Latest Odisha News

BREAKING NEWS

ପୁଣି ସୋନିଆ ଗାନ୍ଧୀ ହେଲେ କଂଗ୍ରେସ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି କ୍ରମେ ସୋନିଆ ଗାନ୍ଧୀ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି । ଦୀର୍ଘ ସମୟଧରି ଶନିବାର ଦିନ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ପରିଶେଷରେ ରାହୁଲ ଗାନ୍ଧୀଙ୍କ ପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏହି ବୈଠକ ସମାପ୍ତ ହେବା ପରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ନିୟମିତ ଅଧ୍ୟକ୍ଷ ନିର୍ବାଚନ ନ’ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ହିଁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳକୁ ସମ୍ଭାଳିବେ ।

ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଥମେ ଏହି ପଦବୀ ଲାଗି ସୋନିଆ ସିଧାସଳଖ ମନା କରିଦେଇଥିଲେ, ମାତ୍ର କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ରହିଥିବା ସମସ୍ତ ବରିଷ୍ଠ ସଦସ୍ୟମାନଙ୍କ ବହୁତ ଅନୁରୋଧ ପରେ ସେ ରାଜି ହୋଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ପ୍ରଦାନ କରିବା ସହିତ ଏହି ପଦବୀରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏପରିକି ଗାନ୍ଧୀ ପରିବାରରୁ କୌଣସି ସଦସ୍ୟ ଏହି ପଦବୀରେ ରହିବେ ନାହିଁ ବୋଲି ରିପୋର୍ଟ ପ୍ରକାଶିତ ହୋଇଥିଲା ।

ଶନିବାର ଦିନ ରାତି ୮ ଟା ସମୟରେ ନୂଆଦିଲ୍ଲୀଠାରେ କଂଗ୍ରେସ ୱାର୍କି କମିଟି ବୈଠକ ଆରମ୍ଭ ହୋଇଥିଲେ ମଧ୍ୟ ନିଷ୍କର୍ଷ ବାହାରିନଥିଲା । ଏହି ବୈଠକରେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ପ୍ରଦାନମନ୍ତ୍ରୀ ମନମୋହନ ସିଂହ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.