Latest Odisha News

BREAKING NEWS

ଶ୍ରୀଗୌରବିହାର ଆଶ୍ରମ ଥରେ ବୁଲି ଆସିଲେ ମନ ଶ୍ରୀକୃଷ୍ଣମୟ ହୋଇ ଉଠିବ

ଶ୍ରୀକ୍ଷେତ୍ର ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ଭାରତରେ ଏହା ଏ ଭଳି ଏକ ଧାର୍ମିକ ସ୍ଥଳ ଯେଉଁଠାରେ ସର୍ବଧର୍ମର ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମର ତେତ୍ରିଶ କୋଟି ଦେବତା ଏଠାରେ ଅଛନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ । ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ରୂପ ଭାବେ ଚିତ୍ରିତ କରାଯାଇଥାଏ । ଆଉ ସେଥିପାଇଁ ତାଙ୍କର ପରମ ଭକ୍ତ ଶ୍ରୀଚୈତନ୍ୟ ପୁରୀରେ ଅତି ପ୍ରିୟ । ଶ୍ରୀକ୍ଷେତ୍ରରେ ବୈଷ୍ଣବ ଧର୍ମୀ ଏବଂ ଗୌଡୀୟ ସମ୍ପ୍ରଦାୟର ଅନେକ ମଠ ଏବଂ ଉପାସନ ଗୃହ ରହିଛି । ଭଗବାନ ଶ୍ରୀକୃଷ୍ଣ ଏବଂ ଭକ୍ତ ଚୈତନ୍ୟଙ୍କ ଶିଷ୍ୟମାନେ ସୁଯୋଗ ମିଳିବା ମାତ୍ରେ ଏହି ପବିତ୍ର ଭୂମିକୁ ଧାଇଁ ଆସିଥାନ୍ତି । ଶ୍ରୀକ୍ଷେତ୍ର ହେଉଛି ଭକ୍ତ ଏବଂ ଭଗବାନଙ୍କ ମିଳନ ସ୍ଥଳୀ । ପୁରୀରେ ଥିବା ମାତା ମଠ ବା ଗୌରବିହାର ଆଶ୍ରମ ଚୌତନ୍ୟ ମହାପ୍ରଭୁଙ୍କ ବିହାର ଭୂମି ଭାବେ ମଧ୍ୟ ପରିଚିତ ।

ଏବେ ଏହି ସ୍ଥାନ ପର୍ଯ୍ୟଟକଙ୍କ ଅତି ପ୍ରିୟ ହୋଇ ଉଠିଛି । ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ଏବେ ବିଦେଶୀ ଭକ୍ତଙ୍କ ସମାଗମ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ମାତା ମଠରେ ଥରେ ପ୍ରବେଶ କରିବା ମାତ୍ରେ ମୋହ ମାୟା ଜୀବନରୁ ବାହାରି ମନ କିଛି ସମୟ ପାଇଁ ଶ୍ରୀକୃଷ୍ଣମୟ ହୋଇ ଉଠିଥାଏ । ଏହା ମଧ୍ୟରେ ରାଧାକୃଷ୍ଣଙ୍କ ଯୁଗଳ ବିଗ୍ରହଠାରୁ ଆରମ୍ଭ କରି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ପ୍ରାକୃତିକ ପରିବେଶରେ ପ୍ରସ୍ତୁତ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଏବଂ ପଂଚ ସଖାଙ୍କ ମୂର୍ତି ମଧ୍ୟ ଏଠାରେ ରହିଛି । ମାତା ମଠ ନେଇ ବିଭିନ୍ନ ତଥ୍ୟ ପ୍ରକାଶ ପାଉଥିଲେ ମଧ୍ୟ ଉତ୍କଳ ପ୍ରସଙ୍ଗ ଏବଂ ମହନ୍ତ ସୁବଳ ଚରଣ ଦାସଙ୍କ ଅନୁସାରେ ଶ୍ରୀମତି ରାଧାଦାସୀ (ଦଶପଲ୍ଲା ରାଜମାତା) ଶ୍ରୀକୃଷ୍ଣଙ୍କ ପରମଭକ୍ତ ଥିଲେ । ସେ ଏଠାରେ ରହି ତାଙ୍କୁ ପୂଜା କରୁଥିଲେ । ପରେ ସେ ମହନ୍ତ ଶ୍ରୀ ସୁବଳ ଚରଣ ଦାସଙ୍କୁ ଦାନସୂତ୍ରେ ଏହି ଜାଗା ବା ଜମି ପ୍ରଦାନ କରିଥିବାରୁ ଏହାର ନାମ ମାତା ମଠ ରହିଛି ।

ମହନ୍ତ ଯେତେବେଳେ ଏହାର ଦାୟିତ୍ୱ ନେଲେ ସେତେବେଳେ ଏହା ଥିଲା ଅସାମାଜିକ ଯୁବକଙ୍କ ପେଣ୍ଠସ୍ଥଳୀ । ବିଶେଷ କରି ଏହି ଜାଗା ଉପରେ ସେମାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲା । ମାତ୍ର ଶ୍ରୀକୃଷ୍ଣ ଭକ୍ତଙ୍କ ନିଷ୍ଠାପର ପରିଶ୍ରମ ଏବଂ ମହନ୍ତଙ୍କ ଉଦ୍ୟମ ବଳରେ ଏବେ ଏହା ମର୍ତ ବୈକୁର୍ଣ୍ଣ ସାଜିଛି କହିଲେ ଭୁଲ ହେବନି । ଏହାକୁ ଗୁପ୍ତ ବୃନ୍ଦାବନ ମଧ୍ୟ କୁହାଯାଏ । ଫନି ବାତ୍ୟା ପରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତଥାପି କୃଷ୍ଣ ଭକ୍ତଙ୍କ ଉଦ୍ୟମ ଯୋଗୁ ଏହା ପୁଣି ଆକର୍ଷଣୀୟ ହୋଇ ଉଠିଛି । ଏଠାରେ ମହାପ୍ରଭୁ ଚୈତନ୍ୟଙ୍କ ଏକ ବିଶାଳକାୟ ବିଗ୍ରହ ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି । ପୁରୀର ପ୍ରଫୁଲ୍ଲ ବେହେରା ଓ ବସନ୍ତ ବେହେରା ଏହି ବିଗ୍ରହକୁ ନିର୍ମାଣ କରିବେ ବୋଲି ମହନ୍ତ କହିଛନ୍ତି । ଚୈତନ୍ୟ ମହାପ୍ରଭୁ ଶ୍ରୀରାଧାକୃଷ୍ଣଙ୍କର ମିଳିତ ରାସରାଜ ବିଗ୍ରହ ହୋଇଥିବାରୁ ଏହାଙ୍କର ବର୍ଣ୍ଣ ତପ୍ତକାଂଚନ ଗୌରାଙ୍ଗ ସ୍ୱରୂପ ରଖାଯାଇଛି । ଏହି ଗୌରବିହାରରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ସମସ୍ତ ପର୍ବ ଧୂମ ଧାମରେ ପାଳନ କରାଯାଇଥାଏ ।

Leave A Reply

Your email address will not be published.