Latest Odisha News

BREAKING NEWS

ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’, ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଭୟଙ୍କର ରୂପ ନେଉଛି ବାତ୍ୟା ‘ବିପର୍ଯ୍ୟୟ’। ଆସନ୍ତା ୪ ସପ୍ତାହ ମଧ୍ୟରେ ଭାରତରେ ଦୁର୍ବଳ ପଡିବ ମୌସୁମି। ଏନେଇ ପୂର୍ବାନୁମାନ କରିଛି ସ୍କାଏମେଟ ୱେଦର। ସେହିପରି ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଛି। ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ। ଭୀଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି।

ସେପଟେ ବାତ୍ୟା ବିପର୍ଯ୍ୟୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଓ କଚ୍ଚ ଉପକୂଳରେ ୧୪ ତାରିଖରେ ଅରେଞ୍ଜ ଓ ୧୫ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହାର ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଉଚ୍ଚ ଜୁଆର ଉଠିଛି । ଏହା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

କଚ୍ଛ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟର ବିଭିନ୍ନ ଅଞ୍ଚଳରେ ୧୫ଟି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯିବା ସହିତ ଓଡ଼ିଶା, ତାମିଲନାଡୁ ଏବଂ ପଞ୍ଜାବରେ ଥିବା ଏନଡିଆରଏଫ ଟିମ୍‌କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ବାତ୍ୟା ବିପର୍ଯ୍ୟୟ ସ୍ଥଳ ଭାଗ ଛୁଇଁବା ସମୟରେ ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ଆଶଙ୍କା ରହିଛି। ଦିଲ୍ଲୀ ସମେତ ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ ଏହିସବୁ ରାଜ୍ୟରେ ମଧ୍ୟ ସତର୍କତା ଜାରି କରାଯାଇଛି।

Leave A Reply

Your email address will not be published.