Latest Odisha News

BREAKING NEWS

ସବୁ ଦେଖୁଛନ୍ତି, ସହୁଛନ୍ତି, ୧୩ ରୁ ଗର୍ଜିବେ, କଂଗ୍ରେସ, ବିଜେପିକୁ ପାଣି ପିଆଇବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଲଢେଇ ଶୀର୍ଷ ସ୍ତରରେ ପହଞ୍ଚିଛି। ଏଥର ଶାସକ ବିଆରଏସକୁ ହରାଇ କଂଗ୍ରେସ କ୍ଷମତାକୁ ଆସିବାକୁ ନିଜର ସବୁ ଶକ୍ତି ଲଗାଇଦେଇଛି।

ଦଳ ପକ୍ଷରୁ ଦମଦାର ଗ୍ୟାରେଣ୍ଟି ଦେଇ ବିଜୟଭେରୀ ଯାତ୍ରା ମାଧ୍ୟମରେ ଦଳ ସପକ୍ଷରେ ବଡ଼ ମାହୋଲ ତିଆରି କରିବାକୁ ଲଗାତର ଉଦ୍ୟମ ହେଉଛି। ରାହୁଲ ଗାନ୍ଧୀ ବହୁ ସମୟ ଧରି ତେଲେଙ୍ଗାନାରେ ବୁଲୁଛନ୍ତି। ଯାହାକୁ ନେଇ ତେଲେଙ୍ଗାନା ରାଜନୀତିରେ ଅନେକ ନୂଆ ଚର୍ଚ୍ଚା ମୁଣ୍ଡ ଟେକିଛି।

ସେପଟେ ଦୁଇଟି ଆସନରୁ ଲଢ଼ୁଥିବା କେସିଆର ଉଭୟ ଗଜୱେଲ ଓ କାମାରେଡ୍ଡୀ ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିସହିତ ଏକ ବଡ଼ ନିର୍ବାଚନ ସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି କେସିଆର।

ତେଲେଙ୍ଗାନାର ହେଭିୱେଟ ଲଢେଇ ମଧ୍ୟରେ ବିଆରଏସର ଭାଗ୍ୟ ବାଜି ଲାଗିଥିବା ଚର୍ଚ୍ଚା ହେଉଛି। ଏଭଳି ସମୟରେ ବିଆରଏସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର ଦୀପାବଳି ପରେ ଅର୍ଥାତ ଚଳିତ ମାସ ୧୩ ତାରିଖରୁ ନିଜର ନିର୍ବାଚନ ଯାତ୍ରା ଜୋରଦାର କରିବେ।

୧୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ୫୪ ଟି ପ୍ରଜା ଆଶୀର୍ବାଦ ବୈଠକକୁ କେସିଆର ସମ୍ବୋଧିତ କରିବେ। ସେ ଲଢ଼ୁଥିବା ଗଜୱେଲରେ ନିଜର ଶେଷ ନିର୍ବାଚନ ସଭାକୁ ୨୮ ତାରିଖରେ ସମ୍ବୋଧିତ କରିବେ।

ସେପଟେ ତେଲେଙ୍ଗାନାରେ ବି ଟିମ ସି ଟିମକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି। ରାହୁଲ ଗାନ୍ଧୀ ବିଆରଏସକୁ ବିଜେପିର ବି ଟିମ କହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସି ଟିମ ବୋଲି କହିଥିଲେ।

ଯାହାକୁ ନେଇ ବିଆରଏସ କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟିଆର ଟିପ୍ପଣୀ ରଖିଛନ୍ତି। ତାଙ୍କ ଦଳ କାହାର ବି ଟିମ ନୁହେଁ ବରଂ ତେଲେଙ୍ଗାନାବାସୀଙ୍କ ଏ ଟିମ ବୋଲି କେଟିଆର କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ବି ଟିମ ମନ୍ତବ୍ୟକୁ କାଉଣ୍ଟର କରି କେଟିଆର ଏହି ଜବାଵ ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପି ସହ କଡା ଟକ୍କର ଦେବାକୁ କେସିଆରଙ୍କ ଦଳ ସଜବାଜ ହୋଇଛି।

ଲଗାତର ଦୁଇଥର କ୍ଷମତାକୁ ଆସିଥିବା କେସିଆର ତୃତୀୟଥର ପାଇଁ କ୍ଷମତାକୁ ଆସିବାକୁ ସବୁ ଉଦ୍ୟମ କରୁଛନ୍ତି। କିନ୍ତୁ କଂଗ୍ରେସ ଏଥର ତାଙ୍କୁ କଡା ଟକ୍କର ଦେଉଥିବ ବେଳେ ବିଜେପି ମଧ୍ୟ କ୍ଷମତାକୁ ଆସିଵାକୁ ଉଦ୍ୟମ କରୁଛି। ତେଣୁ ଏସବୁର ଫଳାଫଳ କଣ ହେବ ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.