ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରେ ଆଶ୍ରୟ ଦିଆଯିବା ପ୍ରସଙ୍ଗ ଏବେ ଉଭୟ ଦେଶର କୂଟନୈତିକ ସମ୍ପର୍କରେ ଏକ ନୂଆ ବିବାଦର ସୂତ୍ରପାତ କରିଛି। ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ବଢ଼ୁଥିବା ଏହି ତିକ୍ତତା କାରଣରୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରହମାନଙ୍କ ସମ୍ଭାବ୍ୟ ଦିଲ୍ଲୀ ଗସ୍ତ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ କିଛି ଦିନ ହେବ ବାଂଲାଦେଶରେ ହୋଇଥିବା ପ୍ରବଳ ଗଣଆନ୍ଦୋଳନ ଏବଂ ରାଜନୈତିକ ପରିବର୍ତ୍ତନ ପରେ ଶେଖ ହସିନା ଦେଶ ଛାଡ଼ି ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଭାରତର ଏହି ପଦକ୍ଷେପକୁ ବାଂଲାଦେଶର ସରକାର ଏବଂ ପ୍ରମୁଖ ବିରୋଧୀ ଦଳ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ଉତ୍ତେଜନା ମଧ୍ୟରେ ବିଏନପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦିଲ୍ଲୀ ଗସ୍ତ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଦିଗରେ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ତେବେ ଦିଲ୍ଲୀରେ ହସିନାଙ୍କ ଉପସ୍ଥିତି ଏବେ ବିଏନପି ନେତୃତ୍ୱ ଏବଂ ଭାରତ ସରକାରଙ୍କ ମଧ୍ୟରେ ହେବାକୁ ଥିବା କୂଟନୈତିକ ବୁଝାମଣା ଏବେ କେଉଁ ଦିଗକୁ ଯିବ ତାହା ଅନିଶ୍ଚିତତା ଘେରକୁ ଠେଲି ଦେଇଛି ।
ଅନ୍ୟପକ୍ଷରେ, ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ନାଗରିକ ଲଗାତାର ଦାବି କରୁଛନ୍ତି ଯେ, ଶେଖ ହସିନାଙ୍କୁ ତୁରନ୍ତ ଢାକା ଫେରାଇ ଦିଆଯାଉ ଯାହାଦ୍ୱାରା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ଭାରତ ସର୍ବଦା ଶେଖ ହସିନାଙ୍କ ଆୱାମୀ ଲିଗ୍ ସରକାରଙ୍କ ସହ ସୁସମ୍ପର୍କ ରଖିଆସିଥିଲା। ମାତ୍ର ବର୍ତ୍ତମାନର ବଦଳୁଥିବା ରାଜନୈତିକ ସମୀକରଣରେ ବିଏନପି ସହ କଥାବାର୍ତ୍ତା କରିବା ନୂଆଦିଲ୍ଲୀ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
ଏଭଳି ସ୍ଥିତିରେ ନୂଆଦିଲ୍ଲୀ ପାଇଁ ଏକ ବଡ଼ କୂଟନୈତିକ ଧର୍ମସଙ୍କଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ପୁରୁଣା ମିତ୍ରଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ ଏବଂ ଅନ୍ୟପଟେ ପଡ଼ୋଶୀ ଦେଶର ନୂଆ ସରକାରଙ୍କ ସହ ସମ୍ପର୍କ ସୁଧାରିବାର ଆହ୍ୱାନ। ଆଗାମୀ ଦିନରେ ଭାରତ ସରକାର ଏହି ବିବାଦର ସମାଧାନ କିପରି କରିବେ ଏବଂ ତାରିକ୍ ରହମାନଙ୍କ ଗସ୍ତ ସମ୍ଭବ ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
