Latest Odisha News

BREAKING NEWS

ବ୍ୟବସାୟୀଙ୍କ ଠାରୁ ସୁନା ବିସ୍କୁଟ ଓ ଟଙ୍କା ଜବତ ଘଟଣାରେ ଆୟକର ବିଭାଗର ତଦନ୍ତ

ବ୍ରହ୍ମପୁର: ଗଞ୍ଜେଇ ଯାଞ୍ଚ ବେଳେ ବସ ଭିତରୁ ମହାରାଷ୍ଟ୍ରର ବ୍ୟବସାୟୀ ଦଶରଥ ସାହୁକାରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଓ ବ୍ରହ୍ମପୁରର ଆନନ୍ଦ ଜୁଏଲର୍ସରୁ ୨୩ଟି ସୁନା ବିସ୍କୁଟ ଜବତ ଘଟଣାରେ କଟକ ଲିଙ୍କ ମିଳିଛି  ।  ବୁଧବାର ଜିଏସଟି ବିଭାଗର ତଦନ୍ତ କରିଥିବା ବେଳେ ଗୁରୁବାର ଆୟକର ବିଭାଗ ଏହାର ତଦନ୍ତ କରିଛି ।

ମୁମ୍ବାଇ ବ୍ୟବସାୟୀଙ୍କ ଠାରୁ ତଥ୍ୟ ହାସଲ କରିବା ପରେ ଆୟକର ବିଭାଗ ପକ୍ଷରୁ କଟକ ନୟାସଡକ ସ୍ଥିତ ମାଁ ତାରିଣୀ ଜୁଏଲର୍ସ ଆଣ୍ଡ ୱାର୍କସପରେ ଚଢଉ କରାଯାଇଛି । ବ୍ୟବସାୟୀ ଜଣଙ୍କ ସେଠାକାର ମାଁ ତାରିଣୀ ଜୁଏଲର୍ସରେ କେତେ ପରିମାଣରେ ସୁନା ଦେଇ ୧ କୋଟି ୨୨ ଲକ୍ଷ ଟଙ୍କା ଆଣିଥିଲେ, ସେ ବ୍ରହ୍ମପୁରକୁ କାହିଁକି ଆସିଥିଲେ, ଏହି ସୁନା କାରବାର ପଛରେ କେତେ ଟଙ୍କାର ଟିକସ ଫାଙ୍କା ଯାଇଛି, ସେ ଦିଗରେ ଆୟକର ବିଭାଗ ତଦନ୍ତ ଜାରି ରହିଛି । ସେହିପରି ଆନନ୍ଦ ଜୁଏଲର୍ସରୁ ଜବତ ହୋଇଥିବା ୨୩ଟି ସୁନା ବିସ୍କୁଟର ସଠିକ କାଗଜପତ୍ର ତଥା ଟିକସ ବାବଦ ନେଇ ଯାଞ୍ଚ ଜାରି ରହିଥିବା ବ୍ରହ୍ମପୁର ବାଣିଜ୍ୟ କର ଓ ଜିଏସଟି ଏନଫୋର୍ସମେଣ୍ଟ ବିଭାଗର ସହାକାରୀ ଆୟୁକ୍ତ ଦେବକଲ୍ୟାଣ ବେହେରା କହିଛନ୍ତି। କଟକର ସେହି ଜୁଏଲର୍ସରେ ଆୟକର ବିଭାଗ ସହ ଜିଏସଟି ବିଭାଗ ମଧ୍ୟ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଲାଞ୍ଜିପଲ୍ଲୀ ବାଇପାସ ଠାରେ ଯାଞ୍ଚ କରୁଥିଲେ । ଏହି ସମୟରେ ଭୁବନେଶ୍ବର ଯାଉଥିବା ଏକ ବସକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବସ ଭିତରେ ବସିଥିବା ଦଶରଥ ସାହୁକାର ଏବଂ ବ୍ରହ୍ମପୁରର ଆନନ୍ଦ ଜୁଏଲର୍ସର ମାଲିକ ଆନନ୍ଦ ସୁବୁଦ୍ଧିଙ୍କୁ ସନ୍ଦେହରେ ପଚରାଉଚରା କରାଯାଇଥିଲା । ସେମାନଙ୍କ ନିକଟରୁ ପୁଳାପୁଳା ଟଙ୍କା ଏବଂ ସୁନା ବିସ୍କେଟ୍‌ ମଳିଥିଲା । ଅବକାରୀ ଅଧିକାରୀମାନେ ଏନେଇ ବ୍ରହ୍ମପୁର ଏସଡିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲେ । ଦଶରଥଙ୍କ ପାଖରୁ ୧ କୋଟି ୨୦ ଲକ୍ଷ ଟଙ୍କା ଏବଂ ଆନନ୍ଦଙ୍କ ପାଖରୁ ୨୩ଟି ସୁନା ବିସ୍କୁଟ ମିଳିଥିଲା । ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ ଜିଏସଟି ବିଭାଗକୁ ଖବର ଦେଇଥିଲେ । ଅଧିକାରୀମାନେ ପହଞ୍ଚି ଜବତ ସୁନା ଓ ଟଙ୍କା ବିଷୟରେ ଉଭୟ ବ୍ୟବସାୟୀଙ୍କୁ ପଚରାଉଚରା କରିଥିଲେ। ହେଲେ ଉଭୟ ସୁନା ଓ ଟଙ୍କା କାରବାରକୁ ନେଇ ଆବଶ୍ୟକୀୟ କାଗଜପତ୍ର ଦେଖାଇପାରିନଥିଲେ। ଏହାପରେ ଜିଏସଟି ଅଧିକାରୀମାନେ ଆନନ୍ଦ ଜୁଏଲର୍ସକୁ ଯାଇ ସେଠାକାର ଷ୍ଟକ୍‌ ଯାଞ୍ଚ କରିବା ସହ ସୁନା କିଣାବିକା ବିଲ୍‌ ଯାଞ୍ଚ କରିଥିଲେ।

Leave A Reply

Your email address will not be published.