ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’
ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମାସର ‘ମାଣବସା ଗୁରୁବାର’ ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର ସମ୍ପର୍କରେ ସୂଚେଇ ଦେବା ଭଲ ହେବ । ଏହି ଚରିତ୍ରଟି ସାରଳା ଦାସ ଓ ବଳରାମ ଦାସଙ୍କ ଲେଖନୀରେ ଦେଖିବାକୁ ମିଳେ । ବହୁ ସମାଲୋଚକ ଓ ଗବେଷକଙ୍କ ଦ୍ୱାରା ସମର୍ଥିତ ନହେଲେ ମଧ୍ୟ ଡକ୍ଟର ବଂଶୀଧର ମହାନ୍ତି ସାରଳା ଦାସ ‘ ଲକ୍ଷ୍ମୀ ନାରାୟଣ ବଚନିକା’ ବା ‘ଲକ୍ଷ୍ମୀ ପୁରାଣ’ ଲେଖିଥିବା ବେଳେ ପଞ୍ଚସଖା ଯୁଗରେ ଶ୍ରୀୟା ଚଣ୍ଡାଳୁଣୀ ଓ ଜଗନ୍ନାଥ ଲକ୍ଷ୍ମୀଙ୍କ କଳି ପ୍ରସଙ୍ଗ ସଂଯୋଜିତ କରି ବଳରାମ ଦାସ ଲେଖିଥିବା ଜନପ୍ରିୟ ‘ଲକ୍ଷ୍ମୀ ପୁରାଣ’ ସାରଳାଙ୍କ ପ୍ରଭାବରେ ସୃଷ୍ଟି ବୋଲି କୁହାଯାଇପାରେ ।
ଉଭୟ କବି କୁଳ ଲକ୍ଷ୍ମୀଙ୍କୁ ସଦାଚାର ଓ ନୀତିନିୟମ ପାଳନ ପୂର୍ବକ ଲକ୍ଷ୍ମୀଙ୍କର ପୂଜା କରିବା ପାଇଁ ସୁନ୍ଦର ନୀତି ଉପଦେଶ ପ୍ରଦାନ କରିଛନ୍ତି । ବହୁ ସାମାଜିକ ରୀତିନୀତି, ଆଚାର ବ୍ୟବହାର, ସ୍ୱାସ୍ଥ୍ୟ ରକ୍ଷା, ଗୃହିଣୀର କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦେବା ସହ ଜାତି ପ୍ରଥା ଉପରେ ଟିପ୍ପଣୀ ଦେଇଛନ୍ତି । ପୁରୁଷ ସେବିତ ଭାରତୀୟ ସମାଜରେ ନାରୀ ସ୍ୱାଧୀନତାର ବୈପ୍ଳବିକ କ୍ଷୀଣ ସ୍ୱରଟିଏ ଉତ୍ଥାପନ କରିଛନ୍ତି । ଶ୍ରୀୟା ଚଣ୍ଡାଳୁଣୀର ଭକ୍ତି ଓ ସେବାରେ ସନ୍ତୁଷ୍ଟ ହୋଇ ଲକ୍ଷ୍ମୀ ନିଜେ ଯାଇ ତା’ର ଘରେ ଅଭ୍ୟର୍ଥିତ ହେବା ଓ ତାର ଭକ୍ତିରେ ସନ୍ତୁଷ୍ଟ ହୋଇ ବରଦାନ ଦେବା ଉଲ୍ଲେଖ ଅଛି ।
