Latest Odisha News

BREAKING NEWS

୬୩ ବର୍ଷ ବୟସରେ ୮୭ଟି ଦେଶ କରିଥିଲେ ଭ୍ରମଣ : ଏବେ ବାହାରିଛନ୍ତି ମାଳଦ୍ୱୀପ ଭ୍ରମଣରେ

ନୂଆଦିଲ୍ଲୀ: ଯେଉଁ ବୟସରେ ଲୋକେ ଘରେ ବସି ନିଜ ନାତି ନାତୁଣୀଙ୍କ ସହ ଦିନ କାଟିବାକୁ ଚାହାଁନ୍ତି, ସେହି ବୟସରେ ଟର୍ବାନ ଟ୍ରାଭେଲରର ଖ୍ୟାତି ଅର୍ଜନ କରିଥିବା ଦିଲ୍ଲୀର ଅମରଜିତ ସିଂ ଚାୱଲା ପୁଣି ତାଙ୍କ କାରରେ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । କିନ୍ତୁ ଏଥର ଅମରଜିତ ବିଶ୍ୱ ଭ୍ରମଣରେ ଏକୁଟିଆ ନୁହଁନ୍ତି ବରଂ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି ।

ଦିଲ୍ଲୀ ବାସିନ୍ଦା ଅମରଜିତ ସିଂ ଚାୱଲା । ବୃତ୍ତିରେ ଏକ କପଡା ବ୍ୟବସାୟୀ । ହେଲେ ସଉକ ବିଭିନ୍ନ ଦେଶ ଭ୍ରମଣ କରିବା । ଏଥଲାଗି ସେ ଟର୍ବାନ୍ ଟ୍ରାଭେଲର୍ ଭାବରେ ବେଶ୍ ଜଣାଶୁଣା । ସେ ୮୭ ରୁ ଅଧିକ ଦେଶ ଭ୍ରମଣ କରିଛନ୍ତି, ସେଥିମଧ୍ୟରୁ ସେ ନିଜ କାରରେ ୪୭ ଟି ଦେଶର ଯାତ୍ରା ଶେଷ କରିଛନ୍ତି । ଅମରଜିତ୍ କହିଛନ୍ତି ଯେ, ଯେତେବେଳେ ସେ ବ୍ୟବସାୟ କାମ ପାଇଁ ଅନ୍ୟ ଦେଶକୁ ଯାଆନ୍ତି, ସେତେବେଳେ ସେ ସେଠାରେ ଥିବା ସମସ୍ତ ଜିନିଷକୁ ପସନ୍ଦ କରନ୍ତି । ଦିନେ ସେ ହୃଦୟଙ୍ଗମ କଲେ ଯେ ଜୀବନରେ କିଛି ଅଲଗା କରିବା ଉଚିତ୍‌, ଯେଉଁଥିପାଇଁ ସେ ନିଜର ସଉକ ପୂରଣ କରିବାକୁ ଚିନ୍ତା କଲେ । ନିଜ ବ୍ୟବସାୟର ଦାୟିତ୍ୱ ପୁଅକୁ ଦେଇ ବିଭିନ୍ନ ଦେଶ ଭ୍ରମଣ କରିବାକୁ ବାହାରିଥିଲେ ।

୨୦୧୮ ମସିହାରେ ପ୍ରଥମ ଥର ପାଇଁ ଅମରଜିତ ବିଶ୍ୱ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ବୟସ ୬୩ ବର୍ଷ ହୋଇଥିଲା । ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ । ପରେ ନେପାଳ, ଚୀନ୍‌, ତିବ୍ଦତ, କିର୍ଗିଜସ୍ଥାନ, ଉଜବେକିସ୍ତାନ, କାଜାଖସ୍ତାନ, ଇଷ୍ଟୋନିଆ, ଲାଟଭିଆ, ଫିନଲ୍ୟାଣ୍ଡ, ସ୍ୱିଡେନ, ନରୱେ, ଡେନମାର୍କ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭେନିଆ, ସ୍ଲୋଭାକିଆ, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ସ୍ପେନ୍‌, ପର୍ତ୍ତୁଗାଲ, ଫ୍ରାନ୍ସ, ଲଣ୍ଡନ ସମେତ ପ୍ରାୟ ୮୭ ଟି ଦେଶ ଭ୍ରମଣ କରିଥିଲେ । ଅମରଜିତ ୨୦୧୯ ମସିହା ଜାନୁୟାରୀ ୭ ତାରିଖରେ ତାଙ୍କର ଯାତ୍ରା ଶେଷ କରିଥିଲେ ।

ଏବେ ପୁଣି ଅମରଜିତ ଭ୍ରମଣରେ ବାହାରିଛନ୍ତି, କିନ୍ତୁ ଏଥର ସେ ଏକୁଟିଆ ନୁହଁନ୍ତି ବରଂ ତାଙ୍କ ଜୀବନ ସାଥୀଙ୍କୁ ସାଙ୍ଗରେ ନେଇଛନ୍ତି । ଯାତ୍ରାକୁ ଯିବା ପୂର୍ବରୁ ଅମରଜିତ ଏବଂ ତାଙ୍କ ପତ୍ନୀ ଆନନ୍ଦପୁର ସାହେବରେ ପ୍ରଣାମ କରି ଯାତ୍ରା ଆରମ୍ଭ କରିଛନ୍ତି । ଏଥର ସେମାନେ ୭ ଟି ମାଳଦ୍ୱୀପ ପରିଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅମରଜିତ କହିଛନ୍ତି ଯେ, ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା, ସେ ଆଗକୁ ଯାତ୍ରା କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.