ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପାରାୟଣର ତିନୋଟି ଵିଧି ଅଛି
1.ସପ୍ତାହବ୍ୟାପି ପାରାୟଣ
2.ମାସିକ ପାରାୟଣ
3.ବାର୍ଷିକ ପାରାୟଣ
କୁହାଯାଏ ଏ କଳି ଯୁଗରେ ମନ୍ୟୁଷ ମାନେ ଦୀର୍ଘ ସମୟ ଧରି ବ୍ରତ, ଉପବାସ ଅବା ନିଷ୍ଠା ପାଳନ ଲାଗି ଆଗ୍ରହ ପ୍ରକାଶ କରୁନଥିବାରୁ ଏହି ସପ୍ତାହ ବ୍ୟାପି ଭାଗବତ ପାରାୟଣ ହିଁ ଉପଯୁକ୍ତ ବୋଲି ଶାସ୍ତ୍ର କହେ। କିନ୍ତୁ ଶାସ୍ତ୍ର ଅନୁସାରେ ମାସିକ ପାରାୟଣକୁ ସାତ୍ଵିକ ପାରାୟଣ ଓ ସାପ୍ତାହିକ ପାରାୟଣକୁ ରାଜସିକ ତଥା ବାର୍ଷିକ ପାରାୟଣକୁ ତାମସିକ ପାରାୟଣ ଭାବରେ ବିବେଚନା କରାଯାଇଛି। ସେ ଯାହାବି ହେଉ ଶ୍ରୀମଦ ଭାଗବତ ପାରାୟଣର ଏକ ପ୍ରମୁଖ ସ୍ଥଳି ହେଉଛି ନୈମିଷାରଣ୍ୟ।
କୁହାଯାଏ ଏହା ଭାଗବତ ପାରାୟଣର ନିତ୍ୟ ସ୍ଥଳି ହିସାବରେ ଯୁଗ ଯୁଗରୁ ପରିଚିତ
“ନୈମିଷେ8 ନିମିଷକ୍ଷେତ୍ରେ ଋଷୟଃ ଶୌନକାଦୟ8।
ସତ୍ରଂ ସ୍ବର୍ଗାୟ ଲୋକାୟ ସହସ୍ର ସମମାସତ।।”
ତେଣୁ ଆଜି ଆମେ ସେହି ନୈମିଷାରଣ୍ୟ ବିଷୟରେ ବିଷଦ ଆଲୋଚନା କରିବା। କଥିତ ଅଛି ଭୃଗୁ ବଂଶରେ ଗୃତ୍ସମଦ ନାମକ ଜଣେ ତେଜସ୍ୱୀ ଋଷି ଥିଲେ, ଯାହାଙ୍କ ପୁତ୍ର ଥିଲେ ଋଷି ଶୂନକ। ଏହି ଋଷି ଶୂନକଙ୍କ ପୁତ୍ର ହେଲେ ଉଗ୍ରତପି, ବୈରାଗୀ
ତଥା ମହାତେଜସ୍ୱୀ ଋଷି ଶୌନକ। ଯେ ପିଲା ଦିନରୁ ନିୟମ, ସଂଯମ ଆଚରଣ କରି ସର୍ବ ଋଷି ମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ। ଜନ୍ମରୁ ତ୍ୟାଗୀ ତଥା ସାଂସାରିକ ଭୋଗ ବାସନା ପ୍ରତି ଉଦାସୀନତା ଯୋଗୁଁ ତାଙ୍କର ଉପନୟନ ଵିଧି ସମାହିତ ହେବା ପରେ ସେ ନିଜ ପିତାଙ୍କ ପାଖରେ ତପ ସାଧିବା ପାଇଁ ଅନୁମତି ଭିକ୍ଷା କଲେ।
ତାଙ୍କର ଯୁକ୍ତି ଥିଲା ସେ ସେ କ୍ଷଣିକ ସାଂସାରିକ ସୁଖ ଆନନ୍ଦକୁ ଉପଭୋଗ ନକରି ଆତ୍ମ ସଂଯମ ପୂର୍ବକ ତପ ସାଧନ କରି ପରଂବ୍ରହ୍ମଙ୍କ ସାନିଧ୍ୟ ଲାଭ ପାଇଁ ଉଦ୍ୟମ କରିବେ। ତେଣୁ ପିତାଙ୍କ ଆଜ୍ଞା ପ୍ରକାରେ ନିଜର କିଛି ସହଯୋଗୀ ଋଷି ପୁତ୍ର ମାନଙ୍କ ସାହାଯ୍ୟ ନେଇ ସେ ତପସ୍ୟା ପାଇଁ ଏକ ଉପଯୁକ୍ତ ସ୍ଥାନର ସନ୍ଧାନରେ ପୃଥିବୀ ଭ୍ରମଣରେ ବାହାରି ପଡିଲେ। ଅନେକ ଋଷି ମୁନିଙ୍କ ଠାରୁ ଅତି ପାବନ କ୍ଷେତ୍ର ପ୍ରୟାଗ ତୀର୍ଥର ପରିଚୟ ପାଇ ସେହି ତୀର୍ଥ ଅଭିମୁଖେ ଯାତ୍ରା କଲେ ଶେଷରେ ପବିତ୍ର ଗଙ୍ଗା ଓ ଯମୁନା ନଦୀର ମିଳନ ସ୍ଥଳ ବା ସଙ୍ଗମ ସ୍ଥଳରେ ପୁଣ୍ୟ କ୍ଷେତ୍ର ପ୍ରୟାଗଙ୍କୁ ପାଇ ସେହିଠାରେ ତପସ୍ୟା କରିବାର ସଂକଳ୍ପ ନେଲେ।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-88-on-which-date-is-bhagavats-birthday/
ସେହି ପରମ ପାବନ ପ୍ରୟାଗ କ୍ଷେତ୍ରରେ ମହର୍ଷି ଭରଦ୍ୱାଜଙ୍କ ଆଶ୍ରମ ଥିଲା ତେଣୁ ଶୌନକ ଆଦି ଋଷି ମାନେ ତାଙ୍କର ଆଶୀଷ ଭିକ୍ଷା କଲେ। ସହାସ୍ୟବଦନରେ ଋଷି କୁମାର ମାନଙ୍କୁ ଅଭିବାଦନ ଜଣାଇ, ତାଙ୍କର ଉପଯୁକ୍ତ ସତ୍କାର କଲେ ମହର୍ଷି ଭରଦ୍ୱାଜ, ଶେଷରେ ନିଜ ପାଖରେ ବସାଇ ସ୍ନେହ ପୂର୍ବକ ପ୍ରଶ୍ନ କଲେ, ହେ ଋଷି କୁମାର ଗଣ ଆପଣ ମାନଙ୍କ ଏହି ପାବନ କ୍ଷେତ୍ରକୁ ଆଗମନର ପ୍ରକୃତ କାରଣ କଣ ଏହାର ଉତ୍ତରରେ ଋଷି କୁମାର ଗଣ କଣ କହିଲେ ସେ ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ବର୍ତ୍ତମାନ କିନ୍ତୁ ଏତକି ଜାଣିବା ଶୌନକ ଋଷିଙ୍କ ମନରେ ଯେପରି ସଂସାରର କ୍ଷଣିକ ଆନନ୍ଦ ପ୍ରତି ଅଭିଳାଷ ନରହି ପରମ ଆନନ୍ଦ ପାଇଁ ତପସ୍ୟା କରିବାର ଅଭିଳାଷ ଜାଗିଲା।
ସେହିପରି ଆପଣ ମାନେ ଈଶ୍ୱର କୃପା ପ୍ରାପ୍ତି ନିମନ୍ତେ ଶ୍ରୀମଦ ଭାଗବତ ଅଧ୍ୟୟନର ଅଭିଳାଷ ନିଜ ମନରେ ଜାଗ୍ରତ କରନ୍ତୁ, କାରଣ
ପ୍ରାଣୀଏ ହୋନ୍ତି ଆତ ଯାତ।
ନ ବୁଝି ବେଦ ର ବୃତ୍ତାନ୍ତ।।
ଏ ବୋଲ ବୁଝି ତୁ ନିରତେ।
କେବଳ ଆଶ୍ରା କର ମୋତେ।।
ଶ୍ରୀଜଗନ୍ନାଥ ଦାସଙ୍କ ଏହି ଅମୀୟ ବାକ୍ୟ ସହ।
ଜୟ ଜଗନ୍ନାଥ
(ଦ.ତ୍ରି. ଉଵାଚ)
Comments are closed.