Latest Odisha News

ବିହାରରେ ନକ୍ସଲ ଆକ୍ରମଣ ଉଦ୍ୟମ ପଣ୍ଡ, ପାଣ୍ଡ୍ରା ପାହାଡ଼ରୁ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ପାଟନା: ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ କଲେ ସୁରକ୍ଷା ବାହିନୀ । ବିହାରର ଗୟାରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ନକ୍ସଲ ସଂଗଠନଗୁଡ଼ିକ ସୁରକ୍ଷା ବାହିନୀ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଥିବା ବେଳେ ଏହାକୁ ପଣ୍ଡ କରିଛି ସୁରକ୍ଷା ବାହିନୀ ।

ଗୟା ଏସଏସପି ଆଶିଷ ଭାରତୀଙ୍କ ନେତୃତ୍ବରେ ଏଏସପି ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ କୋବ୍ରା ୨୦୫, ସିଆରପିଏଫ ୧୫୯ ବାଟାଲିୟନ୍, ଏସଟିଏଫ୍‌ ଏବଂ ଜିଲ୍ଲା ପୋଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପରେ ସୁରକ୍ଷା ବାହିନୀର ସ୍ୱତନ୍ତ୍ର ଟିମ୍ ଲୁଟୁଆ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଲୁଟୁଆ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଣ୍ଡ୍ରାର ପାହାଡ଼ ଏବଂ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ସମୟରେ ଗୋଟିଏ ସ୍ଥାନରୁ ୩୦୩ ରାଇଫଲ, ୧୦୦ ରାଉଣ୍ଡ ୭.୬୨ ମିଲିମିଟର କାର୍ଟ୍ରିଜ ଜବତ କରାଯାଇଥିଲା । ତେବେ ସର୍ଚ୍ଚ ଅପରେସନ ସମୟରେ ୩ଟି ଆଇଇଡି ଜବତ କରାଯାଇଥିବା ବେଳେ ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା ।

ସୂଚନା ଅନୁସାରେ, ପାହାଡ଼ ମଧ୍ୟରେ ଥିବା ଗୁମ୍ଫାରେ ନକ୍ସଲ ଲୁଚି ରହିଥିବା ସନ୍ଦେହ କରିଥିଲା ସୁରକ୍ଷା ବାହିନୀ । ଗୁମ୍ପାରେ ଚଢ଼ାଉ ସମୟରେ ସେଠାରୁ ପାଞ୍ଚଟି ପ୍ଲାଷ୍ଟିକ୍‌ ଅଖା ଭିତରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ୧୩ ହଜାର ୮୦୦ ଡିଟୋନେଟର ରହିଥିଲା । ଏଥିସହ ଗୁମ୍ଫା ମଧ୍ୟରୁ ନକ୍ସଲଙ୍କ ପୋଷାକ, ଦୁଇଟି ଫୋନ୍‌, ଦୁଇଟି ଓ୍ବାକି ଟକି ଜବତ କରିଥିଲା ସୁରକ୍ଷା ବାହିନୀ । ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ନକ୍ସଲ ମାନେ । ସର୍ଚ୍ଚ ଅପରେସନ କରି ନକ୍ସଲଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସୁରକ୍ଷା ବାହିନୀ ।

Leave A Reply

Your email address will not be published.