ଶ୍ରୀନଗର: ବନ୍ଦେ ମାତରମ୍ ଗାନକୁ ନେଇ ସହଯୋଗୀ ଦଳ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ମୁହଁ ଖୋଲିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। କଂଗ୍ରେସକୁ କଡ଼ା ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି, “କଂଗ୍ରେସ କ’ଣ ଚାହୁଁଛି ଯେ ଏହି ବିଷୟ ପାଇଁ କାଶ୍ମୀରୀମାନେ ଜେଲ୍ ଯାଆନ୍ତୁ?”
ଶ୍ରୀନଗରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଘାଟନୀ ସମାରୋହରେ ବନ୍ଦେ ମାତରମ୍ର ଗାନ କରାଯିବା ଏବଂ ଓମାର ଅବଦୁଲ୍ଲାଙ୍କ ସହ ଫାରୁକ୍ ଅବଦୁଲ୍ଲା ଠିଆ ହେବାକୁ ନେଇ କଂଗ୍ରେସ ଆପତ୍ତି ଜଣାଇଥିଲା। କଂଗ୍ରେସ ନେତା କେ. ସି. ଭେଣୁଗୋପାଳ ୧୯୩୭ର ପ୍ରସ୍ତାବ ଆଧାରରେ କେବଳ ପ୍ରଥମ ଦୁଇଟି ପଦ ଗାଇବାକୁ ପରାମର୍ଶ ଦେଇଥିଲେ।
ଏହାର ଜବାବରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ସଂସଦରେ ଜାତୀୟ ସଙ୍ଗୀତ ଏବଂ ଜାତୀୟ ଗୀତକୁ ନେଇ ଆଇନ୍ ପାରିତ ହୋଇସାରିଛି। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ର ସମ୍ପୂର୍ଣ୍ଣ ଗାନ କରିବା ଏବଂ ସମ୍ମାନ ଦେବା ଏକ ଆଇନଗତ ଓ ସାମ୍ବିଧାନିକ ବାଧ୍ୟତାମୂଳକତା । ଆଇନ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନର ଭୟ ରହିଛି।
ସେ ଆହୁରି କହିଛନ୍ତି, “ଆମ ଦଳ ଭାବେ ଆମେ କେବେ ବି ବନ୍ଦେ ମାତରମ୍କୁ ଗ୍ରହଣ କରିନୁ କି ଆଗକୁ କରିବୁନି, କିନ୍ତୁ ଆଇନଗତ ନିୟମ ପାଳନ କରିବାକୁ ବାଧ୍ୟ। ଯଦି କଂଗ୍ରେସ ସରକାରକୁ ଆସେ, ତେବେ ସଂସଦରେ ଏହି ଆଇନ ବଦଳାଇ ଦେଉ, ଆମର କୌଣସି ଆପତ୍ତି ନାହିଁ।”

