Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୧: ଅସତରୁ ଅସଙ୍ଗ ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆଲୋଚନା, ତାହା ପୁଣି ବ୍ରହ୍ମବେତା ଶ୍ରୀଶୁକଦେବଙ୍କ ମୁଖରେ, ସବୁଠାରୁ ବଡ଼କଥା ଅଠାଅଶୀ ହଜାର ମୁନି ଋଷିଙ୍କ ଉପସ୍ଥିତି, ଏଭଳି ଏକ ପ୍ରକୃଷ୍ଟ ସତସଙ୍ଗ ଯୋଗୁଁ ରାଜା ପରୀକ୍ଷିକ ବିଷ୍ଣୁ ଲୋକ ପ୍ରାପ୍ତ ହେଲେ। ଶାସ୍ତ୍ର ମତରେ ଅସତରୁ ଅସଙ୍ଗ (ବିୟୋଗ)ହୋଇ, ସତ ସତ୍ତା ସହିତ ଯୋଗ ହେବା ହଁ ସତସଙ୍ଗ। ଆହୁରି କୁହାଯାଏ ବ୍ୟକ୍ତିର ଆଚରଣ, ଉଚ୍ଚାରଣ, ଧ୍ୟାନ, ଧାରଣା ସବୁଥିରୁ ଅସତ ସତ୍ତାର ନାଶ ହୋଇଗଲେ ସତ ସତ୍ତା ଆପେ ଆପେ ଆସିଯାଏ। କାରଣ ସତ ସତ୍ତା ପ୍ରତ୍ୟେକଙ୍କ ନିକଟରେ ବିଦ୍ୟମାନ ଥିଲା ଓ ବିଦ୍ୟମାନ ବି ରହିଥିବ। କେବଳ ଏହି ମାୟା ସଂସାରର ଅସତ ବନ୍ଧନ ତାହାକୁ ବାନ୍ଧିରଖିଥାଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-20-shrimad-bhagwat-freed-parikhita-from-the-cycle-of-birth-and-death/

ନିଜର ମନ ଓ ଭାବନାକୁ ସତ ଦିଗରେ ପରିଚାଳିତ କଲେ ବା ସତକୁ ସାଙ୍ଗ କରିନେଲେ ସମସ୍ତେ ରାଜା ପରୀକ୍ଷିତଙ୍କ ପରି ବିଷ୍ଣୁଲୋକ ପ୍ରାପ୍ତ କରିବାରେ ସକ୍ଷମ ହୋଇ ପାରିବେ ଏହାହିଁ ଶ୍ରୀମଦ ଭାଗବତର ମୂଳ ଶିକ୍ଷା। ଭଗବାନଙ୍କ ସଙ୍ଗଲାଭ କରିବା ଦୁର୍ଲଭ ହୋଇପାରେ, ଅସମ୍ଭବ ନୁହେଁ। ଏହାର କାରଣ ଭଗବାନ ଜୀବଙ୍କୁ ନିଜର ସଖା ମନେ କରିଥାନ୍ତି, ମୁଣ୍ଡକ ଉପନିଷଦରେ, ତେଣୁ କୁହାଗଲା “ଦ୍ୱା ସୁପର୍ଣ୍ଣା ସଜୁଯା ସଖାୟ, ସମାନଂ ବୃକ୍ଷଂ ପରିଷସ୍ୱଜାତେ ।” ଅର୍ଥାତ ଅସତର ପ୍ରତୀକ ସଂସାର ସମସ୍ତଙ୍କୁ ପରାଧୀନ କରିଥାଏ କିନ୍ତୁ ଭଗବାନ ସମସ୍ତଙ୍କୁ ନିଜର ଜ୍ଞାନ କରନ୍ତି।

ଶ୍ରୀମଦ ଭାଗବତ ଯେଣୁ ସ୍ୱୟଂ ଭଗବାନ ସ୍ୱରୂପ ତେଣୁ ସଂସାର ବନ୍ଧନ ମୁକ୍ତ କରାଇ ପ୍ରାଣୀଙ୍କୁ ବିଷ୍ଣୁଲୋକର ପଥ ଦେଖାଇଥାନ୍ତି। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ “ମିଥ୍ୟା ସଂସାର ବିଷ୍ଣୁ ମାୟା କେ ସତ୍ୟ କରିପାରେ ଏହା
କାଳର କ୍ରୀଡା ଏ ଜଗତ। କାଳକୁ କେବା ସମରଥ।। ପୁନଶ୍ଚ କହିଲେ
କଠୋର ସତ୍ୟ ଯେ ପାଳିବ।
ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ।।
+ + + +
ମରଣ କାଳେ ତୁମ୍ଭ ସଙ୍ଗ।
ତରିଲି ଏ ଭବ ତରଙ୍ଗ।।
ଶ୍ରୀମଦ ଭାଗବତଙ୍କ ଶରଣ, ଶ୍ରବଣ ଓ ମନନ ରାଜା ପରୀକ୍ଷିତଙ୍କୁ ମୁକ୍ତି ଦେଲା ପରି, ଏ ସାରା ସଂସାରକୁ କଳୁଷିତ ମୁକ୍ତ କରୁ ଏତିକି କାମନା
ଜୟ ଜଗନ୍ନାଥ
(ଦ.ତ୍ରି.ଉଵାଚ )

Comments are closed.