ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା ସହ ଏହା ନିଜର ନିର୍ଦ୍ଧାରିତ ପଥରେ ଅଗ୍ରସର ହେଉଛି।
ସାମୁଦ୍ରିକ ସ୍ଥିତି ଏବଂ ବାୟୁମଣ୍ଡଳୀୟ ଚାପ ଅନୁକୂଳ ରହିଥିବାରୁ ମୌସୁମୀ ବାୟୁ ଭାରତର ଦକ୍ଷିଣ ଏବଂ ପୂର୍ବ ସାମୁଦ୍ରିକ ସୀମାକୁ ସ୍ପର୍ଶ କରିସାରିଲାଣି। ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ, ମୌସୁମୀ ବାୟୁ ଆରବ ସାଗରରେ ଅଗ୍ରଗତି ହେଉଛି । ଆରବ ସାଗରର ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଭାଗର କେତେକ ପ୍ରମୁଖ ଅଞ୍ଚଳକୁ ଏହା ଅତିକ୍ରମ କରି ଆଗକୁ ବଢ଼ୁଛି।
ଏହା ସହିତ ବଙ୍ଗୋପସାଗରର ଏକ ବଡ଼ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ବିଶେଷ କରି ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ଭାଗକୁ ଏହା ଘେରି ସାରିଛି।
ଯଦି ବାୟୁମଣ୍ଡଳର ସ୍ଥିତି ଏହିଭଳି ଅନୁକୂଳ ରହେ, ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହା ଭାରତୀୟ ସ୍ଥଳଭାଗ ବା କେରଳ ଉପକୂଳ ଛୁଇଁବ। ଏହା ଦ୍ୱାରା ଦେଶରେ କୃଷି କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗ୍ରୀଷ୍ମର ପ୍ରକୋପରୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ।

Comments are closed.