ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଏଇ ଏବେ ଏବେ ଗଲା ଗୁରୁ ଦିବସ । ସେଦିନ ଫେସ୍ବୁକ୍ରେ ଗୁରୁଙ୍କ ସହିତ ଶିଷ୍ୟମାନଙ୍କର ଭିନ୍ନ ଭିନ୍ନ ପୋଜ୍ର ଫଟୋ ସମସ୍ତଙ୍କ ଆଖିରେ ପଡ଼ିଥିବ ନିଶ୍ଚୟ । ଫେସ୍ବୁକ୍ ଉଛୁଳୁଥିଲା ଶିଷ୍ୟମାନଙ୍କ ଭକ୍ତିଭରା ଗୁୁରୁବନ୍ଦନାର ଫଟୋରେ । ମନଟା ଭରିଗଲା ଏସବୁ ଭକ୍ତି ଭରା ଫଟୋ ଦେଖି । ଯାହା ହେଉ ଗୁରୁ ଭକ୍ତି ପରି ମହାର୍ଘ୍ୟ ଜିନିଷକୁ ଆଜିର ଆଧୁନିକ ଯୁଗରେ ଲୋକମାନେ ଭୂଲିନାହାନ୍ତି ! କିନ୍ତୁ ଚଟ୍ କରି ପୁଣି ଗୋଟାଏ କଥା ମନକୁ ଚାଲିଆସିଲା । ଏ ଯେଉଁ ଗୁରୁ ଭକ୍ତିର ଫଟୋ ସବୁ ଦେଖାଯାଉଛି, ଏସବୁ ବାସ୍ତବ ତଥା ପ୍ରାକୃତିକ ତ ! ନାଁ କେବଳ ଫଟୋ ପାଇଁ କୃତ୍ରିମ ଗୁରୁ ଭକ୍ତି! ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ ପାଇଁ ଏଭଳି ପୋଜ୍ !
ଆଜିର ସାମାଜିକ ଗଣମାଧ୍ୟମ ଯୁଗରେ ଖବରର ଗତି ଖୁବ୍ ତୀବ୍ର ହୋଇଯାଇଛି । ଯେକୌଣସି ବି ଖବର ହେଉ ନିମିଷକେ ମଧ୍ୟରେ ଚାରିଆଡ଼େ ଖେଳିଯାଉଛି । ଖବର ବା ସୂଚନା ଏବେ ଆଉ କାହା ବ୍ୟକ୍ତିଗତ ଅଧୀନରେ ନାହିଁ । ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ସମସ୍ତେ ନିଜ ନିଜ କଥା ଓ ଖବର ପ୍ରଚାର କରିପାରୁଛନ୍ତି । ପୂର୍ବରୁ ନିଜ ଚିନ୍ତା ଓ ଚେତନାକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ବିଭିନ୍ନ ପ୍ରକାର ଗଣମାଧ୍ୟମ ଅନୁଷ୍ଠାନର ମର୍ଜ୍ଜି ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ କିନ୍ତୁ ସମୟ ବଦଳି ଯାଇଛି । ପ୍ରତ୍ୟେକ ଲୋକ ହାତରେ ଖବର ପ୍ରଚାର ପ୍ରସାରର ଏବେ ଗୋଟେ ଗୋଟେ ମାଧ୍ୟମ ଉପଲବ୍ଧ ଅଛି । ତାହା ହେଉଛି ସାମାଜିକ ଗଣମାଧ୍ୟମ ।
ନିଜ ଚିନ୍ତା, ଚେତନା, ମତାମତ, ବିଚାର, ବିଜ୍ଞାପନ ଆଦି ଲେଖା, ଭିଡ଼ିଓ, ଓ ସ୍ୱର ମାଧ୍ୟମରେ ପ୍ରଚାର ପ୍ରସାର କରିବା ପାଇଁ ଏବେ ଲୋକଙ୍କ ପାଖରେ ଫେସ୍ବୁକ, ଇନଷ୍ଟାଗ୍ରାମ୍, ହ୍ୱାଟ୍ସଆପ୍, ଟୁଇଟର, ଟେଲିଗ୍ରାମ, କୁକୁ ଆଦି ବିଭିନ୍ନ ପ୍ରକାର ମାଧ୍ୟମ ଉପଲବ୍ଧ ଅଛି । ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି ମଧ୍ୟ । ସୂଚନା କ୍ରାନ୍ତି ଆସିବା ପରେ ପୃଥିବୀ ଯେତିକି ଛୋଟ ହୋଇଯାଇଥିଲା, ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ପରେ ଆହୁରି ଛୋଟ ହୋଇଯାଇଛି ପୃଥିବୀ ।
