରୀକ୍ ପ୍ରଭୃତି ପ୍ରାଚୀନ ପଶ୍ଚିମ-ଏସୀୟ ଦେଶମାନଙ୍କରେ ଏହିପରି ଉଦ୍ଭଟ ଅବାସ୍ତବ, ପୌରାଣିକ ବା ଅଣପୌରାଣିକ କଳା, ଯଥା-ପକ୍ଷଶୋଭିତ ସିଂହ, ଏକ ଶିଙ୍ଘ ବିଶିଷ୍ଟ ଅଶ୍ୱ , ଚତୁଃଷ୍ପଦ ବିଶିଷ୍ଟ ଶାଗୁଣା , ମତ୍ସ୍ୟମାନବ ରୂପୀ ସମୁଦ୍ର ଦେବତା, ଅଶ୍ୱମାନବରୂପୀ ଭୟଙ୍କର ଯୋଦ୍ଧା ପ୍ରଭୃତି ଅନ୍ୟତମ ।

ସନାତନୀୟ ଧର୍ମଧାରାରେ ବିଭିନ୍ନ ଦେବତାମାନଙ୍କର ରୂପ ବର୍ଣ୍ଣନାରେ ଏହି ଭଳି ସଂଯୋଗ ବହୁଳ ଭାବେ ରହିଥିବାର ଦେଖାଯାଏ । ବିଷ୍ଣୁଙ୍କ ଦଶାବତାରରେ ମାନବୀୟ କ୍ରମବିକାଶ କ୍ଷେତ୍ରରେ ମଣିଷର ପୂର୍ଣ୍ଣାଙ୍ଗ ରୂପ ସୃଷ୍ଟି ହେବା ପୂର୍ବରୁ ପ୍ରଥମ ଚାରି ଅବତାର, ଯଥା- ମତ୍ସ୍ୟ-କୂର୍ମ-ବରାହ-ନୃସିଂହ ଅବତାରରେ ଏହି ସଂଯୋଗ ସୁସ୍ପଷ୍ଟ । ଏହାଙ୍କ ବ୍ୟତୀତ ରାମାୟଣରେ ଦଶାନନ, ରାବଣ, ହନୁମାନ, ସୁଷେଣ-ଅଙ୍ଗଦ ଆଦି ମହାବୀର ତଥା ଗଣେଶ, ହୟଗ୍ରୀବ ଆଦି ଦେବତାଙ୍କ ରୂପ ଦର୍ଶନୀୟ । ଆମ ସଂସ୍କୃତିରେ ବିଭିନ୍ନ ଦେବଦେବୀଙ୍କ ଯୁଗ୍ମ ମୂର୍ତ୍ତି ମଧ୍ୟ ପୂଜା କରାଯାଏ, ଉଦାହରଣ ସ୍ୱରୂପ, ହରିହର, ଲକ୍ଷ୍ମୀନାରାୟଣ, ହରପାର୍ବତୀ ଓ କୃଷ୍ଣକାଳୀ ଇତ୍ୟାଦି ରୂପର ବିଗ୍ରହ ସହିତ ଚିତ୍ରଣ ମଧ୍ୟ ଦେଖାଯାଏ । ସେହିପରି ବିଷ୍ଣୁ-ଶିବ-ବ୍ରହ୍ମାଙ୍କର ତ୍ରିମୂର୍ତ୍ତି (ତ୍ରିମସ୍ତକ ମହେଶ)ଙ୍କର ମଧ୍ୟ ଅନନ୍ୟ ରୂପ ରହିଅଛି । ପୁନଶ୍ଚ ମନ୍ଦିର ଗାତ୍ରରେ ଦୈତ ରୂପମାନଙ୍କର ବହୁଳ ସଂସ୍କରଣ ସ୍ଥାନିତ ହୋଇଛି । ବ୍ୟାଲ, ଶାର୍ଦ୍ଦୂଳ (ଶିଙ୍ଘ ଶୋଭିତ ସିଂହ), ରାହୁମୁଖ ବା କୀର୍ତ୍ତି ମୁଖ(ସିଂହମୁଖ), ଗରୁଡ଼, ଗନ୍ଧର୍ବ, ବିଦ୍ୟାଧର, ନାଗ-ନାଗୀ(ନାଗ କନ୍ୟା), ଯକ୍ଷ-ଯକ୍ଷୀ, ମକରମୁଣ୍ଡ, ପକ୍ଷୀରାଜ ଘୋଡ଼ା ଓ ହରିଣ ପ୍ରଭୃତିଙ୍କ ଉଦ୍ଭଟ କଳାତ୍ମକ ପରିପ୍ରକାଶ କିଛି ବିରଳ ନୁହେଁ ।

