Latest Odisha News

BREAKING NEWS

ଶୁଭା ଶର୍ମାଙ୍କ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଆଜି ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ଡ. ପ୍ରତିଭା ରାୟ କହିଛନ୍ତି ଯେ, ଉପନ୍ୟାସ ରଚନା ଲେଖକ ବା ଲେଖିକାର ବୃତି ନୁହେଁ ବରଂ ଏକ ପ୍ରବୃତି ଅଟେ । ଏହାକୁ ସୃଷ୍ଟି କରିବା କାଠିକର ପାଠ । ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା, ଯଦ୍ୱାରା ଏହାକୁ ଲେଖିବା ନିମନ୍ତେ ଅହର୍ନିଶ ଭାବିବାକୁ ପଡିଥାଏ । ଲେଖିକା ଶ୍ରୀମତୀ ଶର୍ମାଙ୍କର ଉପନ୍ୟାସଟିକୁ ଡ. ରାୟ ଉଚ୍ଚ ପ୍ରଶଂସା କରିଥିଲେ । ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଏଭଳି ଉଚ୍ଚକୋଟିର ସାହିତ୍ୟ ରଚନା ସହିତ ସେଥିରେ ରହିଥିବା ଶବ୍ଦବିନ୍ୟାସ ବେଶ୍ ଆକର୍ଷଣୀୟ ବୋଲି କହିଥିଲେ ।

ସରକାରୀ ସେବାରେ ରହି ବହୁ କବି, କବିତା ଲେଖୁଥିବାବେଳେ ଉପନ୍ୟାସକାରଙ୍କ ସଂଖ୍ୟା ନଗଣ୍ୟ । ଶ୍ରୀମତୀ ଶର୍ମା ତାଙ୍କ ଜୀବନରେ ଆହୁରି ଅଧିକ ଉପନ୍ୟାସ ରଚନା କରିଚାଲନ୍ତୁ ଓ ଗଳ୍ପକଥନରେ ତାଙ୍କର ଚଲାପଥ କୁସୁମିତ ହେଉ ବୋଲି ଡ. ରାୟ କହିଥିଲେ ।

ଏହି ଉତ୍ସବରେ ଯୋଗଦେଇ ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ କହିଲେ ଯେ, ଶୁଭା ଶର୍ମା ଜଣେ ପ୍ରତିଭାଶାଳୀ ଲେଖିକା ଓ ଭାଷା ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି । ତାଙ୍କ ଉପନ୍ୟାସର କବିତା ସୁଲଭ ଭାବପ୍ରବଣତା ଓ ସାବଲୀଳତା ଅନୁଭୂତ ହେଉଛି । ଉପନ୍ୟାସଟିରେ ସମାଜ ଓ ଯୌଥ ପରିବାରର ଜୀବନ ଶୈଳୀକୁ ଗଭୀର ଭାବରେ ଅନୁଧ୍ୟାନ କରାଯାଇ ବ୍ୟକ୍ତ କରାଯାଇଛି । ଶ୍ରୀମତୀ ଶର୍ମା ଜଣେ ସୁନାମଧନ୍ୟ ଗାଳ୍ପିକା । ‘ଦି ଆୱାସ୍ଥିସ୍ ଅଫ୍ ଆମ୍‌ନଗ୍ରି’ ଉପନ୍ୟାସଟିରେ ପାଠକୀୟ ଆଦୃତି ଲାଭ କରିବାର ସମସ୍ତ ଗୁଣ ଭରି ରହିଛି ।

ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ କହିଲେ ଯେ, “ଆମର ଯୌଥ ପରିବାର ବ୍ୟବସ୍ଥାର ବିଶେଷତ୍ୱ ସଂପର୍କରେ ସମସ୍ତେ ଜାଣି ପାରୁଛନ୍ତି । ଶୁଭା ଶର୍ମାଙ୍କର ଏହି ଉପନ୍ୟାସଟି ମଜାଳିଆ ଏବଂ ପାଠକମାନଙ୍କୁ ଆକର୍ଷିତ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ଆମକୁ ପୁରୁଣା ଯୁଗର ଜୀବନଶୈଳୀର ଅନୁଭବ ଆଣିଦେଉଛି”।

ଏହି ଭର୍ଚୁଆଲ ଉତ୍ସବରେ ପ୍ରମୁଖ ସାହିତ୍ୟିକ ଓ ସମୀକ୍ଷକ ଯୋଗଦେଇ ଉପନ୍ୟାସର ବିଭିନ୍ନ ଦିଗ ସଂପର୍କରେ ସମୀକ୍ଷା କରି ଉପନ୍ୟାସଟି କିଶୋର ଓ ତରୁଣ ବର୍ଗର ପାଠକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତି ଲାଭ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ପୁରୁଣା ସମୟ ଓ ନୂଆ ସମୟ ମଧ୍ୟରେ ସଂପର୍କ, ସଂଘାତ ଓ ସମନ୍ୱୟ ଏବଂ ପୁରାତନ ମୂଲ୍ୟବୋଧ ଆଧାରରେ ନୂଆ ଯୁଗର ଜୀବନଜୀବିକାର ଆକଳନ ହେଉଛି ଉପନ୍ୟାସର ବିଷୟବସ୍ତୁ, ଯାହାକୁ ଲେଖିକା ଏକ ଖାଂଟି ଭାରତୀୟ ପରିବାରକୁ କେନ୍ଦ୍ର କରି ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ଭାରତୀୟ ଯୌଥ ପରିବାର ମଧ୍ୟରେ ସଂପର୍କ, ସଂପ୍ରୀତି ଓ ଭାବଗତ ଏହାକୁ ଅତି ନିଖୁଣ ଭାବରେ ଏଥିରେ ପରିପ୍ରକାଶ କରାଯାଇଛି ।