ଏକଥା ସତ୍ୟଯେ ସାରଳା ଦାସଙ୍କ ପରେ ଓଡ଼ିଆ ସାହିତ୍ୟରେ ମୁଖ୍ୟତଃ ଦ୍ୱିତୀୟ ପୁରାଣକାର ଭାବରେ ଷୋଡ଼ଶ ଶତାବ୍ଦୀର ବଳରାମ ଦାସଙ୍କୁ ଧରାଯାଏ । ସାରଳା ଦାସ ‘ମହାଭାରତ’କୁ ପୁରାଣ ରୂପ ଦେବା ଭଳି ବଳରାମ ଦାସ ସେଭଳି ତାଙ୍କ ରଚିତ ‘ରାମାୟଣ’କୁ ‘ବିଷ୍ଣୁପୁରାଣ’ ରୂପେ ଅଭିହିତ କରିଅଛନ୍ତି । ସାରଳା ଦାସଙ୍କ ‘ଚଣ୍ତି ପୁରାଣ ମାତୃଶକ୍ତି ଉପାସନାର ମାହାତ୍ମ୍ୟ ବର୍ଣ୍ଣନା କରିବା ଭଳି ବଳରାମ ଦାସ ‘ଲକ୍ଷ୍ମୀ ପୁରାଣ’ରେ ଲକ୍ଷ୍ମୀଙ୍କ ମହିମା ପ୍ରତିପାଦିତ କରିଛନ୍ତି । ପୁରାଣ ଶବ୍ଦର ଅର୍ଥ ହେଉଛି ପ୍ରାଚୀନ । ପ୍ରାଚୀନ ବିଷୟକୁ ପୁରାଣର ଲୋକ ପ୍ରିୟ ଶୈଳୀରେ ଏଭଳି ପରିବେଷଣ କରାଯାଏ ଯାହା ନିତ୍ୟ ନୂତନ ମନେହୁଏ । ନିରୁକ୍ତକାର ‘ପୁରାଣ’ ଶବ୍ଦକୁ ବ୍ୟାଖ୍ୟା କରି ଉଲ୍ଲେଖ କରିଛନ୍ତି- “ପୁରା ନବଂ ଭବତି ଇତି ପୁରାଣମ୍” । ‘ବାୟୁ ପୁରାଣ’ରେ କୁହାଯାଇଛି – ” ଯସ୍ମାତ୍ ପୁରା ହ୍ୟନିତୀଦଂ ପୁରାଣଂ ତେନଂ ତତ୍ ସ୍ମୃତମ୍ / ନିରୁକ୍ତମସ୍ୟ ଯୋ ବେଦ ସର୍ବପାପୈଃ ପ୍ରମୁଚ୍ୟତେ (୧/୨୦୩) । ତେଣୁ ପ୍ରାଚୀନ କାଳରୁ ଲୋକମାନେ ପୁରାଣକୁ ଅନୁଶୀଳନ କରୁଥିଲେ ଓ ସେମାନଙ୍କ ମନରେ ଦୃଢ ବିଶ୍ବାସ ଥିଲା/ଅଛି ଯେ, ଏହାର ପଠନ ଦ୍ଵାରା ସକଳ ପାପ ଦୂରୀଭୂତ ହୋଇଯାଏ ।
ଭାରତୀୟ ଦୃଷ୍ଟିକୋଣରୁ ପୁରାଣ ହେଉଛି ବେଦ ପରେ ଏକ ମହତ୍ତ୍ୱପୂର୍ଣ୍ଣ ରଚନା ଓ ଯାହାକୁ ପଞ୍ଚମ ବେଦ ଭାବେ ଗ୍ରହଣ କରାଯାଏ । ବେଦୋକ୍ତ ପୁରାତନତତ୍ତ୍ଵ ସମୂହକୁ ନୂତନ ରୂପରେ ଅନୁରଞ୍ଜିତ କରି ପୁରାଣ ତାର ନାମକୁ ସାର୍ଥକ କରିଛି । ଶତପଥ ବ୍ରାହ୍ମଣ ଓ ବୃହଦାରଣ୍ୟକ ଉପନିଷଦରେ ପୁରାଣ ମଧ ବେଦ ସହିତ ସମୁତ୍ପନ୍ନ ହୋଇଥିବା କୁହାଯାଇଛି । ଅନ୍ୟ ଭାଷାରେ କହିଲେ ପୁରାଣ ହେଉଛି ବେଦାର୍ଥର ପରିପୂରକ । ଏହାର ଅନ୍ୟତମ ବ୍ୟୁତ୍ପତ୍ତି ହେଉଛି – “ପୁରାଣାତ୍ ପୁରାଣମ୍ ” । ସଂକ୍ଷେପରେ କୁହାଯାଇପାରେ ବେଦ ସମୂହ ପୁରାଣ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ବେଦାର୍ଥ ଅପେକ୍ଷା ପୁରାଣାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସଂସ୍କୃତ ସାହିତ୍ୟର ଗ୍ରନ୍ଥମାନଙ୍କରେ ପୁରାଣର ପଞ୍ଚ ଲକ୍ଷଣ, ପୁରାଣର ପରିଭାଷା ଓ ବର୍ଗୀକରଣ ଉପରେ ବିଶେଷ ବିବରଣୀ ରହିଛି । ପୁରାଣ ଭାବରେ ସମ୍ବନ୍ଧୀତ ପାଞ୍ଚଟି ଲକ୍ଷଣ ଗୁଡ଼ିକ ହେଉଛି -” ସର୍ଗଶ୍ଚ ପ୍ରତିସର୍ଗଶ୍ଚ ବଂଶୋ ମନ୍ୱନ୍ତରାଣି ଚ / ବଂଶାନୁଚରିତଂ ଚୈବ ପୁରାଣଂ ପଞ୍ଚଲକ୍ଷଣମ୍ । ସଂକ୍ଷିପ୍ତତା ଦୃଷ୍ଟିରୁ ଏସବୁର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରିବା ଏଠାରେ ଉଚିତ୍ ମନେହୁଏ ନାହିଁ । କେବଳ ଦର୍ଶାଇ ଦିଆଯାଇପାରେ ଯେଉଁଥିରେ ସୃଷ୍ଟି , ପ୍ରବୃତ୍ତି, ସ଼ଂହାର, ଧର୍ମ, କାମ ଓ ମୋକ୍ଷ ଆଦି ବିଷୟରେ ବର୍ଣ୍ଣିତ ହୋଇଥାଏ ଓ ତାହାର ବିରୁଦ୍ଧାଚରଣ କଲେ ଯେଉଁ ସବୁ ଫଳ ମିଳିବାର ଉଲ୍ଲେଖ ଥାଏ, ତାହାକୁ ପୁରାଣ କୁହାଯାଏ । ପୁରାଣ ଭାବରେ ଅଷ୍ଟାଦଶଟି ପୁରାଣକୁ ଗ୍ରହଣ କରାଯାଇଛି । ଅଷ୍ଟାଦଶ ପୁରାଣକୁ ମଧ୍ୟ ତିନୋଟି ବର୍ଗରେ ଯଥା – ସାତ୍ତ୍ୱିକ, ରାଜସ ଓ ତାମସ ଭାବରେ ଦର୍ଶାଇ ଦିଆଯାଇ ପ୍ରତିବର୍ଗରେ ଛଅଟି ଲେଖାଏଁ ପୁରାଣକୁ ଅର୍ନ୍ତଭୁକ୍ତ କରାଯାଇଛି । ସାତ୍ତ୍ୱିକ ପୁରାଣରେ ବିଷ୍ଣୁଙ୍କ ମାହାତ୍ମ୍ୟ ବର୍ଣ୍ଣନା ଥିବା ବେଳେ ରାଜସ ପୁରାଣରେ ବ୍ରହ୍ମାଙ୍କ ପ୍ରାଧାନ୍ୟ ଓ ତାମସ ପୁରାଣରେ ଭଗବାନ ଶିବଙ୍କ ମହତ୍ତ୍ଵ ଉଲ୍ଲେଖ କରାଯାଇଛି । ସାତ୍ତ୍ୱିକ ପୁରାଣ ଭାବରେ ବିଷ୍ଣୁ, ନାରଦ, ଭାଗବତ, ଗରୁଡ, ପଦ୍ମ ଓ ବରାହ ପୁରାଣ ଅନ୍ତର୍ଭୁକ୍ତ ଥିବାବେଳେ ରାଜସ ପୁରାଣ ଭାବରେ – ବ୍ରହ୍ମାଣ୍ଡ, ବ୍ରହ୍ମବୈବର୍ତ୍ତ, ମାର୍କଣ୍ଡେୟ, ଭବିଷ୍ୟ, ବାମନ ଓ ବହ୍ମ ପୁରାଣକୁ ଗ୍ରହଣ କରାଯାଇଛି । ସେଭଳି ତାମସ ପୁରାଣ ଭାବରେ ମତ୍ସ୍ୟ, କୂର୍ମ, ଲିଙ୍ଗ, ଶିବ, ସ୍କନ୍ଦ ଓ ଅଗ୍ନି ପୁରାଣକୁ ନିଆଯାଇଛି ।
