Latest Odisha News

BREAKING NEWS

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାର ପୌରାଣିକ ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ କନିଷ୍ଠ ପୁତ୍ର ପ୍ରଭୁ ଗଣେଶ ।  ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିବାର ଅନେକ ନଜିର ରହିଛି ।

ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସ‌ହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।

ଗଣେଶ ବ୍ରତର ମହତ୍ତ୍ୱ:

ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ ।

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ଉଲ୍ଲେଖ କରାଯାଇଛି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି ।

Leave A Reply

Your email address will not be published.