ଭୁବନେଶ୍ଵର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ତଥା କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତିଙ୍କ ଶନିବାର ଦେହାନ୍ତ ହୋଇଛି। ଯିଏକି ଡୁଲୁ ଭାଇ ଭାବେ ଖୁବ୍ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।
ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଶନିବାର ଶେଷନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପତ୍ନୀ, ପୁଅ ଓ ଝିଅ ରହିଛନ୍ତି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ। ସେ ଏକାଧିକ ପୁରସ୍କାର ମଧ୍ୟ ହାତେଇଥିଲେ। ବାଲିଅନ୍ତା ବ୍ଲକ୍ ବେଣୁପୁର ଗାଁର ମୂଳ ଅଧିବାସୀ। ଯଦିଓ ସେ ଅବସର ପରେ ଭୁବନେଶ୍ୱର ଗୌତମ ନଗରଠାରେ ରହିଆସୁଥିଲେ।
୩୩ ବର୍ଷର ନିଜ ଚାକିରି ଜୀବନକାଳ ମଧ୍ୟରେ ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଣୟନ, ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ, ଅନ୍ତର୍ଜାତୀୟ ଖେଳାଳିଙ୍କୁ ପ୍ଲଟ ପ୍ରଦାନ ଆଦି ଭଳି ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ।
ଅସୁସ୍ଥତା ମଧ୍ୟରେ ସେ ନିୟମିତ ଭାବରେ ଓଡ଼ିଶା ବାଇଟ୍ସ ସମେତ ବିଭିନ୍ନ ପ୍ରମୁଖ ନ୍ୟୁଜ ପ୍ଲାଟଫର୍ମ ପାଇଁ କ୍ରୀଡା ସ୍ତମ୍ଭ ଲେଖିଥିଲେ। ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ଏପରିକି ଆକର୍ଷଣୀୟ ଉପସ୍ଥିତି ବଜାୟ ରଖିଥିଲେ। କ୍ରୀଡା ବିକାଶର ସ୍ଥିତି ଉପରେ ଅନ୍ତର୍ଦୃଷ୍ଟି ବାଣ୍ଟିଥିଲେ। ସେ ପ୍ରାୟତଃ ଐତିହାସିକ ମାଇଲଖୁଣ୍ଟଗୁଡ଼ିକୁ ଲିପିବଦ୍ଧ କରିଥିଲେ।ଯେଉଁଥିରେ କିମ୍ବଦନ୍ତୀ ହକି ଆଇକନ୍ ମେଜର ଧ୍ୟାନ ଚାନ୍ଦଙ୍କ ପ୍ରତିଫଳନ ଅନ୍ତର୍ଭୁକ୍ତ ଥିଲା। ତେବେ ଓଡ଼ିଶାକୁ ଏକ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା ହବ୍ ରୂପାନ୍ତରଣ ନେଇ ପ୍ରୟାସ ମଧ୍ୟ କରିଥିଲେ।
ରାଜ୍ୟର ସାମ୍ବାଦିକ ଗଣ ଏବଂ କ୍ରୀଡା ସାମ୍ବାଦିକ ମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ (OSJA) ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। OSJA ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକ ଏବଂ ସଚିବ ତପନ ସ୍ୱାଇଁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।