Latest Odisha News

BREAKING NEWS

ପ୍ରସ୍ତାବିତ ବାଇ ଲ ପ୍ରତ୍ୟାହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନାସନାଲ ମନୁମେଣ୍ଟ୍ସ ଅଥରିଟିଙ୍କ ବାଇ ଲ ପ୍ରକାଶ ପରେ ସବୁଠୁ ଅସନ୍ତୋଷ ଦେଖା ଦେଇଛି । ସେବାୟତଙ୍କ ଠାରୁ ନେଇ ପୁରୀବାସୀ ସମସ୍ତେ ପ୍ରସ୍ତାବିତ ବାଇଲକୁ ବିରୋଧ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ କୁମାର ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର କରିବା ଲାଗି ନାସନାଲ ମନୁମେଣ୍ଟ୍ସ ଅଥରିଟିଙ୍କୁ ଚିଠି ଲେଖିଛନ୍ତି ।

ଓଡ଼ିଆ ଓ ବିଶ୍ୱର କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ । ପୁରୀର ମୂଳ ପୀଠରେ ବ୍ରହ୍ମଦାରୁ ରୂପେ ପୂଜା ପାଉଛନ୍ତି । ଜାତୀୟ ସ୍ମାରକୀ ପାଧିକରଣ ଜଗନ୍ନାଥ ମନ୍ଦିରକୁ ସ୍ମାରକୀ ଭାବେ ବିବେଚନା କରିବାକୁ ମନ୍ଦିର ପ୍ରଶାସନ ବିରୋଧ କରିଛି । ପ୍ରସ୍ତାବିତ ବାଇଲ୍ ପ୍ରସ୍ତୁତି ପୂର୍ବରୁ ସେବାୟତ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବା ଆବଶ୍ୟକ ବୋଲି ମନ୍ଦିର ପ୍ରଶାସନ କହିଛି ।

ଚିଠିରେ କୁହାଯାଉଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ‘ଶ୍ରୀଜଗନ୍ନଥା ମନ୍ଦିର ଆଇନ୍-୧୯୫୫’ ଦ୍ୱାରା ପରିଚାଳିତ । ଯାହାକୁ ଖୋଦ୍ ରାଷ୍ଟ୍ରପତି ୧୫ ଅକ୍ଟୋବର ୧୯୫୫ରେ ସ୍ୱୀକୃତି ଦେଇଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ସମସ୍ତ ଜମି ରେକର୍ଡ ମଧ୍ୟ ରହିଛି । ମନ୍ଦିର ପ୍ରଶାସନ ଦ୍ୱାରା ସେବାୟତଙ୍କୁ ନେଇ ଦୈନନ୍ଦିନ ନୀତି ପରିଚାଳନା ହେଉଛି । ଏହାଛଡ଼ା ଶ୍ରୀମନ୍ଦିରର ରକ୍ଷାଣବେକ୍ଷଣ ଲାଗି ୧୯୭୯ ଅଗଷ୍ଟ ୨୨ରେ ଏଏସ୍ଆଇ ସହ ବୁଝାମଣା ହୋଇଛି ।

ମନ୍ଦିର ନୀତିକାନ୍ତି ସହ ଦୀର୍ଘବର୍ଷ ଧରି ବହୁ ସେବାୟତ ପରିବାର ଜଡ଼ିତ । ଜାତୀୟ ସ୍ମାରକୀ ପାଧିକରଣଙ୍କ ଏଭଳି ପ୍ରସ୍ତାବିତ ଅଧିନିୟମ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ ପ୍ରଭାବ ପକାଇବ । ଏହାଛଡ଼ା ଶ୍ରୀମନ୍ଦିରକୁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ସଂଖ୍ୟାଧିକ ହିନ୍ଦୁ ଶ୍ରଦ୍ଧାଳୁ ଆସୁଛନ୍ତି । ସେମାନଙ୍କ ଲାଗି ବନ୍ଦୋବସ୍ତ କରିବା ମନ୍ଦିର ପ୍ରଶାସନ କାର୍ଯ୍ୟ । ଛୁଟିଦିନରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହୁଛି ।

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଲାଗି ରାଜ୍ୟ ସରକାର ଐତିହ୍ୟ କରିଡର କାର୍ଯ୍ୟ ଜାରି ରଖିଛନ୍ତି । ଏହା ଜରିଆରେ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ, ଶୌଚାଳୟ, ଜିନିଷ ରଖିବା ସ୍ଥାନ ସହ ଅନ୍ୟ ସୁବିଧା ମିଳିବ । ଏଥିପାଇଁ ଅଧିକାଂଶ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଜମି ଓ ସମ୍ପତ୍ତି ଦାନ କରିଛନ୍ତି । ଏସବୁ ମହାପ୍ରଭୁଙ୍କ ପ୍ରତି ଥିବା ଧର୍ମୀୟ ଭାବନା ଓ ଭକ୍ତି ଯୋଗୁଁ ସମ୍ଭବ ହୋଇଛି ।

ତେଣୁ, ଜାତୀୟ ସ୍ମାରକୀ ପ୍ରାଧିକରଣ ପ୍ରସ୍ତାବିତ ଅଧିନିୟମ (ବାଇ ଲ)କୁ ପ୍ରତ୍ୟାହାର କରିନେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ଏଥିସହ ପୁରୀ ମୂଳ ପୀଠର ଐତିହ୍ୟ ସଂରକ୍ଷଣ ଲାଗି କୌଣସି ପଦେକ୍ଷପ ନେବା ପାଇଁ ଆଲୋଚନା ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣକୁ କହିଛି ମନ୍ଦିର ପ୍ରଶାସନ ।

Leave A Reply

Your email address will not be published.