ଉପରୋକ୍ତ ରୂପଗୁଡ଼ିକ ସାଧାରଣତଃ ଦୈତ ରୂପ ବା ଦୁଇଗୋଟି ପ୍ରାଣୀଙ୍କ ସମନ୍ୱୟରେ ସୃଷ୍ଟି ହୋଇଥିବାବେଳେ ଆଉ କେତୋଟି ମିଶ୍ର ରୂପ ମଧ୍ୟ ଆମ ପୌରାଣିକ ସାହିତ୍ୟରେ କଳ୍ପିତ ହୋଇଛି । ପଞ୍ଚଦଶ ଶତାବ୍ଦୀରେ ଶୂଦ୍ରମୁନି ସାରଳା ଦାସଙ୍କ ଦ୍ୱାରା ରଚିତ ମହାଭାରତରେ ମଣିଷ ସମେତ ନ’ଗୋଟି ପ୍ରାଣୀଙ୍କ ଅଙ୍ଗ ସମୁହର ସମନ୍ୱୟରେ ଅତିରଞ୍ଜିତ କାଳ୍ପନିକ ମିଶ୍ରରୂପ ଅନ୍ୟ କୌଣସି ଶାସ୍ତ୍ରୀୟ କୃତିରେ ଦେଖାଯାଏ ନାହିଁ । ‘ନବଗୁଞ୍ଜର’, ଆମ ପୁରାଣ ସାହିତ୍ୟ ସହିତ କଳା ପରମ୍ପରାକୁ ଏକ ଭିନ୍ନ ପର୍ଯ୍ୟାୟକୁ ନେଇଯାଏ ଏବଂ ପଣ୍ଡିତ ବା ସାହିତ୍ୟକାରଙ୍କ କଳ୍ପନା ପ୍ରସୂତ ରୂପ, ଶିଳ୍ପୀମାନଙ୍କ ଦ୍ୱାରା ଚିତ୍ରଣ ଅଥବା ଭାସ୍କର୍ଯ୍ୟରେ ରୂପାନ୍ତରିତ ହୋଇ ବିସ୍ମୟ ସୃଷ୍ଟି
କରାଇଥାଏ ବୋଲି ପ୍ରମାଣିତ ହୁଏ । ସର୍ବୋପରି ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ ମାୟାଧର ଶ୍ରୀକୃଷ୍ଣ ଗାଣ୍ଡିବଧାରୀ ଅର୍ଜୁନଙ୍କୁ ଶ୍ରୀମଦ୍ ଭଗବତ ଗୀତା ଶୁଣାଇବା
ଅବସରରେ ଯେଉଁ ବିଶ୍ୱରୂପ ଦର୍ଶନ କରାଇଥିଲେ ସେଥିରେ କେତେ ଯେ ରୂପ ସମନ୍ୱିତ ହୋଇଥିଲା ତାହା କଳନା କରାଯାଇନପାରେ । ପୁରାଣରୁ ଆନୀତ କେତେକ କାଳ୍ପନିକ ରୂପ ଆମ ଲୋକସାହିତ୍ୟରେ ଚିତ୍ରିତ ହୋଇଛି । ପକ୍ଷୀରାଜ ଘୋଡ଼ା, ଐରାବତ ହସ୍ତୀ, ମତ୍ସ୍ୟକନ୍ୟା ଇତ୍ୟାଦିର ଅବତାରଣା ବେଶ୍ ଜୀବନ୍ତ ହୋଇପାରିଛି ।

