Latest Odisha News

ସର୍ବିୟାରେ ବଡ ଅଘଟଣ, ବୃଦ୍ଧାଶ୍ରମରେ ନିଆଁ ଲାଗି ୮ ଜୀବନ୍ତ ଦଗ୍ଧ

ବେଲଗ୍ରେଡ: ସର୍ବିୟା ରାଜଧାନୀ ବେଲଗ୍ରେଡରେ ବଡ ଅଘଟଣ ଘଟିଛି। ଏଠାରେ ଥିବା ଏକ ବୃଦ୍ଧାଶ୍ରମରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବେଲଗ୍ରେଡର ବରାଜୋବେ ଅଞ୍ଚଳରେ ଏକ ବୃଦ୍ଧାଶ୍ରମରେ ଆଜି ସକାଳ ସମୟରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ସମୟରେ ଏହି ଆଶ୍ରମରେ ପ୍ରାୟ ୩୦ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ପ୍ରାୟ ୭ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ନିଆଁର ପ୍ରକୋପ ଏତେ ଅଧିକ ଥିଲା କି, ଆଖିପିଛୁଳାକେ ନିଆଁ ପୁରା ଆଶ୍ରମରେ ବ୍ୟାପି ଯାଇଥିଲା। ଏହି ଘଟଣାରେ ଗୁରୁତରମାନଙ୍କୁ ବେଲଗ୍ରେଡ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଖବର ମୁତବକ, ଏହି ଭୟଙ୍କର ଅଗ୍ନିକାଣ୍ଡରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଶବ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଏହି ପରିସ୍ଥିତିରେ ସେମାନଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ  ହୋଇପଡିଛି। ସେହିପରି ଚିକିତ୍ସିତ ହେଉଥିବା ଗୁରୁତର ଆହତମାନେ ମଧ୍ୟ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଏହି ନିଆଁ ଲାଗିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Comments are closed.