Latest Odisha News

BREAKING NEWS

ଶିମିଳିପାଳରୁ ଠାବ ହେଲା ୧୧୧୫ ଫୁଟର ଆକର୍ଷଣୀୟ ଜଳପ୍ରପାତ

ବାରିପଦା: ମର୍ତ୍ତ୍ୟର ନନ୍ଦନକାନନ କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜିବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଦୃଷ୍ଟି ଆଢୁଆଳରେ ରହିଥିବା ଏଭଳି ସ୍ଥାନ ଗୁଡିକୁ ଲୋକଲୋଚନକୁ ଆଣିବା ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଜିଲ୍ଲାର ଚର୍ଚ୍ଚିତ ସଂଗଠନ ମୟୂରଭଞ୍ଜ ମିରରର ସଦସ୍ୟ ମାନେ ଶିମିଳିପାଳ ଜାତୀୟ ଉଦ୍ୟାନର ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀ ଠାରୁ ପ୍ରାୟ ୫ କି.ମି. ଗଭୀର ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛନ୍ତି ସୁବର୍ଣ୍ଣଝରଣ ନାମକ ଏକ ଆକର୍ଷଣୀୟ ଓ ଅନାଲୋଚିତ ୧୧୧୫ ଫୁଟ ଉଚ୍ଚର ଜଳପ୍ରପାତ।

୬ ସ୍ତର ବିଶିଷ୍ଟ ଏହି ସୁବର୍ଣ୍ଣଝରଣ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ର ର ସବୁଜ ଆବରଣ ଭିତର ଦେଇ ବହୁଥିବାର ଜଣାଯାଇଛି | ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଏହି ଅଞ୍ଚଳଟି ରେ ଏଭଳି ଏକ ଜଳପ୍ରପାତ ଆବିଷ୍କୃତ ହେବା ପରେ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ୧୮ କି.ମି.ର ଦୁଃସାହସିକ ଯାତ୍ରାରେ ଅଙ୍କାବଙ୍କା ରାସ୍ତାରେ ସର୍ବମୋଟ ୮.୫ କି.ମି. ପାହାଡ ଚଢି ଜଳପ୍ରପାତର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ସହ ଏହି ଜଳପ୍ରପାତକୁ ଆବିଷ୍କାର କରିଥିଲେ ସଂଗଠନର ସଦସ୍ୟ ମାନେ। ଏହି ଦୁଃସାହସିକ ଯାତ୍ରାରେ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ବର ଭଞ୍ଜ, ବିଶ୍ବଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ ପ୍ରମୁଖ ସାମିଲ ଥିଲେ।

୨୭୫୦ ବର୍ଗଫୁଟ୍‌ ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅନେକ ଅନାବିଷ୍କୃତ ଦର୍ଶନୀୟ ସ୍ଥାନ ରହିଛି। ଏଗୁଡ଼ିକର ଠାବ କରିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଜିଲାର ଚର୍ଚ୍ଚିତ ସଙ୍ଗଠନ ମୟୂରଭଞ୍ଜ ମିରର ସର୍ବଦା କାର୍ଯ୍ୟ କରିଆସୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ । ସମୁଦ୍ର ପତ୍ତନଠାରୁ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ ମେଘାସନୀ ପର୍ବତ ଏହାର ଉଚ୍ଚତମ ଶୃଙ୍ଗ । ଏହି ପର୍ବତମାଳାର ସଂକୀର୍ଣ୍ଣ ଉପତ୍ୟକା ମଧ୍ୟ ଦେଇ ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଇତ୍ୟାତି ନଦୀ ପ୍ରବାହିତ । ଏହିଠାରେ ରାସ୍ନାଜାତୀୟ ପ୍ରଭାବର ଉଦ୍ଭିଦର ପ୍ରଭାବ ଅଧିକ । ଓଡ଼ିଶାରେ ମିଳୁଥିବା ୧୨୮ ପ୍ରକାର ଅର୍କିଡ଼ ମଧ୍ୟରୁ କେବଳ ଶିମିଳିପାଳରେ ୯୮ପ୍ରକାର ମିଳିଥାଏ । ଶିମିଳିପାଳ ଅଭୟାରଣ୍ୟରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ (୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର) ଦେଖାଯାନ୍ତି । ଏଠାରେ ଥିବ ଜୀବମାନଙ୍କ ମଧ୍ୟରେ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ବଳିଆ କୁକୁର ଓ ଗଧିଆ ଇତ୍ୟାଦି ମାଂସାଶୀ ଜୀବ ହାତୀ, ଗୟଳ, ସମ୍ବର, କୁଟୁରା, ହରିଣ, ଗୁରାଣ୍ଡି ଇତ୍ୟାଦି ତୃଣଭୋଜୀ ଜୀବ ଓ ବାରହା, ବଜ୍ରକାପ୍ତା, ଝିଙ୍କ, କଇଁଛ, ଅଜଗର ଏବଂ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ଶିମିଳିପାଳକୁ ୨୭ ମଇ ୨୦୦୯ରେ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଛି ।

 

Leave A Reply

Your email address will not be published.