Latest Odisha News

ଖନନ କାର୍ଯ୍ୟ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ଏକାଧିକ ଘର: ଜଣେ ମୃତ, ଏକାଧିକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆଗ୍ରାରେ ଗୁରୁବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଖନନ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ଘର ଭୁଶୁଡ଼ି ପଡ଼ିଛି। ଏଥିରେ ଏକାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ ଧୂଳିଆଗଞ୍ଜ ସ୍ଥିତ ସିଟି ଷ୍ଟେସନ ବାହାରେ ଥିବା ଏକ ଧର୍ମଶାଳାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ୭ ଟି ଘର ଭୁଶୁଡ଼ି ପଡ଼ିଛି। ଏଥିରେ ଏକାଧିକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେବେ ଖବର ପାଇଁ ନିକଟସ୍ଥ ଥାନା କୋତୱଲୀର ହରିପର୍ବତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହଯୋଗରେ ଉଦ୍ଧାର ଲୋକଙ୍କୁ ଡାକ୍ତରଖାନା ପଠାଉଛି।

ଘଟଣା  ସ୍ଥଳରୁ ଏକ ନାବାଳିକାକୁ ଉଦ୍ଧାର କରାଯାଇଛି। ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥକ ଏସ୍‌ଏନ୍‌ ମେଡିକାଲ କଲେଜର ଏମାର୍ଜେନ୍ସିରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ଜଣେ ୪ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଘଟଣା ସମ୍ପର୍କରେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଏମ୍(ସିଟି) ଅଞ୍ଜନୀ କୁମାର କହିଛନ୍ତି “ସିଟି ଷ୍ଟେସନ ରୋଡ୍‌ର ମଇଥାନ ଏରିଆରେ ଘର ପଛପଟେ ଖନନ କାର୍ଯ୍ୟ ଚାଲିଥିବା ବେଳେ ୭ଟି ଘର ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ୪ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି।” ତେବେ ୫ ଜଣ ଏଥିରେ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ଡିଏମ୍ କହିଛନ୍ତି। ସକାଳ ୭ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଏଥିରେ ଏକ ମନ୍ଦିର ବି ଭୁଶୁଡ଼ି ପଡ଼ିଛି।

ମୃତ ନାବାଳିକା ରୁସାଲୀଙ୍କ ଯେଯେବାପାଙ୍କ ସୂଚନା ଅନୁସାରେ ତାଙ୍କ ଘର ସାମ୍ନାରେ ଥିବା ବିଶ୍ୱମ୍ବର ନାଥ ଧର୍ମାଶାଳାରେ ନିର୍ମାଣ କାମ ଜାରି ରହିଛି। ଏଥିରେ ବେସ୍‌ମେଣ୍ଟ ଖୋଳିବା ବେଳେ ହଠାତ୍ ତାଙ୍କ ଘର ସହ ଆଉ ୬ଟି ଘର ଭୁଶୁଡ଼ି ପଡ଼ିଥିଲା। ଏଥିରେ ସେ ତାଙ୍କ ପୁଅ ଓ ନାତୁଣୀ ଫସି ରହିଥିଲୁ। ବାପା ପୁଅ ଦୁଇ ଜଣ ଅଳ୍ପ ଆହତ ହୋଇଥିବା ବେଳେ ନାତୁଣୀ ରୁସାଲୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଯେଯେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆଖପାଖ ଅଞ୍ଚଳରେ ଲୋକ ଏହି ଖନନ କାମକୁ ବିରୋଧ କରୁଥିବା ବେଳେ କେହି ଶୁଣୁ ନଥିଲେ। କାମ ଜାରି ରହିଥିଲା। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି।

 

 

Leave A Reply

Your email address will not be published.