ସୁବର୍ଣ୍ଣପୁର: ପୂର୍ବତନ ମନ୍ତ୍ରୀ ତଥା ସୋନପୁରର ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡ଼ି ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି । ତରଭା ସ୍ଥିତ ନୂଆ ବସ୍ଷ୍ଟାଣ୍ଡ ନିକଟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସମୟରେ ବିଧାୟକ ନିରଞ୍ଜନ ପୂଜାରୀ ନିଜ ରାମପୁର ସ୍ଥିତ ବାସଭବନରୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତରଭା ଅନ୍ତର୍ଗତ କମସରା ଅଞ୍ଚଳକୁ ଯାଉଥିଲେ । ତାଙ୍କ ଗାଡ଼ି ତରଭା ସହର ମଧ୍ୟରେ ପ୍ରବେଶ କରି ନୂଆ ବସ୍ଷ୍ଟାଣ୍ଡ ନିକଟ ଦେଇ ଅତିକ୍ରମ କରୁଥିବା ବେଳେ ହଠାତ୍ କିଛି ସ୍ଥାନୀୟ ଯୁବକ ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଏକାଧିକ ଅଣ୍ଡା ଫିଙ୍ଗିଥିଲେ । ଅଣ୍ଡାମାଡ଼ ହେବା କ୍ଷଣି ସୁରକ୍ଷା ଦୃଷ୍ଟିକୋଣରୁ ବିଧାୟକଙ୍କ ଗାଡ଼ି ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଇ ଯାଇଥିଲା ।
ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କଣ ଏବଂ କେଉଁମାନେ ଏହା ପଛରେ ଅଛନ୍ତି, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। କିଛି ସ୍ଥାନୀୟ ଯୁବକଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ତାହାରି ପ୍ରତିବାଦ ସ୍ୱରୂପ ଏଭଳି କାଣ୍ଡ ଘଟାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣାରେ କେହି ଆହତ ହୋଇନଥିବା ବେଳେ ଗାଡ଼ିର କୌଣସି ବିଶେଷ କ୍ଷତି ହୋଇନଥିବା ଜଣାପଡ଼ିଛି ।
ଖବର ଲେଖାହେବା ସୁଦ୍ଧା ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ଦାୟର ହୋଇନାହିଁ କିମ୍ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିନାହିଁ । ସେହିପରି ନିଜ ଆଡ଼ୁ ବିଧାୟକ ନିରଞ୍ଜନ ପୂଜାରୀ ବା ତାଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

