ଭୁବନେଶ୍ବର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନାଳକୁ ଖସିଗଲା କାର , ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଓଡ଼ିଆ ଶ୍ରଦ୍ଧାଳୁ ରହିଛନ୍ତି । କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି । ଏମାନେ ଭୁବନେଶ୍ବର ଜୟଦେବ ବିହାରର ଢାବା ମାଲିକ ବନମାଳୀ ବେହେରାଙ୍କ ପରିବାରର ବୋଲି ଜଣା ପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ପରିବାର ଓଡ଼ିଶାରୁ ଉଜ୍ଜୟିନୀ ବୁଲିବାକୁ ଆସିଥିଲେ; ପରେ ସେମାନେ କାର୍ ଯୋଗେ ନାଲଖେଡ଼ାସ୍ଥିତ ବଗଳାମୁଖି ମନ୍ଦିର ଯାଇଥିଲେ ଏବଂ ସେଠାରୁ ଫେରିବା ସମୟରେ ଦୁର୍ଘଟଣାଟି ଘଟିଥିଲା।
ମୃତକମାନେ ହେଲେ:- ଶିବ ବେହେରା (୪୦),ସ୍ୱୟଂପ୍ରଭା ବେହେରା (୭), କ୍ରିସ୍ ବେହେରା (୧୩),ରାଧାରାଣୀ ବେହେରା (୩୦),ଜ୍ଞାନେନ୍ଦ୍ର ବେହେରା (୪୦),ରୀତାରାଣି ବେହେରା (୩୫), ରିଶି ବେହେରା (୧୧) ।
ମଧ୍ୟପ୍ରଦେଶ ମାଲୱା ଅଞ୍ଚଳରେ ବଗଳାମୁଖି ମାତାଙ୍କୁ ଦର୍ଶନ କରିବାକୁ ଆସିଥିବା ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍ ଏକ ନାଳରେ ବୁଡ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ଯରେ ୭ଜଣ ଓଡ଼ିଶାର ଭୁବନେଶ୍ବର ହୋଇଥିବାବେଳେ ଅନ୍ୟଜଣେ ମୃତକ(ଡ୍ରାଇଭର) ମଧ୍ୟପ୍ରଦେଶର।
ମଧ୍ୟପ୍ରଦେଶରେ ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, “ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକମାନଙ୍କର ଦୁଃଖଦ ମୃତ୍ୟୁ ଘଟଣାରେ ମୁଁ ଗଭୀର ମର୍ମାହତ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ମୃତଦେହକୁ ଉଚିତ୍ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ସୁନିଶ୍ଚିତ କରିବା ପାଇଁ ମୁଁ ଅଧିକାରୀମାନଙ୍କୁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ଦୁଃଖଦ ସମୟରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ।”
ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣ ହରାଇବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କର ସଦ୍ଗତି କାମନା କରୁଛି।
ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ସରକାର ତଥା ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିବା ନିମନ୍ତେ…
— Mohan Charan Majhi (@MohanMOdisha) September 19, 2026
ସମସ୍ତ ପାର୍ଥିବ ଶରୀରକୁ ବିମାନରେ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି, ଓଡ଼ିଆ ତୀର୍ଥଯାତ୍ରୀମାନେ ଶନିବାର ମା’ ବଗଳାମୁଖି ମନ୍ଦିରରେ ଦର୍ଶନ ଶେଷ କରି ଏକ କାର୍ ଫେରୁଥିଲେ । ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଖିପିଛୁଳାକେ ପାଣିର ସ୍ରୋତରେ କାର୍ଟି ଭାସି ଯାଇଥିଲା । ଏହି ଦୁର୍ଘଟଣା ଏତେ ତତ୍କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା ।
ମାଲୱା ଜିଲ୍ଲାପାଳ ଶେର ସିଂହ ମୀନା କହିଛନ୍ତି, “ଭୋର ସମୟର ଅନ୍ଧକାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ନାଳରେ ପାଣିର ସ୍ତର କମିବା ପରେ ହିଁ କାର୍ର ଛାତ ଦୃଶ୍ୟମାନ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ଦଳ ଗାଡ଼ି ଭିତରୁ ଆଠଟି ମୃତଦେହ (ପାଞ୍ଚ ଜଣ ବୟସ୍କ ଓ ତିନି ଜଣ ଶିଶୁ) ଉଦ୍ଧାର କରିଥିଲେ । ପୋଲର ଉଭୟ ପାର୍ଶ୍ୱରେ ଲୁହାର ବ୍ୟାରିକେଡ୍ ରହିଛି, ତେଣୁ କାର୍ଟି ପୋଲ ଉପରୁ ଖସିପଡ଼ିଥିଲା ନା ଅନ୍ୟ କୌଣସି ସ୍ଥାନରୁ ପଡ଼ିଥିଲା, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ।”

