Latest Odisha News

BREAKING NEWS

ଖୁବଶୀଘ୍ର ରାଜ୍ୟ ସଚିବ ସ୍ତରରେ ଅଦଳବଦଳ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ସୁରେଶ ମହାପାତ୍ର ଓ ଉନ୍ନୟନ କମିଶନର ଭାବରେ ପ୍ରଦୀପ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ବିଭିନ୍ନ ବିଭାଗରେ ସଚିବ ସ୍ତରରେ ଅଦଳବଦଳ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବିଭାଗରେ ୭-୮ ଜଣ ବରିଷ୍ଠ ଆଇଏଏସଙ୍କ ପଦବୀରେ ପରିବର୍ତ୍ତନ ହୋଇପାରେ ।

ପ୍ରଦୀପ ଜେନା ଉନ୍ନୟନ କମିଶନର ହେବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ପଦବୀ ଖାଲି ପଡ଼ିଛି । ସେ ଗ୍ରାମ୍ୟ ଉନ୍ନୟନ ସଚିବ ବି ଥିଲେ । ଏହି ଦୁଇଟି ପଦରେ କାହାକୁ ନୂଆ ନିଯୁକ୍ତି ଦେବେ ସରକାର । ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ କୁମାର ସିଂହ ଓ ୧୯୯୪ ବ୍ୟାଚ୍ ଆଇଏଏସ୍ ଜି. ମାଥିଭାଥନନଙ୍କୁ ନୂଆ ନିଯୁକ୍ତି ମିଳିବା ନେଇ ଚର୍ଚ୍ଚା ହେଉଛି । ଦେଓ ରଞ୍ଜନ ସିଂହ ଏବେ ପଞ୍ଚାୟତିରାଜ ସଚିବ ଏବଂ ମାଥିଭାଥନନ୍ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଅଛନ୍ତି ।

ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସଚିବସ୍ତରରେ ଅଦଳବଦଳ ସମ୍ଭାବନା ରହିଛି । ସେହିପରି ଉତ୍ତରାଞ୍ଚଳ ଆରଡିସି ଥିବା ୨୦୦୪ ବ୍ୟାଚ୍ ଆଇଏଏସ୍ ନିରଞ୍ଜନ ସାହୁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ତାଙ୍କ ସ୍ଥାନରେ ମିଳିପାରେ ନୂଆ ନିଯୁକ୍ତି । ନିରଞ୍ଜନ ସାହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିଲେ ।

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୨ ବ୍ୟାଚ୍ ଆଇଏଏସ୍ ଦେବଯାନୀ ଚକ୍ରବର୍ତ୍ତୀଙ୍କୁ ବି ନୂଆ ଦାୟିତ୍ୱ ମିଳିପାରେ । ଦୁଇ ଦୁଇଟି ବିଭାଗର ସଚିବ ଦାୟିତ୍ୱରେ ଥିବା କିଛି ଅଧିକାରୀଙ୍କ ପାଖରୁ ଅତିରିକ୍ତ ଦାୟିତ୍ୱ ହଟାଇ ପାରନ୍ତି ସରକାର । କୁହାଯାଉଛି କୋଭିଡ୍ ପରିଚାଳନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଦଳବଦଳରେ ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରନ୍ତି ।

Leave A Reply

Your email address will not be published.