ଗଜସିଂହ : କଳିଙ୍ଗ ଶୈଳୀର ମନ୍ଦିର ଭାସ୍କର୍ଯ୍ୟରେ ସିଂହର ପ୍ରାଧାନ୍ୟ ବିଷୟ ପୂର୍ବରୁ ଆଲୋଚନା ହୋଇଛି । ଏହି ସିଂହ ସହିତ ଗଜର ସଂଯୋଗରେ ଯେଉଁ ଉଦ୍ଭଟ ଚିତ୍ରଣ ବହୁ ରୂପରେ ପ୍ରକାଶ ପାଇଛି ତାହାକୁ ଗଜସିଂହ କୁହାଯାଏ । କଳିଙ୍ଗ ଶୈଳୀର ମନ୍ଦିରମାନଙ୍କରେ ଶୋଭିତ ଗଜସିଂହ ମୂର୍ତ୍ତିମାନଙ୍କ ନିଜସ୍ୱ ବୈଶିଷ୍ଟ୍ୟ ସ୍ୱାତନ୍ତ୍ରୀୟ ଓ ମୌଳିକତା ରହିଛି । କଳା ଐତିହାସିକମାନଙ୍କ ମତରେ ଦାକ୍ଷିଣାତ୍ୟରେ ଥିବା ମନ୍ଦିରମାନଙ୍କରେ ଯେଉଁ ଗଜସିଂହ ଓ ବିଡ଼ାଳ ମୂର୍ତ୍ତିମାନ ଦେଖାଯାଏ ତାହାର ଶୈଳ୍ପିକମାନ ଆମ ମନ୍ଦିରମାନଙ୍କରେ ଥିବା ଭାସ୍କର୍ଯ୍ୟଠାରୁ ଯଥେଷ୍ଟ ଉଚ୍ଚମାନର । ଦାକ୍ଷିଣାତ୍ୟର ଏହି ପର୍ଯ୍ୟାୟର ଭାସ୍କର୍ଯ୍ୟରେ ଉଗ୍ରତା ଅଧିକ ଏବଂ ସୂକ୍ଷ୍ମ କାରୁକାର୍ଯ୍ୟ ମଣ୍ଡିତ । ଏଗୁଡ଼ିକ ମୁଖ୍ୟତଃ ସ୍ତମ୍ଭ ସଂଲଗ୍ନ ହୋଇ ଛାତ ତଳକୁ ଲାଗିଥାଏ । କଳିଙ୍ଗ ଶୈଳୀରେ ଭିନ୍ନତା ଦେଖାଯାଏ । ଏଗୁଡ଼ିକର ଗଠନ ସାବଲୀଳ, ପ୍ରାୟତଃ ଏକ ପ୍ରକାରର ଏବଂ ମନ୍ଦିର ବାଡ଼ର ଦୁଇ ପଗର ସନ୍ଧିସ୍ଥଳରେ ସୀମିତ ସ୍ଥାନକୁ ଦୃଷ୍ଟିରେ ରଖି ଏହାର ନକ୍ସା ପ୍ରସ୍ତୁତ ହେଲା ଭଳି ମନେ ହୁଏ । ସେହି ସୀମିତ ସ୍ଥାନରେ ମଧ୍ୟ ଶିଳ୍ପୀମାନେ ଏହି ଭାସ୍କର୍ଯ୍ୟ ସମୁହରେ ନିଜର ଶୈଳ୍ପିକ ପରକାଷ୍ଠା ପ୍ରତିପାଦିତ କରିଛନ୍ତି । ଦାକ୍ଷିଣାତ୍ୟରୁ ଶିଳ୍ପୀମାନେ ଆସି ପ୍ରାଚୀନ କଳିଙ୍ଗରେ ବିଭିିନ୍ନ ସ୍ଥାନରେ ମନ୍ଦିର ଆଦି ନିର୍ମାଣ କରିଥିବାର ପ୍ରବାଦ ରହିଛି । ଓଡ଼ିଶାରେ ନବମ ଓ ଦଶମ ଶତାବ୍ଦୀରେ ନିର୍ମିତ ପର୍ଶୁରାମେଶ୍ୱର ଓ ଲିଙ୍ଗରାଜ ଆଦି ମନ୍ଦିର ଗାତ୍ରରେ ଏହି ଗଜସିଂହ ଓ ବିଡ଼ାଳ ଆଦି ରୂପର ପ୍ରଥମ ପ୍ରକାଶନ ଘଟିଥିଲା । ତା’ର ପରବର୍ତ୍ତୀ କାଳରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ବେଳକୁ ଏହାର ରୂପରେ ବିବିଧତା ସଂଯୋଗ କରାଯାଇଥିବାର ପ୍ରମାଣ ମିଳିଥାଏ ।

ବିମାନ ଗଣ୍ଡିରେ ବୃହତ୍ ଗଜସିଂହ – ମା ବିମଳା ମନ୍ଦିର ସମ୍ମୁଖ ଗଜସିଂହ ଭାସ୍କର୍ଯ୍ୟରେ ସିଂହ ନିମ୍ନରେ କ୍ଷୁଦ୍ରକାୟ ଗଜ ଚାରିଗୋଡ଼ ଭାଙ୍ଗି କାକୁସ୍ତ ମୁଦ୍ରାରେ ବସିଥିବା ବେଳେ ତା’ଉପରେ ସିଂହ ମୂର୍ତ୍ତିଟିଏ ପଛ ଦୁଇଗୋଡ଼ରେ ଛିଡ଼ା ହୋଇ ଆଗ ଦୁଇଗୋଡ଼ ଆଗକୁ ଟେକି ରଖିଥାଏ ଅଥବା ଗୋଟିଏ ଗୋଡ଼ ଟେକି ଅନ୍ୟ ଗୋଟିଏ ଗୋଡ଼ ହସ୍ତୀର ଅନ୍ୟ ମସ୍ତକରେ ରଖିଥାଏ । ହସ୍ତୀର ପିଠି, ସିଂହ ପେଟ ତଳକୁ ଆଶ୍ରା ଦେଇ ସିଂହର ଭୀମଭାର ବହନ କରି ରଖିଥାଏ । ଏ ଧରଣର ଭାସ୍କର୍ଯ୍ୟ ପୂର୍ଣ୍ଣାଙ୍ଗ ରୂପରେ କୁର୍ମ ବେଢ଼ାରେ ବିମଳାଙ୍କ ମନ୍ଦିର ସମ୍ମୁଖରେ ରହିଅଛି । ଆହୁରି ଶ୍ରୀମନ୍ଦିର ବାହାରେ ଅନେକ ଦେବଦେବୀଙ୍କ ମନ୍ଦିରର ପ୍ରବେଶ ପଥର ଦୁଇ ପାଶ୍ୱର୍ରେ ଦେଖିବାକୁ ମିଳେ ।

