ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ପରିଲିକ୍ଷିତ ହୋଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ହେଉଥିବାବେଳେ, କିଛି ମାତ୍ରାରେ ତାପମାତ୍ରାରେ ହ୍ରାସ ଘଟିଛି । ଏବେ ଧୀରେ ଧୀରେ କାଳବୈଶାଖୀର ପ୍ରଭାବ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି ।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବୁଧବାର ବଲାଙ୍ଗୀର ସହରର ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ ୪୨.୫, ବୌଦ୍ଧ ୪୨.୬, ସୋନପୁର ୪୨.୨, ତାଳଚେର, ଅନୁଗୁଳ ୪୨.୫, ସୁନ୍ଦରଗଡ଼, ନୂଆପଡ଼ା ୪୨ ଡିଗ୍ରୀ ତାପମାତ୍ରା ରେକର୍ଟ ହୋଇଥିଲା ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ରହିବନି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସହ ଗୁଳୁଗୁଳି ଜାରି ରହିବ । ମେ’ ପହିଲାରେ ତାପମାତ୍ରା ଆହୁରି କମିପାରେ ।
ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ । ଗୁରୁବାର ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତାକାଲି ବର୍ଷା ନେଇ ମୟୂରଭଞ୍ଜ ବାଲେଶ୍ବରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଦି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।