Latest Odisha News

BREAKING NEWS

ମନ୍ତ୍ରୀମଣ୍ଡଳରେ ସାତ ଜଣ ସଂପୂର୍ଣ୍ଣ ନୂଆ ଚେହେରା; ବାସନ୍ତୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର: ଏଥର ମନ୍ତ୍ରୀମଣ୍ଡଳରେ ୭ଜଣ ସଂପୂର୍ଣ୍ଣ ନୂଆ ମୁହଁ ଦେଖିବାକୁ ମିଳିଛି । ଯେଉଁମାନଙ୍କର ପୂର୍ବରୁ ଆଦୌ ଅଭିଜ୍ଞତା ନାହିଁ । ନବୀନ କାହାକୁ ବି କେତେବେଳେ ଆଉ କିଛି ବି ସୁଯୋଗ ଦେଇଦିଅନ୍ତି ବୋଲି ବିଜେଡିକୁ ଅତି ନିକଟରୁ ଦେଖୁଥିବା ଲୋକେ ଆଲୋଚନା କରନ୍ତି । ସେ ରାଜ୍ୟସଭା ଟିକେଟ ହେଉ କି ଲୋକସଭା । ନବୀନ ସମସ୍ତଙ୍କୁ ସୁଯୋଗ ଦିଅନ୍ତି ବୋଲି ଭାରି ଚର୍ଚ୍ଚା ।

ସେହିଭଳି ଏଥର ସାତ ଜଣ ନୂଆ ମୁହଁ ଭିତରୁ ନବୀନ ଜଣଙ୍କୁ ଦେଇଛନ୍ତି କ୍ୟାବିନେଟ ପାହ୍ୟା । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ମିଳିଛି କ୍ୟାବିନେଟ ପଦ । ସେ ନୂଆପଡ଼ାରୁ ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି । ୨୦୦୯ ଏବଂ ୨୦୧୯ରେ ସେ ଦୁଇ ଥର ବିଧାୟକ ହୋଇଥିବା ବେଳେ ୨୦୦୪ରେ ନିଜସ୍ୱ ବଳରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ ।

ଅନ୍ୟ ଛଅ ଜଣଙ୍କୁ ମିଳିଛି ରାଷ୍ଟ୍ର ମନ୍ତ୍ରୀ ପଦ । ସେମାନେ ହେଉଛନ୍ତି- ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୁକିନ୍ଦା ବିଧାୟକ- ପ୍ରୀତିରଞ୍ଜନ ଘଡ଼େଇ, ପୋଲସରା ବିଧାୟକ- ଶ୍ରୀକାନ୍ତ ସାହୁ, ରେଢ଼ାଖୋଲ ବିଧାୟକ- ରୋହିତ ପୂଜାରୀ, ବିଜେପୁର ବିଧାୟିକା- ରିତା ସାହୁ ଏବଂ କରଞ୍ଜିଆ ବିଧାୟିକା- ବାସନ୍ତୀ ହେମ୍ବ୍ରମ ।

ଅଶ୍ୱିନୀ ଯଥାକ୍ରମେ ୨୦୧୪ ଓ୨୦୧୯ରେ ବିଜେଡିରୁ ଦୁଇ ଥର ବିଧାୟକ ହୋଇଛନ୍ତି । ପୂର୍ବରୁ ୨୦୦୪ ମସିହାରେ ଥରେ ବିଜେପିରୁ ଜିତିଥିଲେ । ୨୦୧୪ରୁ ବିଜେଡିରୁ ଜିତିଥିଲେ ବି ଆହୁରି ଆଗରୁ ମନ୍ତ୍ରୀ ପଦ ମିଳିବାକୁ ଆଶା କରାଯାଉଥିଲା । ହେଲେ ତାଙ୍କୁ ବିଳମ୍ବରେ ମିଳିଛି ବୋଲି କୁହାଯାଉଛି ।

