Latest Odisha News

ରିଲିଜ୍ ହେଲା ‘କରାଚୀ ଟୁ ନୋଏଡା’ ଫିଲ୍ମର ପ୍ରଥମ ପୋଷ୍ଟର

ମୁମ୍ଵାଇ: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ ରିୟଲ ଲାଇଫରେ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଭାରତର ସଚିନଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରେମ କାହାଣୀ ଏବେ ରିଲ ହେବାକୁ ଯାଉଛି । ସୀମା ସଚିନଙ୍କ ପ୍ରେମ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ି ନିଜର ଚାରି ପିଲାଙ୍କୁ ଧରି ନେପାଳ ଦେଇ ବେନିୟମ ଭାବେ ଭାରତକୁ ଆସିଥିଲେ ସୀମା ହାଇଦର ।

ଏହାପରେ ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୀମା ଏବଂ ସଚିନ୍ ପାଲଟିଗଲେ ଆଲୋଚନାର ଏକ ପ୍ରମୁଖ ବିଷୟ । ଏବେ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହାର ନାମ ରଖାଯାଇଛି ‘କରାଚି ଟୁ ନୋଏଡା’ । ଯାହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଅମିତ ଜାନୀଙ୍କ କମ୍ପାନି ‘ଜାନି ଫାୟାରଫକ୍ସ ଫିଲ୍ମସ’ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଏହାର ନିର୍ମାତା ହେଉଛନ୍ତି ଅମିତ ଜାନି ଏବଂ ସେ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଲେଖିଛନ୍ତି । ଗାୟକ ହେଉଛନ୍ତି ପ୍ରୀତି ସରୋଜ । ସୀମାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଫରହିନ୍ ଫାଲକ । ନିର୍ମାତା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ଏହି ଫିଲ୍ମ ପାଇଁ ପୂର୍ବରୁ ସୀମା ଅଡିସନ ଦେଇଥିଲେ। ପାକିସ୍ତାନର ସିନ୍ଧ ପ୍ରଦେଶର ସୀମା ଉତ୍ତର ପ୍ରଦେଶର ସଚିନ୍ ମୀନାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ ଅନଲାଇନ୍ ଗେମ୍ ଆପ୍ ମାଧ୍ୟମରେ ପରିଚିତ ହୋଇଥିଲେ ଏବଂ ପରେ ନେପାଳରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ସୀମା ଭିସା ନ ପାଇବାରୁ ନେପାଳ ପଥରେ ୪ ପିଲାଙ୍କୁ ନେଇ ଭାରତ ଚାଲି ଆସିଥିଲେ। ସେ ଦିଲ୍ଲୀର ଗ୍ରେଟର୍ ନୋଏଡାର ଏକ ଅଞ୍ଚଳରେ ରହୁଥିଲେ। ଏ ବାବଦରେ ପୋଲିସ ଜାଣିବା ପରେ ଉଭୟଙ୍କୁ ଗିରଫ କରିଥିଲା। ପରେ ସୀମାଙ୍କୁ ପୋଲିସ୍ ଛାଡି ଦେଇଥିଲେ ମଧ୍ୟ ସେ ଏବେବି ସନ୍ଦେହ ଘେରରେ ଅଛନ୍ତି।

Leave A Reply

Your email address will not be published.