ପୁରାଣ ସାହିତ୍ୟ ପ୍ରତି ଦୃଷ୍ଟି ଦେଲେ ପ୍ରଥମେ ଶକ୍ତିଙ୍କ ପାଇଁ ସେଭଳି କୌଣସି ପୁରାଣ ନଥିଲା । କେବଳ ଦେବୀ ଦୁର୍ଗାଙ୍କ ମହିମା ବାମନ, ବରାହ, କୂର୍ମ ପୁରାଣରେ ଉଲ୍ଲେଖ ଥିବା ବେଳେ ଦେବୀ ମାହାତ୍ମ୍ୟ ପ୍ରଚାର ପାଇଁ ଦେବୀ ପୁରାଣ, କାଳିକା ପୁରାଣ, ଦେବୀ ଭାଗବତ ଆଦି ଉପପୁରାଣ ସୃଷ୍ଟି ଯାହାକି ପରବର୍ତ୍ତୀ ସମୟରେ ଦେବତାମାନଙ୍କ ସ୍ତ୍ରୀ ବା ଅଂଶାବତାର ଶକ୍ତି ଭାବରେ ପୂଜିତା ହେଲେ । ସେହି ଦୃଷ୍ଟିରୁ ବଳରାମ ଦାଶଙ୍କ ଲକ୍ଷ୍ମୀ ପୁରାଣ ଶକ୍ତି ପୂଜାର ଏକ କ୍ଷୁଦ୍ର ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବନାହିଁ । ବାଜସନେୟୀ ସଂହିତାରେ ଶ୍ରୀ ଓ ଲକ୍ଷ୍ମୀଙ୍କୁ ପୃଥକ୍ ଦେବୀ ରୂପେ ଉଲ୍ଲେଖ କରାଯାଇଛି – “ଶ୍ରୀ ଚ ତେ ଲକ୍ଷ୍ମୀଃ ଚ ପତ୍ନୈ। ।” ବ୍ୟୁତ୍ପତ୍ତି ଦୃଷ୍ଟିରୁ ‘ଲକ୍ଷ୍’ ଧାତୁରୁ ଲକ୍ଷ୍ମୀ ଶବ୍ଦର ନିଷ୍ପନ୍ନ ଘଟିଛି । ଲକ୍ଷ୍ ର ଅର୍ଥ ହେଉଛି ଦର୍ଶନ ଓ ଅଙ୍କନ । ଏଭଳି ଦୃଷ୍ଟିରୁ ବିଚାର କଲେ ଲକ୍ଷ୍ମୀ ସବୁ ପ୍ରାଣୀଙ୍କର ପ୍ରକୃତ କର୍ତ୍ତ୍ରୀ ଓ ସେ ଶୁଭ/ଅଶୁଭକୁ ଦେଖିପାରନ୍ତି । ପୌରାଣିକ ଦେବତା ବିଷ୍ଣୁ ଓ ଶିବଙ୍କ ଭଳି ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ସଂପ୍ରଦାୟ ବେଦୋତ୍ତର କାଳରେ ନଥିଲା । କିନ୍ତୁ ବେଦର ଉତ୍ତର କାଳୀନ ଆଖ୍ୟାନ ବା ଉପାଖ୍ୟାନରେ ଲକ୍ଷ୍ମୀଙ୍କୁ ବିଷ୍ଣୁଙ୍କ ପତ୍ନୀ ଭାବରେ ଚିତ୍ରିତ କରାଯାଇଛି , ଯାହା ବୈଦିକ ସାହିତ୍ୟରେ ଏ ସମ୍ବନ୍ଧରେ କୈାଣସି ସଂକେତ ନାହିଁ । ବିଷ୍ଣୁଧର୍ମୋତ୍ତର ପୁରାଣରେ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିବା କୁହାଯାଇଛି । ସେଥିରେ ଉଲ୍ଲେଖ ଅଛି -” ଦେବୀ ଲକ୍ଷ୍ମୀ ସ୍ତତୋଜାତା ରୂପେଣାଽପ୍ରତିମା ଶୁଭା ” । ପୁନଶ୍ଚ ଲକ୍ଷ୍ମୀଙ୍କୁ ପ୍ରକୃତି ଓ ବିଷ୍ଣୁଙ୍କୁ ପୁରୁଷ ଭାବେ ଗ୍ରହଣ କରାଯାଇ କୁହାଯାଇଛି -” ପ୍ରକୃତିସା ଶୁଭା ଲକ୍ଷ୍ମୀ ବିଷ୍ଣୁଃ ପୁରୁଷ ଊଚ୍ୟତେ “, ଉଭୟଙ୍କୁ ପତିପତ୍ନୀ ଭାବେ ଗ୍ରହଣ କରାଯାଇଛି । