Latest Odisha News

BREAKING NEWS

ଫିଲ୍ମ ‘ଦୁସରା’ ରିଲିଜ୍‌କୁ ଗ୍ରୀନ୍ ସିଗନାଲ୍: ସୌରଭ ଗାଙ୍ଗୁଲିଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନକୁ ଖାରଜ କରି ‘ଦୁସରା’ (Doosra) ଚଳଚ୍ଚିତ୍ରର ରିଲିଜ୍ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଫିଲ୍ମଟି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଗ୍ରୀନ୍ ସିଗ୍ନାଲ୍ ପାଇଛି।

ସୌରଭ ଗାଙ୍ଗୁଲି ଏବଂ ଲଭ୍ ଫିଲ୍ମସ (Luv Films LLP) ମିଳିତ ଭାବେ ଏହି ଆବେଦନ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ, ‘ଦୁସରା’ ଫିଲ୍ମରେ ଗାଙ୍ଗୁଲିଙ୍କ ସହମତି ବିନା ତାଙ୍କ ବ୍ୟକ୍ତିଗତ ଅଧିକାର (Personality Rights), ପରିଚୟ ଏବଂ ତାଙ୍କ କ୍ରିକେଟ କ୍ୟାରିୟରର କିଛି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ବ୍ୟବସାୟିକ ଭାବେ ବ୍ୟବହାର କରାଯାଇଛି। ଫିଲ୍ମରେ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଜିତିଥିବା ୨୦୦୨ ନାଟୱେଷ୍ଟ ସିରିଜ୍ (NatWest Series) ଫାଇନାଲ୍ ମ୍ୟାଚ୍ ଏବଂ ଲର୍ଡସ ବାଲକୋନିରେ ତାଙ୍କର ସାର୍ଟ ଖୋଲି ସେଲିବ୍ରେସନ କରିବାର ଐତିହାସିକ ଦୃଶ୍ୟର ସନ୍ଦର୍ଭ ରହିଛି।

ମାମଲାର ଶୁଣାଣି କରି ଜଷ୍ଟିସ ଦିନେଶ ଭଟ୍ଟ କହିଛନ୍ତି ଯେ ପ୍ରାଥମିକ ଦୃଷ୍ଟିରୁ ସୁବିଧାର ସନ୍ତୁଳନ (Balance of convenience) ଚଳଚ୍ଚିତ୍ର ନିର୍ମାତାଙ୍କ ସପକ୍ଷରେ ରହିଛି। ଚଳଚ୍ଚିତ୍ରର ସମସ୍ତ ପ୍ରସ୍ତୁତି ଓ ଆଡଭାନ୍ସ ବୁକିଂ ସରିଥିବାରୁ ଏହି ସମୟରେ ଏହା ଉପରେ ରୋକ ଲଗାଯାଇପାରିବ ନାହିଁ। ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଭିନୟ ଦେଓଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ବା ଜୀବନୀ ନୁହେଁ। ଏହା ଜଣେ ରାଜସ୍ଥାନୀ ମଧ୍ୟବିତ୍ତ ଝିଅର କାହାଣୀ, ଯିଏକି ସୌରଭ ଗାଙ୍ଗୁଲିଙ୍କ ଖେଳ ଏବଂ ସଫଳତାରୁ ପ୍ରେରଣା ପାଇଥାଏ। କୋର୍ଟ ବର୍ତ୍ତମାନ ପାଇଁ ଫିଲ୍ମର ରିଲିଜ୍ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନଥିଲେ ମଧ୍ୟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.