Latest Odisha News

BREAKING NEWS

ସୋଆରେ ଆୟୋଜିତ ହେବ ‘ଜାତୀୟ ଏକତା ଶିବିର’

ଭୁବନେଶ୍ୱର : ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ତଥା ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଆୟୋଜିତ ହେବ ‘ଜାତୀୟ ଏକତା ଶିବିର’ ।

ସୋଆ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ତର୍ଗତ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହେବା ସଙ୍ଗେସଙ୍ଗେ ଏହି ଶିବିରରେ ସାରା ଦେଶର ୨୧ଟି ବିଶ୍ୱବିଦ୍ୟାଳୟର ପ୍ରତିନିଧି ଭାଗ ନେବେ ।

ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ରହିଛି । ସେହିପରି ଓଡ଼ିଶାର ୧୨ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୋଆ ସମେତ ଏଥିରେ ଭାଗ ନେଉଥିବା ଓଡ଼ିଶାର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଅଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ଶିକ୍ଷା କେନ୍ଦ୍ର ଏବଂ କିଟ୍ ଡିମଡ ଟୁ ବି ୟୁନିଭର୍ସିଟି ।

ଏହି ଶିବିରର ଉଦଘାଟନୀ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ତାରିଖରେ ହେବ ଓ ନଭେମ୍ବର ୪ ତାରିଖରେ ଉଦଯାପିତ ହେବ । ଏହି ସାତ ଦିନିଆ ଶିବିରରେ ୨୧୦ ଜଣ ଛାତ୍ରଛାତ୍ରୀ ଭାଗ ନେବେ ।

ସେହିପରି ସୋଆର ୩୫ ଜଣ ପ୍ରୋଗ୍ରାମ ଅଫିସର ଏବଂ ୪୫ ଜଣ ସ୍ୱେଚ୍ଛାସେବୀ ଶିବିର ପରିଚାଳନାରେ ସହଯୋଗ କରିବେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଧର୍ମକୁ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ଯୋଗ ଶିବିର ମଧ୍ୟ ଆୟୋଜନ କରାଯାଇଛି । ଜାତୀୟ ଏକତା ଶିବିର ଅବସରରେ ଏକ ର‌୍ୟାଲିର ମଧ୍ୟ ଆୟୋଜନ କରାଯାଇଛି ।

ଅକ୍ଟୋବର ୩୦ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏହି ର‌୍ୟାଲି ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆସିବ । ବିଭିନ୍ନ ରାଜ୍ୟର ପ୍ରତିଯୋଗୀମାନେ ନିଜ ନିଜ ରାଜ୍ୟର ବେଶଭୂଷା ପରିଧାନ କରି ଏହି ର‌୍ୟାଲିରେ ସାମିଲ ହେବେ ।

Leave A Reply

Your email address will not be published.