Latest Odisha News

ଜାଣନ୍ତୁ, ଓଡ଼ିଶାର କେଉଁ ଶକ୍ତିପୀଠରେ କିପରି ହୁଏ ଷୋଡ଼ଶ ପୂଜା ଉପଚାର

ଭୁବନେଶ୍ୱର: ଆଉ ଖୁବକମ ଦିନ ରହିଲା ମାଆଙ୍କ ଆଗମନକୁ । ପ୍ରାୟତଃ ସମସ୍ତ ଦେବୀପୀଠରେ ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇସାରିଛି । ଏହା ହେଉଛି ଶାରଦୀୟ ଦୁର୍ଗା ପୂଜାର ପ୍ରଥମ ପର୍ବ ।

ରାଧାଷ୍ଟମୀରୁ ମୂଳାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କର ବିଶ୍ରାମ ସମୟ ଥିଲା । ମୂଳାଷ୍ଟମୀଠାରୁ ମାଆଙ୍କୁ ନିଦରୁ ଉଠାଯାଇ ଶହସ୍ର କୁମ୍ଭାଭିଷେକ କରାଯାଇ ସମସ୍ତ ଦେବୀ ପୀଠଗୁଡ଼ିକରେ ଆରମ୍ଭ ହୋଇଛି ଷୋଡ଼ଶ ପୂଜା ବିଧି ।

ପାର୍ବଣ ପାଇଁ ପାରମ୍ପରିକ ପ୍ରସ୍ତୁତି:

ମୂଳାଷ୍ଟମୀରେ ପ୍ରଥମେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କ ଶ୍ରୀନହରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଥାଏ । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଥାଏ । ରାଜଗୁରୁ ପ୍ରତି ପୀଠ ପାଇଁ ୨୬ ଜଣ ଲେଖାଏଁ ବ୍ରାହ୍ମଣ ଏବଂ ବିମଳାଙ୍କ ପୀଠ ପାଇଁ ୧୦ ଜଣ ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ କରି ବରଣ କରନ୍ତି।

ଶୋତ୍ତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ଶ୍ରୀକ୍ଷେତ୍ରର କ୍ଷେତ୍ରଶ୍ବରୀ ମାଆ ବିମଳାଙ୍କ ପୀଠରେ ଶୋଡ଼ଷ ପୂଜାବିଧି ଆରମ୍ଭ ହୋଇଥାଏ ।

ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ବରୀ, ଉତ୍ତରାୟଣୀ, ଦକ୍ଷିଣ କାଳୀ, ଆଲାମଚଣ୍ଡି ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଯଥାବିଧି ଷୋଳପୂଜା ଆରମ୍ଭ କରାଯାଇଥାଏ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ମଧ୍ୟ ଶାରଦୀୟ ପୂଜା ଆରମ୍ଭ ହୋଇସରିଛି । ମନ୍ଦିର ଗର୍ଭ ଗୃହରୁ ଏକ ଶୋଭାଯାତ୍ରା ଯାଇ ବ୍ରହ୍ମାକୁଣ୍ଡରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ପୂଜକ ସ୍ନାନ, ତର୍ପଣ, ସଂକଳ୍ପ ସାରିବା ପରେ ଜଳ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ ।ସେହିପରି ବୈତରଣୀ ଜଳରେ ବିରଜାଙ୍କ ମହାସ୍ନାନ କରାଯାଇ ବଡସିଂହାର ବେଶ ଓ ଷୋଡଶୋପଚାର ପୂଜା ଆରମ୍ଭ ହୋଇଥିଲା ।

ଏପଟେ କଟକର ଗଡ଼ଚଣ୍ଡୀ, କଟକ ଚଣ୍ଡୀ ଓ ଝାଞିରୀମଙ୍ଗଳା ଆଦି ଦେବୀ ପୀଠ ମାନଙ୍କରେ କୁମ୍ଭାଭିଷେକ କରାଯାଇ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଛି । କଟକ ଚଣ୍ଡୀଙ୍କର ସୁନା ବେଶ ଅନୁଷ୍ଠିତ ହୋଇଥିବା ବେଳେ, ଗଡ ଚଣ୍ଡୀଙ୍କର ଚାନ୍ଦୀ ବେଶ୍ ଅନୁଷ୍ଠିତ ହୋଇଥାଏ ।

ପବିତ୍ର ମୂଳାଷ୍ଟମୀରେ ବଡ଼ମ୍ବାର ଆରାଧ୍ୟ ଦେବୀ ମା ଭଟ୍ଟାରିକାଙ୍କର ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଳପୂଜା। ମୂଳାଷ୍ଟମୀରେ ଠାକୁରାଣୀଙ୍କ ଘଟକୁ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥାଏ । ମହାଷ୍ଟମୀ ଓ ମହାନବମୀର ସନ୍ଧି କ୍ଷଣରେ ମାଆଙ୍କର ସ୍ଵତନ୍ତ୍ର ପୂଜା ହୋଇଥାଏ ।

ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା। ଏଠାରେ ମାଆଙ୍କ ସ୍ବତନ୍ତ୍ର ପୂଜା ଦଶହରାରେ ଶେଷ ହୋଇଥାଏ । ଦଶହରା ଯାଏ ପ୍ରତି ଦିନ ଭକ୍ତଙ୍କୁ ଭିନ୍ନଭିନ୍ନ ବେଶରେ ଦର୍ଶନ ଦେବେ ମାଆ ।

ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଳପୂଜା । ମନ୍ଦିର ଭିତରେ ସମାର୍ଜନୀ କଳସ ବସିବା ସହ ବ୍ରାହ୍ମଣମାନଙ୍କ ଦ୍ବାରା ଶୋଡଷ ଉପଚାର ପୂଜା କରାଯାଇଥିଲା । ଏଠାରେ ପ୍ରତିଦିନ ମଧ୍ୟ ରାତ୍ରୀରେ ମାଆଙ୍କୁ ସୁନା ବେଶ କରାଯିବା ସହ ଅଷ୍ଟମୀ ନବମୀ ଓ ହଶହରା ତିନି ଦିନ ମହିଷା ମର୍ଦ୍ଦିନୀ ବେଶରେ ସଜା ଯାଇଥାଏ । ପ୍ରତିଦିନ ସକାଳେ ପାଲିଙ୍କିରେ ମାଙ୍କୁ ବସାଯାଇ ବିଭିନ୍ନ ସ୍ଥାନ ପରିକ୍ରମା କରାଯିବା ସହ ପିଠା ପଣା ଲାଗି କରାଯାଇଥାଏ । ଏଠି ବଳୀପ୍ରଥା ପରିବର୍ତ୍ତେ ୧୦୮ ହାଣ୍ଡି ପଣା ଭୋଗ ଲାଗି ହୋଇଥାଏ ।

 

Leave A Reply

Your email address will not be published.