Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଇଲେକ୍ଟ୍ରିକ୍ ଗାଡି ବ୍ୟାଟେରୀରେ ବିସ୍ଫୋରଣ, ଜଳିଗଲା ସୋ’ରୁମ୍

ଏହି ଘଟଣା ଚଳିତବର୍ଷ ଷଷ୍ଠ ଇଲେକ୍ଟ୍ରିକ୍ ଗାଡି ଦୁର୍ଘଟଣା ଭାବେ ସାମ୍ନାକୁ ଆସିଛି

ଭୁବନେଶ୍ୱର: ବଢିଚାଲିଛି ପେଟ୍ରୋଲ୍ ଓ ଡିଜେଲ୍ ଦର । ଏଭଳି ସ୍ଥିତିରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡକୁ ମୁହାଁଉଛନ୍ତି । ଧୀରେଧୀରେ ଲୋକଙ୍କ ନିକଟରେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ମଧ୍ୟ ବଢିବାରେ ଲାଗିଛି । ହେଲେ ଚଳିତବର୍ଷ ଏକାଧିକ ଇଲେକ୍ଟ୍ରିକ୍ ଗାଡିରେ ବିସ୍ଫୋରଣ ଲୋକଙ୍କୁ କୋକୁଆ ଭୟରେ ରଖିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ସୋ’ରୁମର ଭିଡିଓ । ଚେନ୍ନାଇର କୁନରାଥୁର ଇଲାକାରେ ଥିବା ଓକିନାୱା କମ୍ପାନୀର ଏକ ଗାଡି ସୋ’ରୁମ ଅଗ୍ନିକାଣ୍ଡରେ ଧୂଳିସାତ ହୋଇଛି । ରାଜାରାମ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଏହି ସୋ’ରୁମରେ ଏକ ଇଲେକ୍ଟ୍ରିକ୍ ଗାଡିର ବ୍ୟାଟେରୀ ଚାର୍ଜରେ ବସାଯାଇଥିଲା । ହଠାତ୍ ସେହି ବ୍ୟାଟେରୀରେ ବିସ୍ଫୋରଣରେ ଘଟିବା ସହ ଚାହୁଁଚାହୁଁ ସୋ’ରୁମରେ ନିଆଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡରେ ଓକିନାୱା କମ୍ପାନୀର ୫ଟି ନୂଆ ଓ ୧୨ଟି ପୁରୁଣା ସ୍କୁଟି (ସର୍ଭିସିଂ ପାଇଁ ଆସିଥିବା ଗାଡି) ପୋଡି ପାଉଁଶ ହୋଇଥିବା ସୂଚନା ରହିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଏହି ଘଟଣା ପୂର୍ବରୁ ଓକିନାୱା କମ୍ପାନୀ ପ୍ରେଜ୍ ପ୍ରୋ ସ୍କୁଟିର ୩ ହଜାର ୨୧୫ ୟୁନିଟ୍ ଫେରାଇନେଇଥିବା ଜଣାପଡିଛି ।

ଏହି ଘଟଣା ଚଳିତବର୍ଷ ଷଷ୍ଠ ଇଲେକ୍ଟ୍ରିକ୍ ଗାଡି ଦୁର୍ଘଟଣା ଭାବେ ସାମ୍ନାକୁ ଆସିଛି । ଅନ୍ୟପଟେ ଅଗ୍ନିକାଣ୍ଡ ସ୍ଥଳରେ ପହଂଚି ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଛି । ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାବେଳେ ଇଲେକ୍ଟ୍ରିକ୍ ଗାଡି ଗ୍ରାହକଙ୍କ ମନରେ ଛନିକା ପଶିଯାଇଛି ।

Leave A Reply

Your email address will not be published.