ଓଡ଼ିଆ ସଂସ୍କୃତିରେ ମୁରୁଜ

ଭୁବନେଶ୍ୱର: ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ଇତିହାସ କହେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ ମୁରୁଜ ଅଙ୍କାଯାଉଥିଲା ।

ସେତେବେଳେ ମୁରୁଜକୁ ‘ଆଲ୍ପନା’ କୁହାଯାଉଥିଲା, ଯାହା ସଂସ୍କୃତ ଶବ୍ଦ ‘ଓଲାନପିନ’ରୁ ଉଦ୍ଧୃତ, ଯାହର ଅର୍ଥ ଚିତ୍ର ଆଙ୍କିବା ।

ପୌରାଣିକ କିମ୍ବଦନ୍ତୀ:

ବହୁବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ । ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର । ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କର ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା ରାଜ୍ୟବାସୀ ଏହି ଘଟଣାରେ ଦୁଃଖିତ ହୋଇପଡ଼ିଲେ । ପଣ୍ଡିତଙ୍କ ପୁତ୍ରକୁ ଜୀବନଦାନ ଦେବା ପାଇଁ ସମସ୍ତେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ ମୃତ ପଣ୍ଡିତପୁତ୍ରଙ୍କର ଚିତ୍ର ମୁରୁଜରେ ଆଙ୍କିଲେ ସେ ସେହି ଚିତ୍ରକୁ ଜୀବନଦାନ କରିବେ । ବ୍ରହ୍ମାଙ୍କ ଏପରି ନିର୍ଦ୍ଦେଶରେ ରାଜା ଚିତ୍ରଲକ୍ଷଣ ନିଜେ ମୁରୁଜରେ ପିଲାଟିର ଚିତ୍ର ଆଙ୍କିଲା ପରେ ବ୍ରହ୍ମା ସେହି ଚିତ୍ରପ୍ରତିମାଟିକୁ ଜୀବନଦାନ ଦେଇଥିଲେ । ସେହି ଦିନଠାରୁ ମୁରୁଜକୁ ସାରା ରାଜ୍ୟବାସୀ ଶୁଭ ବୋଲି ମାନିଲେ ଏବଂ ପ୍ରତ୍ୟେକ ଦିନ ଘର ଅଗଣାରେ ମୁରୁଜରେ ଚିତ୍ର ଆଙ୍କିବାକୁ ଲାଗିଲେ ।

କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚକ ଭାବେ ପାଳନ କରାଯାଏ । ଏହି ସମୟରେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ ।

ଅରୁଆ ଚାଉଳ ଗୁଣ୍ଡକୁ ମୁରୁଜ ଭାବେ ବ୍ୟବହାର କରାଯାଏ । ଅଧିକ ଆକର୍ଷଣୀୟ କରିବା ପାଇଁ ମୁରୁଜରେ ବିଭିନ୍ନ ରଙ୍ଗ ମିଶାଯାଇଥାଏ । ପୂର୍ବେ ଗଛର ପତ୍ର, ଫୁଲ ପାଖୁଡ଼ା ଆଦିକୁ ଗୁଣ୍ଡକରି ବିଭିନ୍ନ ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ଧଳା ରଙ୍ଗ ପାଇଁ ଚାଉଳ ଗୁଣ୍ଡ, ହଳଦିଆ ପାଇଁ ହଳଦୀ ଗୁଣ୍ଡ, ସବୁଜ ରଙ୍ଗ ପାଇଁ ଗଛର ପତ୍ର, ନାଲି ରଙ୍ଗ ପାଇଁ ହଳଦୀଗୁଣ୍ଡ ସହ ଚୁନପଥର ଗୁଣ୍ଡର ମିଶ୍ରଣ, ମାଟିଆ ରଙ୍ଗ ପାଇଁ ଗଛର ଶୁଖିଲା ବକଳ ଓ କଳା ରଙ୍ଗ ପାଇଁ ନଡ଼ିଆ ଶଢେଇ, ଘଷି କିମ୍ବା କାଠ ଅଙ୍ଗାରରୁ ପ୍ରସ୍ତୁତ ଅଙ୍ଗାର ବ୍ୟବହର କରାଯାଉଥିଲା । ଏବେ ଅରୁଆ ଚାଉଳ ଗୁଣ୍ଡ ଛଡ଼ା ଏକପ୍ରକାର ପଥରର ଗୁଣ୍ଡକୁ ବ୍ୟବହାର କରାଯାଉଛି ଓ ବିଭିନ୍ନ ରଙ୍ଗର ଅବିର ମିଶାଇ ରଙ୍ଗୀନ ମୁରୁଜ ପ୍ରସ୍ତୁତ କରାଯାଉଛି ।

ମୁରୁଜ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ରଙ୍ଗ ମଧ୍ୟରେ ହଳଦୀ, ନାଲି, କଳା, ଧଳା ଓ ସବୁଜ ରଙ୍ଗକୁ ପଞ୍ଚରଙ୍ଗ କୁହାଯାଏ । ବିଭିନ୍ନ ଦେବ ଦେବୀଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ମୁରୁଜ ବ୍ୟବହାର କରାଯାଏ । ଜଗନ୍ନାଥଙ୍କ ପାଇଁ ହଳଦିଆ, ବଳଭଦ୍ରଙ୍କ ପାଇଁ ସବୁଜ, ସୁଭଦ୍ରାଙ୍କ ପାଇଁ ହଳଦିଆ, ଶିବଙ୍କ ପାଇଁ କଳା ଓ ଧଳା, ସୂର୍ଯ୍ୟ, ଗଣେଶ ଓ ସୁଦର୍ଶନଙ୍କ ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଏ ।