Latest Odisha News

BREAKING NEWS

ଚାଷୀ , ସରକାର ଓ ଯୋଜନା

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ 

“ଚାଷ କାମ ଯାହାର ,କି ଆନନ୍ଦ ତାହାର।” ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ୍ୟ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ମୁଠାଏ ଯୋଗାଏନି ବରଂ ମନ ବୃନ୍ଦାବନକୁ ଏକ ନିଆରା ସନ୍ତୋଷରେ ପରିତୃପ୍ତ କରେ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । କୃଷି ଜାବନର ମାନଦଣ୍ଡ,ଅର୍ଥନୀତିର ମାପକାଠି ।

କୃଷି ଯିଏ ଚାଷୀର ମାନସପୁତ୍ର ଆଉ ସାଧାରଣ ମଣିଷର ଜାଇଁବାର ଚାବିକାଠି । ଆଉ ଏଇ ଚାଷ ଜମିରେ ଯିଏ ସୁନାର ଫସଲକୁ ସର୍ବସମ୍ମୁଖରେ ଉପସ୍ଥାପନ କରେ, ସେ ହିଁ ଚାଷୀ । ଚାଷ ଓ ଚାଷୀ ଏକ ସ୍ୱତନ୍ତ୍ର ଅନୁଭବ । କୃଷି ଓ କୃଷକର ବିକାଶକୁ ଦୃଷ୍ଟିରେ ରଖି ସବୁବେଳେ ସରକାର ବିହିତ ପଦକ୍ଷେପ ନେଉଛନ୍ତି , ଏକଥା କାହାକୁ ଅଛପା ନାହିଁ । ରାଜ୍ୟ ବଜେଟର ସବୁବେଳେ ଫୋକସ୍‌ରେ କୃଷି ଥାଏ । ସରକାର କୃଷି ଓ କୃଷକର ସଶକ୍ତିକରଣ ଦିଗରେ ବେଶ ଯତ୍ନଶୀଳ । ସବୁ ସମୟରେ କୃଷିକୁ ଏକ ନୂତନ ମାର୍ଗଦର୍ଶନ ଦେବା ଦିଗରେ ଚେଷ୍ଟିତ ଥା’ନ୍ତି । ସେଥିପାଇଁ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନାର ପରିକଳ୍ପନା କରିଥା’ନ୍ତି । କିପରି ଚାଷୀ ଏହାର ପ୍ରକୃତ ଲାଭ ପାଇପାରିବ , ସେ ଦିଗରେ ବି ଚିନ୍ତା କରନ୍ତି । କିନ୍ତୁ ସମୟେ ସମୟେ ଏ ଯୋଜନା କେତେବେଳେ ବାଟବଣା ହୋଇଯାଏ , ସେକଥା କାହାକୁ ଜଣା ନଥାଏ ।

୨୦୧୮ମସିହାରେ କୃଷି କ୍ଷେତ୍ରରେ ସରକାର ଆଣିଥିଲେ ଏକ ଯୁଗାନ୍ତକାରୀ କାଳିଆ ଯୋଜନା । ତଥ୍ୟ ଅନୁସାରେ କାଳିଆ ଯୋଜନା ଯେ କେବଳ କୃଷି ତଥା କୃଷକର ସହାୟତା ପାଇଁ ଉଦ୍ଦିଷ୍ଟ ତାହା ନୁହେଁ , ଏହା କୃଷକର ନିଜସ୍ୱ ଆୟ ସହ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ସହାୟକ । ସଚିବାଳୟ ଠାରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ ହେଇଥିଲା ଏହି ଯୋଜନାର ପ୍ରଥମ ସୋପାନ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୩୦ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅର୍ନ୍ତଭୁକ୍ତ ଅଛନ୍ତି ।

୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା । ।ଏହି ଯୋଜନା ଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ଯୋଜନା ଦ୍ୱାରା ଭାଗ ଚାଷୀ (ଯେଉଁ ମାନଙ୍କର ବହୁତ କମ୍ ଜମି ଥିବ) ସେମାନେ ଉପକୃତ ହୋଇପାରିବେ ।

