ଭୁବନେଶ୍ୱର: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ତଥା ସ୍ମାର୍ଟ୍ ସ୍କୁଲ୍ ନିର୍ମାଣକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବେ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଓଡ଼ିଶାରେ ଗତ ଗୋଟିଏ ବର୍ଷ ମଧ୍ୟରେ ଏକକ ଶିକ୍ଷକ ବିଦ୍ୟାଳୟ (ଯେଉଁ ସ୍କୁଲରେ କେବଳ ଜଣେ ମାତ୍ର ଶିକ୍ଷକ ଥାଆନ୍ତି) ସଂଖ୍ୟାରେ ୩୪ ପ୍ରତିଶତର ଅଭାବନୀୟ ବୃଦ୍ଧି ଘଟିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ‘ୟୁଡାଇସ୍ ପ୍ଲସ୍’ (UDISE+) ରିପୋର୍ଟ ରାଜ୍ୟର ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଏହି ନଗ୍ନ ଚିତ୍ରକୁ ପଦାରେ ପକାଇଛି।
ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟରେ ଏକକ ଶିକ୍ଷକ ବିଦ୍ୟାଳୟ ସଂଖ୍ୟା ୧,୦୮୯ ଥିଲା, ଯାହା ୨୦୨୫-୨୬ ଶିକ୍ଷାବର୍ଷ ବେଳକୁ ୧,୪୫୮ରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ବର୍ଷକ ଭିତରେ ନୂତନ ଭାବେ ୩୬୯ଟି ସ୍କୁଲ ଏହି ଦୟନୀୟ ତାଲିକାରେ ଯୋଡ଼ି ହୋଇଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏବେ ରାଜ୍ୟର ପ୍ରାୟ ୬୦ ହଜାର (୫୯,୬୭୨) କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେବଳ ଜଣେ ହିଁ ଶିକ୍ଷକଙ୍କ ଭରସାରେ ଛାଡ଼ିଦିଆଯାଇଛି। ପୂର୍ବ ବର୍ଷ ଏହି ପିଲାଙ୍କ ସଂଖ୍ୟା ୪୭,୯୪୦ ଥିଲା।
ଗୋଟିଏ ପଟେ ଶିକ୍ଷକ ଅଭାବ, ଅନ୍ୟପଟେ କାର୍ଯ୍ୟଭାର। ସ୍କୁଲର ସେହି ଏକମାତ୍ର ଶିକ୍ଷକଙ୍କୁ ଏକାସାଙ୍ଗରେ ପ୍ରଥମରୁ ପଞ୍ଚମ କିମ୍ବା ବିଭିନ୍ନ ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଇବାକୁ ପଡ଼ୁଛି। କେବଳ ପାଠପଢ଼ା ନୁହେଁ, ଶିକ୍ଷକମାନଙ୍କୁ ନିର୍ବାଚନ ଡ୍ୟୁଟି, ଜନଗଣନା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଭଳି ପ୍ରାୟ ୨୫ରୁ ଅଧିକ ପ୍ରଶାସନିକ ଏବଂ ଅଣ-ଶୈକ୍ଷିକ କାର୍ଯ୍ୟରେ ଖଟାଯାଉଛି। ହାରାହାରି ଜଣେ ଶିକ୍ଷକ ୪୧ ଜଣ ପିଲାଙ୍କୁ ସମ୍ଭାଳୁଛନ୍ତି। ଏପରି ବୋଝ ତଳେ ଚାପି ହୋଇ ଶିକ୍ଷକ ଗୁଣାତ୍ମକ ଶିକ୍ଷା କିଭଳି ପ୍ରଦାନ କରିବେ ତାହା ଶିକ୍ଷାବିତ୍ମାନଙ୍କୁ ଆଚମ୍ବିତ କରିଛି।
ଏଭଳି ସମସ୍ୟାବହୁଳ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ରାଜ୍ୟର ଉପାନ୍ତ, ଆଦିବାସୀ ଅଧ୍ୟୁଷିତ ଏବଂ ଦୁର୍ଗମ ଅଞ୍ଚଳରେ ରହିଛି। ଅବସରଗ୍ରହଣ, ବଦଳି ପ୍ରକ୍ରିୟାରେ ସମସ୍ୟା ଏବଂ ନିଯୁକ୍ତିରେ ବିଳମ୍ବ ଯୋଗୁଁ ଏହି ସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ନିକଟରେ ୧୮ ହଜାରରୁ ଉର୍ଦ୍ଧ୍ୱ ନୂଆ ଶିକ୍ଷକ ନିଯୁକ୍ତ ହୋଇଛନ୍ତି ଏବଂ ଆଗକୁ ଆହୁରି ୧୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ଶିକ୍ଷକମାନଙ୍କର ସଠିକ୍ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ବୋଲି ସରକାର ସଫେଇ ଦେଇଛନ୍ତି।