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଧନ୍ୟଧାନ୍ୟ, ସୈାଭାଗ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ ଭାବରେ ଲକ୍ଷ୍ମୀ ପୂଜିତ, ଆରାଧିତ ଓ ସେ ବିଷ୍ଣୁଙ୍କ ସ୍ତ୍ରୀ ଭାବରେ ପରିଚିତା ହୋଇଛନ୍ତି । ଓଡ଼ିଆ ପୁରାଣଗୁଡ଼ିକରେ ଲକ୍ଷ୍ମୀଙ୍କୁ କ୍ଷୀରସାଗର କନ୍ୟା, ସିନ୍ଧୁ କନ୍ୟା, ସାଗର କନ୍ୟା ଭାବେ ଦର୍ଶାଯାଇଛି ।
ସାରଳା ମହାଭାରତ ଓ ଦାଣ୍ତିରାମାୟଣରେ ସେ ସମୁଦ୍ର ମନ୍ଥନରୁ ଜାତ ଓ ବିଷ୍ଣୁଙ୍କ ଘରଣୀ କୁହାଯାଇଛି । କିନ୍ତୁ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣରେ ତାଙ୍କ ବର୍ଣ୍ଣନାରେ ପଟାନ୍ତର ନାହିଁ । ଗ୍ରନ୍ଥ ଆରମ୍ଭରୁ ଲକ୍ଷ୍ମୀଙ୍କ ବନ୍ଦନା ବର୍ଣ୍ଣିତ – ” ନମସ୍ତେ କମଳା ମାଗୋ ସାଗର ଦୁଲଣୀ/ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ” । ଏହାର କଳେବର କ୍ଷୁଦ୍ର ଓ ବିଷୟ ବସ୍ତୁ ଅତି ସଂକ୍ଷିପ୍ତ ହୋଇପାରେ । ମାତ୍ର ସରଳ ଭାଷାର ସଂଯୋଜନା ଏହି ପୁରାଣକୁ ପ୍ରଦାନ କରିଛି ଅପୂର୍ବ କାବ୍ୟିକତା । ଧାର୍ମିକ ଆବେଦନ ଏହାର ଖୁବ୍ ପ୍ରଖର । ଏହା ଶକ୍ତି ପୂଜାର ଏକ ଗ୍ରନ୍ଥ ହୋଇପାରେ ସତ, କିନ୍ତୁ ଲକ୍ଷ୍ମୀଙ୍କ ମାହାତ୍ମ୍ୟ ବର୍ଣ୍ଣନା ସହିତ ଏଥିରେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରେଷ୍ଠତ୍ୱ ଠୀରୁ ଲକ୍ଷ୍ମୀଙ୍କୁ ଶ୍ରେଷ୍ଠ ରୂପେ ଗ୍ରହଣ କରାଯାଇଛି । ଲକ୍ଷ୍ମୀଙ୍କର ଶ୍ରୀୟା ଚଣ୍ଡାଳୁଣୀର ଗୃହ ଗମନ, ବଳରାମ ଓ ଜଗନ୍ନାଥଙ୍କ ବିରୋଧ, ଲକ୍ଷ୍ମୀଙ୍କୁ ମନ୍ଦିରରୁ ବିତାଡିତ, ଲକ୍ଷ୍ମୀଙ୍କ ଅଭାବରେ ଦୁଇ ଭାଇଙ୍କ ଦୁର୍ଦ୍ଦଶା ଓ ଅନୁତାପ ଏବଂ ଶେଷରେ ଉଭୟଙ୍କ ଲକ୍ଷ୍ମୀଙ୍କ ଶରଣାପନ୍ନ – ଏହାହିଁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ପରିକଳ୍ପନାର ରୂପକଳ୍ପ । ଆଧ୍ୟାତ୍ମିକ ଓ ଧାର୍ମିକ ପୃଷ୍ଠଭୂମିରେ ଏହି କ୍ଷୁଦ୍ର ପୁସ୍ତିକାର ପ୍ରଭାବ ଓଡ଼ିଆ ଲୋକ ଜୀବନକୁ ଖୁବ୍ ପ୍ରଭାବିତ କରିଛି । ଷୋଡ଼ଶ ଶତାବ୍ଦୀର ଭକ୍ତ କବି ବଳରାମ ଦାସ ଥିଲେ ଜଣେ ବିପ୍ଳବୀ ଓ ସମାଜ ସଂସ୍କାରକ । ପ୍ରଥମ କରି ସେ ‘ଦାରୁ ଦେବତା’ ଜଗନ୍ନାଥ ଓ ବଳଭଦ୍ରଙ୍କୁ ବ୍ରାହ୍ମଣ୍ୟ-ବୈଷ୍ଣବ ରକ୍ଷଣଶୀଳତାର ରତ୍ନବେଦୀରୁ ଓହ୍ଲାଇ ଆଣି, ତାଙ୍କୁ ପ୍ରଦାନ କରିଛନ୍ତି ଏକ ଲୋୖକିକ ଓ ମାନବୀୟ ଗୁଣ ସଂପନ୍ନ । ମନ୍ଦିର ବେଢ଼ା ଭିତରେ କିଛି ମୃଷ୍ଟିମେୟ ଉଗ୍ର ଶୂଚୀବାଦୀ ବ୍ରାହ୍ମଣଙ୍କ କୋଠ ସମ୍ପତ୍ତି ଠାରୁ ଅଲଗା କରି ପାଛୋଟି ଆଣିଲେ ଇତର ଓଡ଼ିଆର ଭଗ୍ନ କୁଡ଼ିଆ କୋଟିକୁ । ଲକ୍ଷ୍ମୀ ଠାକୁରାଣୀଙ୍କୁ ମାଣଭର୍ତ୍ତି ଧାନର ପ୍ରତିମା ଭାବରେ ଖଟୁଲିରେ ସଜ୍ଜିତ କରି ଓଡ଼ିଆଙ୍କୁ ଶିଖାଇ ଦେଲେ ବହୁ ପଥଶ୍ରାନ୍ତ କରି, ଦକ୍ଷିଣା ଦେଇ, ବେତ ମାଡ଼ ଖାଇ ଜଗନ୍ନାଥଙ୍କ ଦର୍ଶନ କରିବା ଅପେକ୍ଷା ଲକ୍ଷ୍ମୀଙ୍କୁ ଆଦର କର, ପବିତ୍ର ମନରେ ପୂଜା ଅର୍ଚ୍ଚନା କର ଦେଖିବ ଦିନେ ନା ଦିନେ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ‘ଜଗା’ ଓ ‘ବଳିଆ’ ତମ ଅଚ୍ଛବ ଭଗ୍ନ କୁଡ଼ିଆରେ ପହଞ୍ଚିଯିବେ ।
‘ଶ୍ରୀୟା ଚଣ୍ଡାଳୁଣୀ’ ଆଖ୍ୟାନ ଏକ ମହତ୍ତ୍ୱପୂର୍ଣ୍ଣ ସୃଷ୍ଟି , ଓଡ଼ିଆ ସାହିତ୍ୟ ଓ ପୁରାଣ ଇତିହାସରେ ଏକ ଶକ୍ତିଶାଳୀ ନାରୀ ଚରିତ୍ର । ହୁଏତ ବଳରାମ ଦାସଙ୍କ ଶାକ୍ତ ଚେତନାର ଏହା ଏକ ପୌରାଣିକ କପୋଳ କଳ୍ପିତ ଚରିତ୍ର ପ୍ରତୀକ ଶ୍ରୀୟା ହୋଇପାରେ । କିନ୍ତୁ ଶ୍ରୀୟା ଭିତରେ ବଞ୍ଚିତା ନାରୀ ଓ ଲକ୍ଷ୍ମୀଙ୍କ ମଧ୍ୟରେ ଦୈବୀ ଶକ୍ତିର ମହିମା ପ୍ରତିପାଦିତ କରିବା ଥିଲା କବିଙ୍କ ଶାକ୍ତ ଉପାସନାର ସବୁଠାରୁ ଶ୍ରେଷ୍ଠ ପ୍ରମାଣ । ଅପରପକ୍ଷରେ ମଣିଷ କେବଳ ବ୍ରାହ୍ମଣ କୁଳରେ ଜନ୍ମ ହେଲେ ବ୍ରାହ୍ମଣ ହୋଇଯାଏ ନାହିଁ । ଶୁଦ୍ଧ ପୂତ ଆଚରଣ ଓ ଉଚ୍ଚାରଣ ଚଣ୍ତାଳକୁ ମଧ୍ୟ ବ୍ରାହ୍ମଣ ଆସନରେ ଉପବିଷ୍ଟ କରିପାରେ । ଜାତିପ୍ରଥାକୁ ବିରୋଧ କରୁଥିବା ବୁଦ୍ଧଦେବ ଏକଦା କହିଥିଲେ-“ଜାତି ମାଂ ପୁଚ୍ଛ ଚରଣଂ ପୁଚ୍ଛ “। ଅର୍ଥାତ୍ ଜାତି ଅପେକ୍ଷା ଆଚରଣ ଶ୍ରେଷ୍ଠ । ତେଣୁ ‘ଲକ୍ଷ୍ମୀ ପୁରାଣ’ରେ ଦର୍ଶାଇ ଦିଆଯାଇଛି – ଜାତି ନୁହେଁ, ଆଚରଣରେ ପବିତ୍ରତା ହିଁ ଦେବାଦେବୀଙ୍କ ନିବାସସ୍ଥଳ । ଲକ୍ଷ୍ମୀଙ୍କ ବିଚାର ଧାରା ନିକଟରେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ସେବାରେ ସନ୍ତୁଷ୍ଟ ଥିବା ପ୍ରଭୁ ବଳଭଦ୍ର ଓ ଜଗନ୍ନାଥଙ୍କୁ ଶେଷରେ ହାର ମାନିଥିଲା । ଅସ୍ପୃଶ୍ୟତା ନିବାରଣ ବା ଜାତିପ୍ରଥା ଲୋପ କରିବାପାଇଁ ବଳରାମ ଦାସ କେବଳ ଲକ୍ଷ୍ମୀଙ୍କ ବିଚାରକୁ ଗୁରୁତ୍ୱ ଦେଇଛନ୍ତି ତାହା ନୁହେଁ, ଅନ୍ୟ ପକ୍ଷରେ ବଳରାମ ଓ ଜଗନ୍ନାଥଙ୍କ ଦ୍ଵାରା ଲକ୍ଷ୍ମୀଙ୍କ କଷଣକୁ ଚିରସ୍ମରଣୀୟ କରିବା ପାଇଁ ସେ ମହାପ୍ରସାଦର ମାହାତ୍ମ୍ୟକୁ ଉଲ୍ଲେଖ କରିଛନ୍ତି । ମହାପ୍ରସାଦ ପାଇବାରେ ଜାତି, ବର୍ଣ୍ଣର ବାଛବିଚାର ନାହିଁ, ତାହା କେବଳ ଲକ୍ଷ୍ମୀଙ୍କ ଯୋଗୁଁ ଦୂର ହେଲା । ‘ଲକ୍ଷ୍ମୀ ପୁରାଣ’ରେ ଉଲ୍ଲେଖ ଅଛି -” ଆଜିଠାରୁ ୟେଥେ ଜାତିଭେଦ ନରହିବ/ ହାଡିରୁ ବ୍ରାହ୍ମଣ ଯାଏ ସମାନ ହୋଇବ । ଚଣ୍ତାଳ ହସ୍ତୂ ବ୍ରାହ୍ମଣ ଛଡାଇ ଖାଇବେ/ ଖୁଆଖୋଇ ହୋଇ ଅନ୍ନ ଜଳ ହସ୍ତ ନଧୋଇବେ ।” ଯୁଗଯୁଗକୁ ସୂଚେଇ ଦେଲା ମଣିଷ ମନ ପବିତ୍ର ହେଲେ, ସେ ଚାଣ୍ତାଳ ହୋଇବି ବ୍ରାହ୍ମଣ ପରି ଦେବୀପୂଜାର ଯୋଗ୍ୟ ହୋଇପାରେ । ତେଣୁ ମଗୁଶିର ମାସର କାକର ଭିଜା ଶୀତ ସକାଳେ, ପ୍ରତ୍ୟେକ ଓଡ଼ିଆଣୀର ଗୋବର ଲିପା ଅଗଣାକୁ ଝୋଟି ଚିତାର ଲକ୍ଷ୍ମୀପାଦ ଝଟକିଲା ଭଳି ଓଡ଼ିଆ ଜନଜୀବନକୁ ମୁଗ୍ଧ ଆବେଶରେ ଆଚ୍ଛନ୍ନ କରି ରଖେ ବଳରାମ ଦାସ କୃତ ‘ଲକ୍ଷ୍ମୀ ପୁରାଣ’ ।