ଲେଖିକା କହିଛନ୍ତି ଯେ, ସାଂପ୍ରତିକ ଯୁଗରେ ବ୍ୟସ୍ତବହୁଳ ଜୀବନ ଓ ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ବ୍ୟକ୍ତିମାନଙ୍କର ପରିବାର ଓ ଘର ପ୍ରତି ଆସକ୍ତି ଆସିଛି । ଅପ୍ରତ୍ୟାଶିତ ଭାବରେ ଅପ୍ରତ୍ୟାଶିତ ସ୍ଥାନରେ ଏହା ଘଟୁଛି । ହ୍ୱାଟ୍‌ସଆପ୍‌ର ଫରୱାର୍ଡ ଆମକୁ ପୁରୁଣା ଦିନ ବିଷୟରେ ସ୍ମରଣ କରାଉଛି।

ସଂପ୍ରତି ଦେଖାଯାଉଥିବା ଟୁଇଟର ଟ୍ରେଣ୍ଡ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଆମକୁ ୧୯୭୦, ୧୯୮୦ ଏପରିକି ୧୯୯୦ ଦଶକର ପୁରୁଣା କଥା ମନେପକାଇ ଦେଇପାରିଛି । ଲେଖିକା ତାଙ୍କ ଜୀବନର ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଯେତେବେଳେ ଗ୍ରୀଷ୍ମ ଛୁଟିରେ ଅଧିକ ସମୟ କାର୍ଡ ଖେଳ ଓ ମଜାମଉଜରେ ସମୟ ଅତିବାହିତ ହେଉଥିଲା । ଏବେ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ୍ ବିନା ସମୟ କଟାଇ ପାରୁନାହାଁନ୍ତି।

ପରିବାର ସମ୍ମୁଖୀନ ହେଉଥିବା ଘଟଣାବଳୀ ଯଥା ହଜି ଯାଇଥିବା ରତ୍ନ, ଚୋରି ହୋଇଥିବା ଅଣ୍ଡା ଆଦି ମଧ୍ୟରେ ଗଳ୍ପର ରହସ୍ୟର ଉନ୍ମୋଚନ ନିମନ୍ତେ ଆଗେଇ ଆସିଛନ୍ତି କିଶୋରୀ ଲକ୍ଷ୍ମୀ ଓ ଗୁଡୁ । ଆବିର୍ଭାବ ହୋଇଛନ୍ତି ଗୈରିକ ବସ୍ତ୍ର ଅଭିହିତ ଗୁରୁଜୀ, ଉତ୍‌ଥାନ, ପତନ, ଆଶା ଆଶଙ୍କା ମଧ୍ୟରେ ଗତି କରୁଥିବା କାହାଣୀର ସୂତ୍ରଧର ହେଉଛନ୍ତି ମାତାଜୀ, ଯିଏ ଘଟଣା ପ୍ରବାହକୁ ଗତିଶୀଳ କରାଉଛନ୍ତି । ପରିବାର ହେଉଛି ଆମ୍‌ନଗ୍ରିର ସ୍ୱାଦିଷ୍ଟ ରସଯୁକ୍ତ, ରହସ୍ୟମୟ ଆମ୍ବ ଭଳି ଯାହା ପରିବାରକୁ ମଧୁମୟତାର ବନ୍ଧନରେ ଏକାଠି ବାନ୍ଧି ରଖିଛି ।

ଲେଖିକା ଶ୍ରୀମତୀ ଶର୍ମା ଲେଡି ଶ୍ରୀରାମ କଲେଜ ଓ ଜେଏନ୍‌ୟୁରୁ ଶିକ୍ଷା ସମାପ୍ତି ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବିଭିନ୍ନ ସ୍ଥାନରେ ଓ ପଦପଦବୀରେ କାର୍ଯ୍ୟ କରିଆସିଛନ୍ତି ।

ସଂପ୍ରତି ସେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ । ଯୋଗ, ଭ୍ରମଣ, ସନ୍ତରଣ ଓ ‘ବନସାଇ’ ସଂଗ୍ରହରେ ରୁଚି ରଖିଥିବା ଶ୍ରୀମତୀ ଶର୍ମାଙ୍କର ଏହା ଦ୍ୱିତୀୟ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ପୁସ୍ତକ ‘ଫ୍ଲାଇ ଅନ୍ ଦି ୱାଲ୍ ଆଣ୍ଡ ଅଦର ଷ୍ଟୋରିସ୍‌’ ବହୁଳ ପାଠକୀୟତା ହାସଲ କରିବା ସହିତ ଉଭୟ ସମାଲୋଚକ ଓ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା, ଯାହା ହିନ୍ଦୀ ଓ ଅନ୍ତର୍ଜାତୀୟ (ଇଟାଲିଆନ୍ ଓ ହେବ୍ରୁ)

ଭାଷାରେ ମଧ୍ୟ ଅନୂଦିତ ହୋଇଛି । ନିୟୋଗୀ ବୁକ୍ସ ଦ୍ୱାରା ପ୍ରକାଶିତ ଓ ଅଦ୍ୟ ଉନ୍ମୋଚିତ ପୁସ୍ତକଟି ଆମାଜନ୍ ଓ ଅନ୍ୟାନ୍ୟ ବୁକ୍ ଷ୍ଟୋରରେ ଉପଲବ୍ଧ ହେବ ।

Leave A Reply

Your email address will not be published.