Sonia slams Modi govt: “ମୋଦୀ ସରକାରରେ ଗଣତନ୍ତ୍ର ଦୁର୍ବଳ!”, ୧୨ ବର୍ଷର ହିସାବ ଦେଇ ବର୍ଷିଲେ ସୋନିଆ, କହିଲେ ”ତୁମଠାରୁ କିଛି ଶିଖିବାର ନାହିଁ”
ନୂଆଦିଲ୍ଲୀ: କଂଗ୍ରେସକୁ ବିଜେପି କିମ୍ବା ଆରଏସ୍ଏସ୍ଠାରୁ କିଛି ଶିଖିବାର ଆବଶ୍ୟକତା ନାହିଁ। ଏଭଳି କହି ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗତ ୧୨ ବର୍ଷ ମଧ୍ୟରେ ଦେଶର ଗଣତନ୍ତ୍ର, ସାମ୍ବିଧାନିକ ସଂସ୍ଥା ଏବଂ ଦେଶର ମୌଳିକ ଢାଞ୍ଚାକୁ ବହୁତ କ୍ଷତି ପହଞ୍ଚିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ସମୟ ସହିତ ଦେଶର ବ୍ୟବସ୍ଥା ପୁଣି ଠିକ୍ ରାସ୍ତାକୁ ଫେରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନିଜର ନୂଆ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପ୍ରକାଶ ପାଇବା ପୂର୍ବରୁ ‘ଦ ହିନ୍ଦୁ’କୁ ଦେଇଥିବା ସାକ୍ଷାତକାରରେ ସୋନିଆ ଏହି ମନ୍ତବ୍ୟ ଦେଇଛନ୍ତି। ମୋଦୀଙ୍କ ରାଜନୈତିକ ସଫଳତା ଓ ଆରଏସ୍ଏସ୍ର ବିଚାରଧାରା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଡକ୍ଟର ମନମୋହନ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ନେତା ମଧ୍ୟ କଂଗ୍ରେସରେ ନିଜ ନିଜ ଭାବେ ସଫଳ ହୋଇଛନ୍ତି। ତେଣୁ ଆରଏସ୍ଏସ୍ଠାରୁ ଶିଖିବାର ବିଶେଷ କିଛି ନାହିଁ।
ମୋଦୀ ସରକାର ଆସିବା ପରଠାରୁ କଂଗ୍ରେସ ଓ ବିରୋଧୀ ମେଣ୍ଟକୁ ସମାନ ସୁଯୋଗ ମିଳୁନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗ ସମେତ ସମ୍ପୂର୍ଣ୍ଣ ନିର୍ବାଚନ ବ୍ୟବସ୍ଥାକୁ ବିଜେପି ନିଜ ନିୟନ୍ତ୍ରଣକୁ ନେଇଥିବା ଏବଂ ମୁଖ୍ୟଧାରାର ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଅନେକ ନିର୍ବାଚନରେ ଅନିୟମିତତା ହୋଇଥିବା ପ୍ରମାଣିତ ହୋଇଛି ଏବଂ ଲୋକେ ଏବେ ଏ ବିଷୟରେ ଅଧିକ ସଚେତନ ହେଉଛନ୍ତି ବୋଲି ତାଙ୍କ ଦାବି। ତେବେ କଂଗ୍ରେସ ଲଢ଼େଇ ଜାରି ରଖିଛି ଏବଂ ସମାନ ବିଚାରଧାରାର ଦଳଗୁଡ଼ିକ ସହ କାମ କରୁଛି। ଦଳର ସମ୍ଭାବନା ଦିନକୁ ଦିନ ଭଲ ହେଉଥିବା ମଧ୍ୟ ସେ କହିଛନ୍ତି।
୨୦୦୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଗଠନ ସମୟରେ ସୋନିଆ ନିଜେ ପ୍ରଧାନମନ୍ତ୍ରୀ ହୋଇଥିଲେ ରଣନୀତି ବଦଳିଥାନ୍ତା କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଏପରି ଚିନ୍ତା ତାଙ୍କ ମନକୁ କେବେ ଆସିନଥିଲା। ସେହି ସମୟରେ ମନମୋହନ ସିଂହ ସରକାର ଚଳାଉଥିଲେ ଏବଂ ସେ ଦଳର ନେତୃତ୍ୱ ନେଉଥିଲେ। ଦୁହିଁଙ୍କ ଭୂମିକା ଅଲଗା ଥିଲା ଏବଂ ସେହି ଅନୁଭୂତି ସକାରାତ୍ମକ ଥିଲା ବୋଲି ସୋନିଆ କହିଛନ୍ତି।
‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ପୁସ୍ତକଟି ହାର୍ପରକଲିନ୍ସ ଇଣ୍ଡିଆ ପ୍ରକାଶ କରିଛି। ଏହା ଏକ ବ୍ୟକ୍ତିଗତ ସ୍ମୃତିଗ୍ରନ୍ଥ। ଏଥିରେ ରାଜନୀତି ପୃଷ୍ଠଭୂମି ଭାବେ ରହିଛି। ଯୁଦ୍ଧ ପରବର୍ତ୍ତୀ ଇଟାଲୀର ଭେନେଟୋରେ ସୋନିଆଙ୍କ ପିଲାଦିନରୁ ଆରମ୍ଭ ହୋଇ କେମ୍ବ୍ରିଜ୍ ପର୍ଯ୍ୟନ୍ତ ତାଙ୍କ ଜୀବନଯାତ୍ରାକୁ ଏଥିରେ ଦର୍ଶାଯାଇଛି। ୧୯୬୫ରେ କେମ୍ବ୍ରିଜ୍ରେ ସେ ରାଜୀବ ଗାନ୍ଧୀଙ୍କୁ ଭେଟିଥିବା ଘଟଣା ମଧ୍ୟ ପୁସ୍ତକରେ ସ୍ଥାନ ପାଇଛି।
