Latest Odisha News

BREAKING NEWS

ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ସମ୍ବର୍ଦ୍ଧନା

ପୁରୀ:  ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ବିଜୟୀ ହୋଇଛନ୍ତି ।  ରାଜ୍ୟ ସରକାର ସମସ୍ତ ଖେଳାଳୀଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଭବିଷ୍ୟତରେ କ୍ରୀଡାର ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଖୋ ଖୋ କ୍ରୀଡାବିତ ମାନେ ସମଗ୍ର ଦେଶରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି ବୋଲି କହିବା ସହ ଭବିଷ୍ୟତ ରେ ଆହୁରି ଅଧିକ ପରିଶ୍ରମ ଓ ପ୍ରଶିକ୍ଷଣ ଦ୍ଵାରା ସେମାନେ ଯେମିତି ସ୍ୱର୍ଣ୍ଣ ପଦକ ହାସଲ କରିବେ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ ଜାତୀୟ କ୍ରୀଡା ର ଫାଇନାଲ ରେ ଓଡିଶା ପୁରୁଷ ଓ ମହିଳା ଦଳ ମହାରାଷ୍ଟ୍ର ଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ହାସଲ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ସମ୍ବର୍ଦ୍ଧନା ରେ ଅଧ୍ୟକ୍ଷତା କରିବା ସହ ରାଜ୍ୟର ଖୋ ଖୋ ଖେଳର ଉତଥାନରେ ପୁରୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ରାଜ୍ୟ ଖୋ ଖୋ ଦଳର ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପୁରୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଚାଲୁଛି । ଏହି ସଫଳ କ୍ରୀଡାବିତ ମାନେ ସେହିଠାରୁ ହିଁ ପ୍ରଶିକ୍ଷିତ।କ୍ରୀଡା କ୍ଷେତ୍ରରେ ପୁରୀ ଜିଲ୍ଲାର ସୁନାମ ରହିଛି । ଚଳିତ ବର୍ଷର ଏସୀଆନ ଗେମସ୍ ର ଜାଭେଲିନ ଥ୍ରୋ ରେ ଜିଲ୍ଲାର କିଶୋର ଜେନା ରୌପ୍ୟ ବିଜୟୀ ହୋଇ ଇତିହାସ ରଚିଛନ୍ତି। ଖୋ ଖୋ ରେ ଅନନ୍ୟା ପ୍ରଧାନ ଜାତୀୟ ସ୍ତର ପାଇଁ ମନୋନୀତ ହୋଇ କୃତିତ୍ୱ ହାସଲ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓଡିଶା ମୋ ପରିବାର ର ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିଦ୍ୟାଧର ସ୍ୱାଇଁ, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୁରୁଷ ଦଳ କୋଚ ଚୌଧୁରୀ ପାର୍ଥ ସାରଥି ମହାପାତ୍ର ଓ ମହିଳା ଦଳ ମ୍ୟାନେଜର ଏଲିନା ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.