ଖବର ପ୍ରଚାର ପ୍ରସାର ସହିତ ଲକ୍ଷ କରାଯାଉଛି ଯେ, ସାମାଜିକ ଗଣମାଧ୍ୟମ ଦ୍ରୁତ ଗତିରେ ଲୋକମାନଙ୍କ ମଧ୍ୟରେ କୃତ୍ରିମତାକୁ ବୃଦ୍ଧି କରୁଛି । ଯେଉଁ କାମ ଓ ବ୍ୟବହାର ପ୍ରାକୃତିକ ଓ ସ୍ୱାଭାବିକ ପ୍ରତିକ୍ରିୟା ଆଶା କରେ ତାହା ଆଜି ସାମାଜିକ ଗଣମାଧ୍ୟମ ଯୋଗୁ କୃତ୍ରିମତାର ଆବରଣ ତଳେ ଘୋଡ଼େଇ ହୋଇଯାଉଛି । ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ କେବଳ ଗୁରୁତ୍ୱପୂର୍ଣ୍ଣ ଖବର ନୁହେଁ, ବ୍ୟକ୍ତିଗତ ଜୀବନର ଅନେକ ଖବର ଓ ଭାବନା ପ୍ରଚାର କରାଯାଉଛି । ବ୍ୟକ୍ତିଗତ ଜୀବନର ଅନେକ ଘଟଣା ଯାହା ଅତ୍ୟନ୍ତ ସମ୍ବେଦନଶୀଳ ସେସବୁକୁ ମଧ୍ୟ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଲୋକମାନେ ପ୍ରକାଶ କରୁଛନ୍ତି । ଅନେକ କ୍ଷେତ୍ରରେ ଏହା ଦୃଷ୍ଟିକଟୁ ମଧ୍ୟ ହେଉଛି ।
ଗୁରୁ ଶିଷ୍ୟର ପରମ୍ପରା ଆମ ଦେଶରେ ଖୁବ୍ ପୁରୁଣା ଓ ନିଆରା । ସେହି ଦୃଷ୍ଟିରୁ ଗୁରୁ ଦିବସର ଗୁରୁତ୍ୱ ଆମ ଜନଜୀବନରେ ଯଥେଷ୍ଟ ଅଧିକ । ଗୁରୁଙ୍କୁ ଦେଖିଲେ ମନରେ ଏକ ନିଆରା ଭକ୍ତି ଭାବ ଆସେ । ମୁଣ୍ଡ ଛାଏଁ ଛାଏଁ ନଇଁଯାଏ । ଜଣେ ତା ବ୍ୟକ୍ତିଗତ ଜୀବନରେ ଯେତେ ସଫଳ, ଯେତେ ଉଗ୍ର ବି ହୋଇଥାଉ ନା କାହିଁକି ଗୁରୁଙ୍କ ସାମ୍ନାରେ ସେ ନତମସ୍ତକ ହୋଇଯାଏ । ଏହା ଆମ ସଂସ୍କୃତି । ସାମାଜିକ ଚଳଣୀ । କିନ୍ତୁ ଆଜିର ସାମାଜିକ ଗଣମାଧ୍ୟମର ଯୁଗରେ ଦେଖାଯାଉଛି ଯେ, ଗୁରୁଙ୍କ ଗୋଡ଼ ପାଖରେ ବସି କ୍ୟାମେରାକୁ ଚାହିଁ ହସି ହସି ଫଟୋ ପୋଷ୍ଟ କରାଯାଉଛି । କେହି କେହି ଗୁରୁଙ୍କ ହାତକୁ ନିଜ ମୁଣ୍ଡ ଉପରେ ଥୋଇ ଆଶୀର୍ବାଦ ନେବା ମୁଦ୍ରାରେ ମଧ୍ୟ ଫଟୋ ପୋଷ୍ଟ କରୁଥିବାର ଦେଖିବାକୁ ମିଳିଲା ।
ଟିକେ ଭାବି ଦେଖିଲେ, ଏସବୁ କ’ଣ ସ୍ୱଭାବିକ ଗୁରୁ ଭକ୍ତିର ନିଦର୍ଶନ! ନାଁ ଫଟୋ ପାଇଁ କେବଳ ପ୍ରହସନ! କାରଣ ଆମ ସଂସ୍କୃତି ଆମକୁ ଶିଖେଇଛି, ଗୁରୁଙ୍କ ପାଖରେ ମୁଣ୍ଡ ଛାଏଁ ଛାଏଁ ନଇଁଯାଏ । ଯେତେବେଳେ ଗୁରୁଙ୍କ ପାଦ ପାଖରେ ବସି କ୍ୟାମେରାକୁ ଚାହିଁ ହସି ହସି ଆମେ ଫଟୋ ପୋଜ୍ ଦେଉଛେ, ଏହା କେବେହେଲେ ବାସ୍ତବ ଭକ୍ତିର ପରିଚୟ ନୁହେଁ । ଏହା ଫେସ୍ବୁକ୍ ତଥା ସାମାଜିକ ଗଣମାଧ୍ୟମ ମାର୍କା ଓ ସାମାଜିକ ଗଣମାଧ୍ୟମ ନିମନ୍ତେ କୃତ୍ରିମ ଭକ୍ତିର ପ୍ରଦର୍ଶନ । ସେହିପରି ଦେଖା ଯାଉଛି ଯେ, ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବସି ବି ଫେସ୍ବୁକ୍ରେ ଫଟୋ ପୋଷ୍ଟ କରାଯାଉଛି । ସତ କହିଲେ, ନିକଟ ସମ୍ପର୍କୀୟଙ୍କ ମୃତ୍ୟୁର ଦୁଃଖ ବେଳେ ଆମେ କ’ଣ ସାମାଜିକ ଗଣମାଧ୍ୟମ ପାଇଁ ଫଟୋ ଉଠେଇ ପାରିବା ! ଛାତି ଫାଟିଗଲା ଭଳି ଦୁଃଖ ବେଳେ ଛାତି ଭିତରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାରର ଲୋଭ କିପରି ଆସିପାରିବ ? ଜଣେ ସମ୍ପର୍କୀୟଙ୍କ ମୃତ୍ୟୁର ପ୍ରାକୃତିକ ପ୍ରତିକ୍ରିୟା କ’ଣ ଏପରି ହୋଇପାରିବ ?