ବଡ଼ ଦେଉଳ ବା ବିମାନର ଗଣ୍ଡିର ରାହାପଗରେ ପ୍ରତ୍ୟେକ ପାଶ୍ୱର୍ରେ ଦୁଇଗୋଟି କରି ଗଜସିଂହ ମୂର୍ତ୍ତି ଉଦ୍‌ଗତ ଭାବରେ ରହି ଶ୍ରୀମନ୍ଦିରର ଶୋଭାବର୍ଦ୍ଧନ
କରୁଛନ୍ତି । ଏଥି ମଧ୍ୟରୁ ପୂର୍ବ ପାଶ୍ୱର୍ର ଗଣ୍ଡିରେ ରହିଥିବା ବୃହତ୍ ଅଙ୍ଗଶିଖରର ଉପରିଭାଗରେ ବିଶାଳ ଗଜସିଂହ ମୂର୍ତ୍ତି ରହିଥିବାର ଦେଖାଯାଏ । ଏହା ପ୍ରାୟ ଆଠ
ଫୁଟ ଉଚ୍ଚତା ବିଶିଷ୍ଟ ହେଇଥିବା ବେଳେ ୬ ଫୁଟ ଆଗକୁ ବାହାରି ଏକ ପଥର ପିଷ୍ଟ ଉପରେ ସ୍ଥାପିତ ହୋଇଛି । ଶ୍ରୀମନ୍ଦିରରେ ରହିଥିବା ଅସଂଖ୍ୟ ଗଜସିଂହ ମୂର୍ତ୍ତି ଭିତରେ ଏହାର ଆକାର ସର୍ବବୃହତ୍ ବୋଲି ଜଣାଯାଏ ।

କିଛି ଐତିହ୍ୟ ବ୍ୟାଖାକାରଙ୍କ ମତରେ ଏହି ଭାସ୍କର୍ଯ୍ୟ, ଆଧ୍ୟାତ୍ମିକତା ଅପେକ୍ଷା ଧର୍ମୀୟ ଚେତନାର ପୁନଃଜାଗୃତିର ନିଦର୍ଶନ ଅର୍ଥାତ୍ ଅତୀତରେ ବୌଦ୍ଧଧର୍ମର
ପ୍ରାଧାନ୍ୟ ରହିଥିବା ବେଳେ ତାକୁ ପ୍ରତିହତ କରି ଶାକ୍ତଧର୍ମ ପ୍ରତିଷ୍ଠାର ପ୍ରତୀକାତ୍ମକ ଅନୁମୋଦନ ଏହି ଭାସ୍କର୍ଯ୍ୟ ମାଧ୍ୟମରେ ହୋଇଥିଲା । ନିରୀହ ହସ୍ତୀକୁ ଉଗ୍ର ସିଂହ କବଳିତ କରିଥିବା ସାଙ୍କେତିକ ଚିତ୍ରଣରେ ବୌଦ୍ଧ ଧର୍ମର ପ୍ରତୀକ ଭାବରେ ହସ୍ତୀ ଏବଂ ଶାକ୍ତ ଧର୍ମର ପ୍ରତୀକ ଭାବେ ମା’ଭବାନୀଙ୍କ ବାହନ ସିଂହକୁ ଏଥିରେ ଗ୍ରହଣ କରାଯାଇଥବାରୁ ଏହା ଯଥାର୍ଥ ବୋଲି ଅନେକଙ୍କ ମତ । ତେବେ ଏହାର ଅଧିକ ତାତ୍ତ୍ୱିକ ବ୍ୟାଖାନ ପାଇଁ ଗବେଷଣା ଆବଶ୍ୟକ ।

କ୍ରମଶଃ….

(ପରବର୍ତ୍ତୀ ଆଲେଖ୍ୟ – ମନ୍ଦିର ବାଡ଼ରେ ଗଜସିଂହ, ଗଜବିଡ଼ାଳ ଓ ନରବିଡ଼ାଳ)

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.