Latest Odisha News

ମାଲବୀୟ ମିଶନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି ତାଲିମ

ଦିଲ୍ଲୀ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦକ୍ଷତା ବଢିବ  । ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ “ମାଲବୀୟ ମିଶନ’ର ଶୁଭାରମ୍ଭ କରିଛନ୍ତି । ଭାରତୀୟ ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ସହିତ ଶିକ୍ଷକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏହି ମିଶନ ଆରମ୍ଭ  କରାଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଏହି ମିଶନ ଦ୍ୱାରା ସମଗ୍ର ଭାରତ  ବର୍ଷରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ୧୧୧ଟି ମାଲବୀୟ  ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ୧୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକମାନଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ତାଲିମ ଦିଆଯିବ ।

ଶିକ୍ଷକଙ୍କ ଗୁଣାତ୍ମକ ମାନ ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା  ବୃଦ୍ଧି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା ଏହି ମିଶନର ଲକ୍ଷ୍ୟ ରହିଛି ।  ଶିକ୍ଷକଙ୍କ ଭବିଷ୍ୟତ ମାର୍ଗକୁ ଆଗକୁ ନେବା ପାଇଁ ମାଲବୀୟ ମିଶନ ଅଧୀନରେ କାପାସିଟି  ବିଲ୍‌ଡିଂକୁ କ୍ରେଡିଟ୍‌ ଫ୍ରେମୱାର୍କରେ ମଧ୍ୟ ମ୍ୟାପିଂ କରାଯିବ । ସମାଜ ଓ  ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି  । ମଦନ ମୋହନ ମାଲବୀୟଙ୍କ ଭଳି ଆମର  ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ  ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ  ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ କୁଶଳୀ କରିବା ହେଉଛି ଶିକ୍ଷକଙ୍କର ଦାୟିତ୍ୱ  ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ.  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Comments are closed.