Latest Odisha News

ରଞ୍ଜନ କୁମାର ପଣ୍ଡାଙ୍କ ‘ଶ୍ରୀ ଚଣ୍ଡୀ ସାରଳା ମାଦଳା’ଉନ୍ମୋଚିତ

ଜଗତସିଂହପୁର : ଆଦିକବି ଆଦିକବି ସାରଳା ଦାସଙ୍କ ଜୀବନୀ ଉପରେ ରଚିତ ଓଡ଼ିଆ ପୁସ୍ତକ ‘ଶ୍ରୀ ଚଣ୍ଡୀ ସାରଳା ମାଦଳା’ ବିଶିଷ୍ଟ ଓଡ଼ିଆ ଗବେଷକ ପଣ୍ଡିତ ଅନ୍ତର୍ୟ୍ୟାମୀ ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ଏହି ଅବସରରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପ୍ରମଥ ପଟ୍ଟନାୟକ, ବିଶିଷ୍ଟ ଲେଖକ ଗୌରହରି ଦାସ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁକାଦେବା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ମୋଚିତ ପୁସ୍ତକରେ ସାରଳା ମନ୍ଦିର ସମ୍ପର୍କରେ ଅନେକ ଅଜଣା ତଥ୍ୟ ପାଠକମାନଙ୍କୁ ଅବଗତ କରାଇବା ସହ ଏହା ମନ୍ଦିର ଓ କବିଙ୍କ ସହ ଜଡ଼ିତ ଅନେକ ଅପ୍ରମାଣିତ ତତ୍ତ୍ବର ସମାଧାନ କରିବାରେ ସହାୟକ ହେବ ବୋଲି ପଣ୍ଡିତ ମିଶ୍ର ମତବ୍ୟକ୍ତ କରିଥିଲେ।

ପୁସ୍ତକର ମୁଖବନ୍ଧ ଲେଖିଥିବା ବିଶିଷ୍ଟ ଓଡ଼ିଆ ଲେଖକ ତଥା ଓଡ଼ିଆ ଦୈନିକ ‘ସମୟ’ର ସମ୍ପାଦକ ସାତକଡି ହୋତା କହିଛନ୍ତି ଯେ, ମନ୍ଦିରର ମୁଖ୍ୟ ପୂଜକ ଭାବେ ଏହି ବିଷୟ ସହିତ ଲେଖକଙ୍କ ଭାବଗତ ସମ୍ପର୍କ ମନ୍ଦିରର ଘଟଣାବହୁଳ ଇତିହାସ ଓ ସଂସ୍କୃତି ସମ୍ପର୍କରେ ଯତ୍ନର ସହ ଉପସ୍ଥାପିତ ତଥ୍ୟରୁ ପ୍ରତିଫଳିତ ହୋଇଛି। ସାରଳା ମନ୍ଦିରର ମୁଖ୍ୟ ପୂଜକ ତଥା ଜଗତସିଂହପୁରର ବିଶିଷ୍ଟ ଆଇନଜୀବୀ ରଞ୍ଜନ କୁମାର ପଣ୍ଡାଙ୍କ ଦ୍ୱାରା ଲିଖିତ ୩୪୩ ପୃଷ୍ଠାର ଏହି ପୁସ୍ତକରେ ୧୮ଟି ଅଧ୍ୟାୟ ରହିଛି। ଏଥିରେ ଶକ୍ତିପୂଜା ପରମ୍ପରା, ଦେବୀ ସାରଳାଙ୍କ ମୂର୍ତ୍ତିର ବୈଶିଷ୍ଟ୍ୟ, ବୌଦ୍ଧ ଧର୍ମ ସହ ଏହାର ସମ୍ପର୍କ, କବି ସାରଳା ଦାସଙ୍କ ଜୀବନ ଓ ବଂଶ, ସାରଳା ମନ୍ଦିର ସହ ତାଙ୍କର ସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି।

ସାରଳା ମନ୍ଦିର ଓ ଆଦିକବି ସାରଳା ଦାସଙ୍କ ଉପରେ କୌଣସି ପ୍ରାମାଣିକ ଓ ଗବେଷଣା ଭିତ୍ତିକ ସନ୍ଦର୍ଭର ଅଭାବ ମନ୍ଦିର ଉପରେ ଏକ ୱେବସାଇଟ୍ ନିର୍ମାଣବେଳେ ସେ ଅନୁଭବ କରିଥିଲେ ଏବଂ ସେଥରୁ ଏହି ପୁସ୍ତକର ପରିକଳ୍ପନା ହୋଇଛି। ଅନେକ ପ୍ରତ୍ୟକ୍ଷ ପ୍ରାଥମିକ ଉତ୍ସ ଏବଂ ଏହି ବିଷୟ ଉପରେ ୨୦୦ ରୁ ଅଧିକ ପୁସ୍ତକକୁ ଅନୁଧ୍ୟାନ କରି ଗବେଷଣା ଲବ୍ଧ ତଥ୍ୟକୁ ପୁସ୍ତକେର ଉପସ୍ଥାପନ କରାଯାଇଛି। ଏହି ପୁସ୍ତକଟି ଆହୁରି ଅନେକଙ୍କୁ ଏହି ବିଷୟରେ ଅଧିକ ଗବେଷଣା କରିବା ପାଇଁ ପ୍ରେରଣା ଦେବ ବୋଲି ଲେଖକ ଶ୍ରୀ ପଣ୍ଡା ତାଙ୍କ ଲେଖକୀୟ ଅଭିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲକ ବିହାରୀ ପଲାଇଙ୍କ ସମେତ ଜଳସମ୍ପଦ ବିଭାଗର ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ସାରଳା ମନ୍ଦିରର କାର୍ୟ୍ୟନିର୍ବାହୀ ଅଧିକାରୀ ସୂର୍ୟ୍ୟରଞ୍ଜନ ପରିଜା ପ୍ରମୁଖଙ୍କ ସହ ବହୁ ଗବେଷକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.