ପ୍ରୀତିରଞ୍ଜନ ଘଡ଼େଇ ଯାଜପୁର ରାଜନୀତିରେ ବେଶ୍ ସକ୍ରିୟ । ସାଂଗଠନିକ କ୍ଷମତା ଭଲ ଥିବାରୁ ତାଙ୍କୁ ସର୍ବଦା ଦଳରେ ପ୍ରାଧାନ୍ୟ ଦିଆଯାଇଥିବା କୁହାଯାଉଛି । ତାଙ୍କ ପିତା ପ୍ରଫୁଲ ଘଡ଼େଇ ଦଳରୁ ବହିଷ୍କାର ହୋଇଥିଲେ ବି ପ୍ରୀତିରଞ୍ଜନଙ୍କ ଉପରେ କିଛି ପ୍ରଭାବ ପଡ଼ିନଥିଲା ।

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏଥର ପ୍ରଥମ କରି ମନ୍ତ୍ରୀ ହୋଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବା ପାଇଁ ଶ୍ରୀକାନ୍ତଙ୍କୁ ମନ୍ତ୍ରୀ ପଦ ମିଳିଛି ବୋଲି କୁହାଯାଉଛି । ସେପଟେ ଗଞ୍ଜାମରୁ ହେଭିୱେଟ ବିକ୍ରମ ଆରୁଖଙ୍କୁ କାଢ଼ି ଉଷା ଦେବୀ ଓ ଶ୍ରୀକାନ୍ତଙ୍କୁ ମିଳିଛି ଦାୟିତ୍ୱ । ଏହି ସମୀକରଣ ଅନେକଙ୍କ ବୁଝିବା ବାହାରେ ଚାଲିଯାଇଛି ।

ପୂର୍ବରୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଥିବା ରୋହିତ ପୂଜାରୀଙ୍କୁ ମିଳିଛି ଏଥର ଉଚ୍ଚ ଶିକ୍ଷା ବିଭାଗ । ପଶ୍ଚିମ ଓଡ଼ିଶାର ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କ ଭିତରେ ରୋହିତ ବିଜେଡି ପାଇଁ ଭଲ ଆସେଟ୍ ରୂପେ କାମ ଦେଇଛନ୍ତି ।

ରିତା ସାହୁ ହେଉଛନ୍ତି ଓଡ଼ିଶାର ପ୍ରଥମ ବିଧାୟିକା । ଯିଏ କେବଳ ଉପ-ନିର୍ବାଚନରେ ଦୁଇ ଥର ବିଧାୟକ ଜିତିଛନ୍ତି । ପ୍ରଥମେ ସ୍ୱାମୀ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡି ଟିକେଟରେ ଲଢ଼ି ଜିତିଥିଲେ । ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିଥିବା ବେଳେ । ପ୍ରାଥମିକ ଆସନ ହିଞ୍ଜିଳି ଏବଂ ଦ୍ୱିତୀୟ ଆସନ ବିଜେପୁର ଥିଲା । ନବୀନ ଏଠାରୁ ଇସ୍ତଫା ଦେବା ପରେ ରିତା ଏଠାରୁ ପୁନଶ୍ଚ ପ୍ରାର୍ଥୀ ହୋଇ ଜିତିଥିଲେ ।

କରଞ୍ଜିଆରୁ ପ୍ରଥମ ଥର ବିଧାୟକ ହୋଇଥିବା ବାସନ୍ତୀ ହେମ୍ବ୍ରମ ଏଥର ମନ୍ତ୍ରୀ ପଦ ପାଇଛନ୍ତି । ନବୀନ ସରକାରରେ ଅତି ଗୁରୁତ୍ୱ ଦିଆଯାଉଥିବା ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ତାଙ୍କୁ ଦିଆଯାଇଛି । ଏହି ବିଭାଗ ନବୀନ ଭୋଟ ବ୍ୟାଙ୍କର ଏକ ବଡ଼ ଶାଖା ।

Leave A Reply

Your email address will not be published.