ଆଜି ଏହି ଯେଉଁ କୃତ୍ରିମତା ଆମ ଭିତରକୁ ସଂଚରି ଆସିଛି ଏହା କେବଳ ସାମାଜିକ ଗଣମାଧ୍ୟମ ପାଇଁ । ରାସ୍ତାରେ ଘଟୁଥିବା କୌଣସି ଏକ ଦୁର୍ଘଟଣା ସମୟରେ ବି ଆମ ଭିତରର ସ୍ୱଭାବିକ ପ୍ରତିକ୍ରିୟା ଶିଥିଳ ହୋଇଯାଇ ତାହା ସାମାଜିକ ଗଣମାଧ୍ୟମ ପାଇଁ ଫଟୋରେ ସିମୀତ ହୋଇ ଯାଉଛି । ସେହିପରି ମାତୃ ଦିବସ ଓ ପିତୃ ଦିବସ ଆଦିରେ ଫେସ୍ବୁକ୍ରେ ପୋଷ୍ଟ ହେଉଥିବା ଫଟୋ ସବୁ ବି ଏହି କୃତ୍ରିମତାରୁ ମୁକ୍ତ ନୁହେଁ । ମା’ ସହିତ ସନ୍ତାନର ସଂପର୍କ ଫଟୋ ଓ ପ୍ରଚାର ପ୍ରସାରର ଉର୍ଦ୍ଧ୍ୱରେ । ଭକ୍ତି ଭାବ ସହିତ ମା’ଙ୍କ ପଦସ୍ପର୍ଶ କରିବା ସମୟରେ ବା ମା’ଙ୍କୁ ଆଲିଙ୍ଗନ କରିବା ସମୟରେ ମନ ଭିତରେ ଯେଉଁ ନିର୍ଲିପ୍ତ ଭାବଟି ଆସେ, ସେତେବେଳେ କ’ଣ ଫଟୋ ଉଠେଇବାକୁ ମନେ ପଡ଼ିବ ! ଯଦି ଫଟୋ ଉଠେଇ ପାରୁଛେ, ତେବେ ମାନିବାକୁ ହେବ ଯେ, ସମ୍ପର୍କର ଯେଉଁ ନିର୍ଲିପ୍ତତା ତଥା ଭକ୍ତି ଭାବଟି ଥିବା କଥା ତାହା ନାହିଁ । ତାହାର ସ୍ଥାନ କୃତ୍ରିମତା ନେଇ ସାରିଛି । ଜୀବନରେ ଯେଉଁ କାମ ସ୍ୱତଃପ୍ରବୃତ ଭାବେ ହେବା କଥା, ଯାହା ପ୍ରାକୃତିକ ଭାବେ କରାଯିବା କଥା, ଯେଉଁ ପ୍ରତିକ୍ରିୟା ସ୍ୱୟଂକ୍ରିୟ ଭାବେ ପରିପ୍ରକାଶ ହେବା କଥା, ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟର ଲୋଭରେ ସେସବୁକୁ ଆମେ କୃତ୍ରିମ କରିପକାଉଛୁ । ଏହା ମାନବୀୟ ଗୁଣର ଏକ ହୀନ ପରିପ୍ରକାଶ । ସାମାଜିକ ଗଣମାଧ୍ୟମ ଯୋଗୁ ପ୍ରାକୃତିକତାକୁ ବଳି ପକେଇ କୃତ୍ରିମତା ପଛରେ ଧାଇଁବା ଆଦୌ ଶୁଭଙ୍କର ନୁହେଁ ।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.