‘ଲକ୍ଷ୍ମୀ ପୁରାଣ’ର ଅନ୍ୟ ନାମ ‘ମାଣବସା ପୁରାଣ’ ବା ‘ଧାନମାଣିକା’ କୁହାଯାଏ । ଓଡିଆଣୀମାନେ ଭକ୍ତି ସହକାରେ ଏହାକୁ ଗୁରୁବାର ଦିନ ପାଠ କରୁଥିବାରୁ ‘ଗୁରୁବାର ବୋଲି’ ଓ ଲକ୍ଷ୍ମୀଙ୍କ କଷଣ ବର୍ଣ୍ଣିତ ବୋଲି ଏହାକୁ ମଧ୍ୟ ‘ଲକ୍ଷ୍ମୀ କଷଣ’ କହିଥାନ୍ତି । ବିଶେଷ କରି ଦେବୀପୂଜାରେ ସାରଳା ଦାସଙ୍କ ‘ଚଣ୍ଡୀ ପୁରାଣ’ ଜାଗାରେ ସଂସ୍କୃତ ରଚିତ ଦେବୀ ମାହାତ୍ମ୍ୟ ପଢି ଓ ଶ୍ରବଣ କରି ଧର୍ମ ଅର୍ଜନ କରୁଥିବା ବେଳେ ଲକ୍ଷ୍ମୀ ପୂଜାରେ ଓଡ଼ିଆଣୀ ‘ଲକ୍ଷ୍ମୀ ପୁରାଣ’ ପାଠ କରି ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତି ପାଇଁ କାମନା କରେ । ପୁରାଣକାର ପିତାମ୍ବର ଦାସ ‘ଲକ୍ଷ୍ମୀ ପୁରାଣ’ର ମହତ୍ତ୍ୱକୁ ଲକ୍ଷ୍ୟ କରି ଏହାକୁ ଅଷ୍ଟାଦଶ ପୁରାଣ ମଧ୍ୟରେ ଗଣନା କରିବାକୁ କୁଣ୍ଠିତ ହୋଇନାହାନ୍ତି । କଥାବସ୍ତୁର ଲୋକପ୍ରିୟତାକୁ ନେଇ ଉତ୍କଳର ବହୁ କବି ତାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ନିଜ ଢଙ୍ଗରେ ‘ଲକ୍ଷ୍ମୀ ପୁରାଣ’ ରଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ଜଡ଼ାକୃଷ୍ଣ ଦାସ, ବନମାଳୀ ଦାସ, ସିଦ୍ଧେଶ୍ୱର ଦାସ, ଧନଞ୍ଜୟ ଦାସ, ସଦାଶିବ ଦାସ, ସୁଦାମ ଦାସ, କରୁଣାକର ଦାସ, ନେତ୍ରାନନ୍ଦ ଓ ଦ୍ୱିଜ ମୃତ୍ୟୁଞ୍ଜୟ ଆଦି କବିଙ୍କ ‘ଲକ୍ଷ୍ମୀ ପୁରାଣ’ ରଚନା କରିଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ଏକ ଅମର କୃତି ।
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦୧୫୧୪୭୫
Email :Laxmansahoo9040@gmail.com
Comments are closed.