Latest Odisha News

BREAKING NEWS

ବିବାଦରେ ଶାହରୁଖ, ଅଜୟ ଓ ଟାଇଗର ଶ୍ରଫ୍: ପାନ ମସଲା ବିଜ୍ଞାପନ ପାଇଁ ନୋଟିସ୍ ଜାରି କଲା ମହାରାଷ୍ଟ୍ର ଏଫଡିଏ

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଏଫଡିଏ) ବଲିଉଡର ତିନି ଜଣ ଲୋକପ୍ରିୟ ସୁପରଷ୍ଟାର ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ଏକ ‘କାରଣ ଦର୍ଶାଅ’ ନୋଟିସ ଜାରି କରିଛି।

‘ଭିମଲ୍ ଇଲାଚି’ର ଏକ ବିଜ୍ଞାପନରେ ଅଭିନୟ କରିବା ନେଇ ସେମାନଙ୍କୁ ଏହି ନୋଟିସ୍ ଦିଆଯାଇଛି। ଏଏଫଡିଏର ଅଭିଯୋଗ ଅନୁଯାୟୀ, ଏହି ବିଜ୍ଞାପନ ମାଧ୍ୟମରେ ସେମାନେ ପରୋକ୍ଷରେ ମହାରାଷ୍ଟ୍ରରେ ନିଷିଦ୍ଧ ଥିବା ‘ଭିମଲ୍ ପାନ ମସଲା’ ଏବଂ ତମାଖୁ ଜାତୀୟ ଦ୍ରବ୍ୟର ପ୍ରଚାର କରୁଛନ୍ତି।

ଏଫଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଜ୍ଞାପନରେ ‘ଭିମଲ୍ ଇଲାଚି’ ଶବ୍ଦର ବ୍ୟବହାର ଗ୍ରାହକମାନଙ୍କୁ ଭିମଲ୍ ପାନ ମସଲା ସହିତ ଯୋଡ଼ିବାକୁ ପ୍ରୟାସ କରୁଛି, ଯାହା ଗ୍ରାହକମାନଙ୍କୁ ବିଭ୍ରାନ୍ତ କରିପାରେ । ମହାରାଷ୍ଟ୍ରରେ ପାନ ମସଲା ଏବଂ ଗୁଟଖା ଭଳି ତମାଖୁ ଜାତୀୟ ଦ୍ରବ୍ୟର ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ତେଣୁ, ଏହି ବିଜ୍ଞାପନକୁ ଏକ ନିଷିଦ୍ଧ ଦ୍ରବ୍ୟର ‘ସରୋଗେଟ୍ ଆଡଭର୍ଟାଇଜମେଣ୍ଟ’ ବୋଲି ବିବେଚନା କରାଯାଉଛି।

ଅଗଷ୍ଟ ୧୧ ତାରିଖରେ ଜାରି କରାଯାଇଥିବା ଏହି ନୋଟିସରେ ଏହି ତିନି ଅଭିନେତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ ଜବାବ ରଖିବାକୁ କୁହାଯାଇଛି। ଯଦି ସେମାନେ ୧୫ ଦିନ ଭିତରେ ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ ବିଜ୍ଞାପନ ଉପରେ ରୋକ୍ ଲଗାଯାଇପାରେ ।

ଏଥିସହିତ, ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୱେବସାଇଟରୁ ଏହି ବିଜ୍ଞାପନ ଏବଂ ପ୍ରମୋସନାଲ ଭିଡିଓଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ଏଏଫଡିଏ କଡ଼ା ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅକ୍ଷୟ କୁମାର ମଧ୍ୟ ଏହି ବିବାଦୀୟ ବ୍ରାଣ୍ଡର ବିଜ୍ଞାପନ କରି ଲୋକଙ୍କ ତୀବ୍ର ସମାଲୋଚନାର ଶିକାର ହେବା ପରେ ବ୍ରାଣ୍ଡ ଆମ୍ବାସାଡର ପଦରୁ ନିଜକୁ ଦୂରେଇ ନେଇଥିଲେ।

Leave A Reply

Your email address will not be published.