ତେବେ କେତେକ ଚାଷୀ ଏହି ଯୋଜନାର ଉପକୃତ ହୋଇଥିଲେ ହେଁ ଏଥିରେ ବିଭିନ୍ନ ଅଯୋଗ୍ୟ ହିତାଧିକାରୀ ଏହାର ଫାଇଦା ଉଠାଇଥିଲେ । ଯେଉଁମାନେ ଚାଷୀ କିମ୍ବା ଭାଗଚାଷୀ ନୁହଁନ୍ତି , ସେମାନେ ବି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏହାର ଲାଭ ନେଇଥିଲେ । ସେତେବେଳେ ପ୍ରକୃତ ଚାଷୀମାନେ ଏଥିରୁ ବାଦ ପଡ଼ିଯାଇଥିଲେ । ତଥାପି ଚାଷୀ କେବେ ଟଙ୍କା ପଇସାରେ ମୋହ ରଖେନି । ତା ପାଇଁ ବାବୁ ହାକିମ ସବୁ ସେଇ ଚାଷ । ସେ ଖଟିଲେ ଖାଇବ । ସେ ଚାଷ ଜମି ତା’ ପାଇଁ ଜୀବନର ସବୁଠାରୁ ବଡ଼ ରାଇଜ । ତେବେ କେଇଟା ଟଙ୍କା ମୋହରେ ଅନ୍ଧ ହୋଇ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଏ ଯୋଜନାର ଲାଭବାନ ହୋଇଯାଇଛନ୍ତି । ତେବେ ଏ ପରିପ୍ରେକ୍ଷୀରେ ବର୍ତ୍ତମାନ ସରକାରଙ୍କ ତରଫରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଠାବ କରି ସେମାନଙ୍କଠାରୁ କାଳିଆ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ କିପରି ଏ ଯୋଜନାର ଫାଇଦା ଉଠାଇପାରିଲେ? ତେବେ ସରକାରଙ୍କର ପ୍ରତିଟି ଯୋଜନା ଚାଷୀଙ୍କ ପାଇଁ ସମର୍ପିତ ଥାଏ ।

ଚାଷୀ କ୍ଷେତରେ ନିରନ୍ତର ଭାବେ ନିଜ କର୍ମ ସମ୍ପାଦନ କରୁଥାଏ । ଆଜି ଯଦି ଆମେ ଖାଦ୍ୟ ଖାଇବାର ସ୍ୱପ୍ନ ଦେଖୁଛେ , ତେବେ ଏହା କେବଳ ଚାଷୀର ଶ୍ରମର ସାର୍ଥକତା ପାଇଁ । କିନ୍ତୁ ଯଦି ପ୍ରକୃତ ଚାଷୀ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନପାରିଲା, ତେବେ ଏହାଠାରୁ ବଡ଼ ଦୁଃଖର ବିଷୟ ଆଉ କିଛି ହୋଇନପାରେ । ସଭ୍ୟତାର ମାପକାଠି ବୋଲାଉଥିବା ଚାଷୀ ଯଦି ଅବହେଳିତ ହୁଏ , ତାହେଲେ ଦେଶର ଅର୍ଥନୀତିର ବିକାଶକୁ ଆଶା କରିବା ଏକ ଧୃଷ୍ଟତା ହେବ ।

ଏଇ କିଛି ଦିନ ତଳେ ଅକ୍ଷୟ ତୃତୀୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଆଉ ଏକ କିସ୍ତି ଚାଷୀମାନଙ୍କୁ ପ୍ରଦାନ କରିଥିଲେ । ପୁଣି ଥରେ କିପରି ଏଥିରେ ପ୍ରକୃତ ଚାଷୀ ଲାଭ ପାଆନ୍ତୁ ଆଉ ଏ ଯୋଜନାର ଲାଭାର୍ଥି ହେବାର ସୌଭାଗ୍ୟ କେବଳ ଚାଷୀକୁ ମିଳୁ , ଏହାକୁ ଦୃଷ୍ଟି ଦେବା ଉଚିତ୍ । ଏ କ୍ଷେତ୍ରରେ ଉପଯୁକ୍ତ ଓ ସଠିକ ଟ୍ରାନ୍ସପରେନ୍ସି ଆବଶ୍ୟକ । ଯୋଜନାରେ ସ୍ୱଚ୍ଛତା ପରିପ୍ରକାଶ ହେଲେ ଏହା ଚାଷୀଙ୍କ ପାଇଁ ଲାଭଦାୟକ ହୋଇପାରିବ ।

କୃଷି ସ୍ନାତକୋତ୍ତର , ମୃତ୍ତିକା ବିଜ୍ଞାନ , ସୋଆ ,
ମୋ –୯୪୩୮୪୬୭୦୭୯

Leave A Reply

Your email address will not be published.