ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦର ଗୁଣବତ୍ତା ବୃଦ୍ଧି, ସ୍ୱଚ୍ଛତା ରକ୍ଷା ଏବଂ ଆନନ୍ଦ ବଜାରରେ ବ୍ୟାପକ ଶୃଙ୍ଖଳା ଆଣିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରର ସୁଆର ଏବଂ ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଭକ୍ତମାନେ ଯେପରି ବିନା ଦ୍ୱିଧାରେ ଏବଂ ଉପଯୁକ୍ତ ମୂଲ୍ୟରେ ଶୁଦ୍ଧ ମହାପ୍ରସାଦ ପାଇପାରିବେ, ସେ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିରର ରୋଷଘରେ ମହାପ୍ରସାଦ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅବଢ଼ା ପ୍ରସ୍ତୁତିରେ ଖାଣ୍ଟି ଘିଅ ଏବଂ ଉନ୍ନତ ମାନର ସାମଗ୍ରୀ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସେବାୟତମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଏବଂ ପରିମଳ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ନେଇ ଆଲୋଚନା ହୋଇଛି। ସୁଆର ଓ ମହାସୁଆର ନିଯୋଗର ସେବାୟତମାନେ ମଧ୍ୟ ମହାପ୍ରସାଦର ପବିତ୍ରତା ବଜାୟ ରଖିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପକ୍ଷରେ, ଭକ୍ତଙ୍କୁ ମହାପ୍ରସାଦ ବିକ୍ରି ସମୟରେ ଦରଦାମ୍କୁ ନେଇ ଯେପରି କୌଣସି ଅସନ୍ତୋଷ ସୃଷ୍ଟି ନହୁଏ କିମ୍ବା ଶୋଷଣ କରା ନଯାଏ, ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ଦର ତାଲିକା ଲାଗୁ କରିବା ନେଇ ବୈଠକରେ ବିଚାରବିମର୍ଶ ହୋଇଛି । ଆନନ୍ଦ ବଜାରରେ ଅଣସେବାୟତ ବା ବେଆଇନ ବ୍ୟବସାୟୀଙ୍କ ପ୍ରବେଶକୁ କଡ଼ା ହସ୍ତରେ ଦମନ କରିବା ଏବଂ ପଲିଥିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ମହାପ୍ରସାଦ ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଆବେଗ ଜଡ଼ିତ। ତେଣୁ ଏହାର ଗୁଣବତ୍ତା ଓ ପବିତ୍ରତା ସହ କୌଣସି ପ୍ରକାରର ଆପୋଷ ବୁଝାମଣା ଗ୍ରହଣଯୋଗ୍ୟ ନୁହେଁ । ଆଗାମୀ ଦିନରେ ଏହିସବୁ ନିଷ୍ପତ୍ତିଗୁଡ଼ିକର କଡ଼ାକଡ଼ି ଅନୁପାଳନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଶ୍ରୀମନ୍ଦିର ପରିବେଶକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସରକାର ଏବଂ ସେବାୟତଙ୍କ ଏହି ମିଳିତ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

