Latest Odisha News

BREAKING NEWS

ମହିଳା ବିଶ୍ୱକପ ଫୁଟବଲ: ପ୍ରଥମ ଥର ପାଇଁ ଟାଇଟଲ ହାସଲ କଲା ସ୍ପେନ

ମେଲବୋର୍ଣ୍ଣ: ସ୍ପେନ ମହିଳା ବିଶ୍ୱକପ ଫୁଟବଲ ୨୦୨୩ ସଂସ୍କରଣର ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ହାଇ ଭୋଲଟେଜ ଫାଇନାଲରେ ସ୍ପେନ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ମେଗା ଇଭେଂଟରେ ଚାମ୍ପିୟନ ହୋଇଛି । ଇଂଲଣ୍ଡ ରନର୍ସଅପରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏକମାତ୍ର ଗୋଲଟି ୨୯ତମ ମିନିଟରେ ସ୍ପେନ ଅଧିନାୟିକା ଓଲଗୋ କାରମୋନା ସ୍କୋର କରିଥିଲେ । ପ୍ରଥମ ଥର ପାଇଁ ସ୍ପେନ ଫାଇନାଲ ଖେଳୁଥିଲେ ମଧ୍ୟ ଚାପଗ୍ରସ୍ତ ନ ହୋଇ ପ୍ରଭାବୀ ପ୍ରଦର୍ଶନ କରିଥିଲା । ୫ମ ଟିମ ଭାବେ ସ୍ପେନ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଏହା ପୂର୍ବରୁ ଆମେରିକା ୪ଥର, ଜର୍ମାନୀ ୨ଥର, ନରୱେ ଓ ଜାପାନ ଥରେ ଲେଖାଁଏ ଚାମ୍ପିୟନ ହୋଇଛନ୍ତି । ୨୦୧୫ରେ ତୃତୀୟ ସ୍ଥାନ ହାସଲ କରିବା ସ୍ପେନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

୨୦୧୦ରେ ପୁରୁଷ ଟିମ ଜିତିବାର ୧୩ ବର୍ଷ ପରେ ମହିଳା ଟିମ ଦେଶକୁ ଗୌରବାନ୍ୱିତ କରିଛନ୍ତି । ସ୍ପେନ ଚଳିତ ସଂସ୍କରଣରେ ୭ଟି ମ୍ୟାଚରେ ୧୮ଟି ଗୋଲ ସ୍କୋର କରିଥିଲା । ଓଲଗୋ ମହିଳା ବିଶ୍ୱକପରେ ୭ମ ଖେଳାଳି ଭାବେ ସେମିଫାଇନାଲ ଓ ଫାଇନାଲରେ ଗୋଲ କରିଛନ୍ତି । ବିଶ୍ୱକପ ପୂର୍ବରୁ ସ୍ପେନର ପ୍ରଦର୍ଶନ ଆନ୍ତର୍ଜାତୀୟସ୍ତରରେ ସେଭଳି ଉତ୍ସାହଜନକ ରହି ନ ଥିଲା । ମାତ୍ର ଟିମ ସଂଗଠିତ ଭାବେ ଖେଳି ବିଶ୍ୱ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.