Latest Odisha News

କଲେଜ କ୍ୟାମ୍ପସ୍‌ରେ ଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ମନା; ଆପତ୍ତିଜନକ ଭିଡିଓ ଦେଖୁଛନ୍ତି

ବ୍ରହ୍ମପୁର: କଲେଜରେ ଛାତ୍ରୀ ଆପତ୍ତିଜନିକ ଭିଡିଓ ଦେଖୁଛନ୍ତି । ପାଠ ପଢୁ ନାହାନ୍ତି । କ୍ଲାସ ଭିତରେ ବି ଫୋନ୍ ବ୍ୟବହାର କରୁଛନ୍ତି । ପାଠ ପଢ଼ାରେ ବ୍ୟାଘାତ କରୁଛନ୍ତି । ଥରେ ଆପତ୍ତିଜନକ ଭିଡିଓ ଦେଖିବାକୁ ବେଳେ ଅଧ୍ୟାପିକା ବାରଣ କରିବାରୁ ଛାତ୍ରୀମାନେ ତାଙ୍କୁ ଆକ୍ରମଣ କରିଥିଲେ । ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ସ୍ମାର୍ଟ ଫୋନ୍ ନିଷିଦ୍ଧ କରାଯାଇଛି । ଉପରୋକ୍ତ ବିଷୟକୁ କାରଣ ବତାଇଛନ୍ତି କଲେଜ ଅଧ୍ୟକ୍ଷ ଡ. ଏସ ନାରାୟଣ ରାଓ ।

କରୋନା ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବା ଯୋଗୁ ଅନଲାଇନରେ ପାଠପଢ଼ା ଚାଲିଲା । ଏହି ସମୟରେ ଇଣ୍ଟରନେଟ୍‌ ଏବଂ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ହେଲା । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦିଆଗଲା ।

ଏପରିକି ଅନେକ ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍‌ ଏବଂ ଲ୍ୟାପଟପ୍‌ ବଣ୍ଟନ କରାଯାଇଥିଲା । ହେଲେ ଏସବୁର ବିପରୀତ ଭାବେ ବ୍ରହ୍ମପୁର ସହରସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏକ ନିଷ୍ପତ୍ତିକୁ ନେଇ ଏବେ ବିବାଦ ଦେଖାଦେଇଛି । କଲେଜ କ୍ୟାମ୍ପସ୍‌ରେ ସ୍ମାର୍ଟଫୋନ୍‌କୁ ବାରଣ କରାଯାଇଛି । ଛାତ୍ରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଭୟରେ କେହି ମୁହଁ ଖୋଲୁ ନାହାନ୍ତି।

ଗୁରୁବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଏସ୍‌. ନାରାୟଣ ରାଓଙ୍କ ତରଫରୁ ଏକ ନିର୍ଦେଶନାମା ଜାରି କରାଯାଇଛି । ଏଥିରେ ଶନିବାର ଠାରୁ କ୍ୟାମ୍ପସରେ ଛାତ୍ରୀମାନଙ୍କ ପାଇଁ ସ୍ମାର୍ଟଫୋନ୍‌କୁ ବାରଣ କରାଯାଇଛି । ତେବେ ଶୁକ୍ରବାର ଠାରୁ ଏହି ନିୟମକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

ଫାଟକ ପାଖରେ ସୁରକ୍ଷା କର୍ମୀ ଏବଂ କେତେକ ଅଧ୍ୟାପକ ଠିଆ ହୋଇ ଛାତ୍ରୀମାନେ ସ୍ମାର୍ଟଫୋନ୍‌ ଆଣିଛନ୍ତି ନା’ ନାହିଁ, ପଚାରିଥିଲେ । ଯେଉଁମାନେ ସ୍ମାର୍ଟଫୋନ୍‌ ଆଣିଥିଲେ, ଶନିବାର ଠାରୁ ଆଉ ନ ଆଣିବା ପାଇଁ ବାରଣ କରିଥିଲେ । କେବଳ କିପେଡ୍‌ ଫୋନ୍‌ ହିଁ କ୍ୟାମ୍ପସ ପରିସରରେ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା ।

ତେବେ ଏସଂପର୍କରେ ଅଧ୍ୟକ୍ଷ ଡ. ଏସ୍‌. ନାରାୟଣ ରାଓ କହିଛନ୍ତି ଯେ, ଅନେକ ଛାତ୍ରୀ କ୍ୟାମ୍ପସ୍‌ରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଅନେକ ଛାତ୍ରୀ ଆପତ୍ତିଜନକ ଭିଡିଓ ଦେଖୁଛନ୍ତି। ସେଥିପାଇଁ ସ୍ମାର୍ଟଫୋନ୍‌କୁ ବନ୍ଦ କରାଗଲା। କିପେଡ୍‌ ଫୋନ୍‌ ବ୍ୟବହାର ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.